ଓ୍ଵାସିଂଟନ: ଜନ ଧନ ଯୋଜନାର ଅପାର ସଫଳତା ସତ୍ତ୍ୱେ ଭାରତରେ ୧୯ କୋଟି ସାବାଳକଙ୍କ କୌଣସି ବ୍ୟାଙ୍କରେ ଖାତା ନାହିଁ ବୋଲି ବିଶ୍ୱବ୍ୟାଙ୍କ ପକ୍ଷରୁ କୁହାଯାଇଛି। ବ୍ୟାଙ୍କରେ ଖାତା ନଥିବା ସାବାଳକ ସଂଖ୍ୟା ଦୃଷ୍ଟିରୁ ଶୀର୍ଷ ସ୍ଥାନରେ ଚୀନ୍ ଥିବା ବେଳେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି। ଚୀନ୍ର ୨୨.୫ କୋଟି ସାବାଳକଙ୍କ ବ୍ୟାଙ୍କ ଖାତା ନାହିଁ। ଭାରତରେ ୧୯ କୋଟି, ପାକିସ୍ତାନରେ ୧୦ କୋଟି ଓ ଇଣ୍ଡୋନେସିଆରେ ୯.୫ କୋଟି ସାବାଳକଙ୍କ ବ୍ୟାଙ୍କ ଖାତା ନାହିଁ। ସାରା ବିଶ୍ୱରେ ୧୭୦ କୋଟି ସାବାଳକଙ୍କ ପାଖରେ ବ୍ୟାଙ୍କ ଖାତା ନାହିଁ ବୋଲି ବିଶ୍ୱବ୍ୟାଙ୍କ ଜଣାଇଛି। ୨୦୧୪ରେ ଜନ ଧନ ଯୋଜନା ଆରମ୍ଭ ହେବା ପରେ ୩୧ କୋଟି ଭାରତୀୟଙ୍କ ବ୍ୟାଙ୍କ ଖାତା ଖୋଲାଯାଇଛି। ସେହି ଉଦ୍ୟମକୁ ବିଶ୍ୱବ୍ୟାଙ୍କ ପ୍ରଶଂସା କରିଥିଲା। ୨୦୧୧ ତୁଳନାରେ ଭାରତରେ ଏବେ ଦୁଇ ଗୁଣ ଅଧିକ ଲୋକଙ୍କ ପାଖରେ ବ୍ୟାଙ୍କ ଖାତା ରହିଛି। ଏହି ରିପୋର୍ଟରେ କୁହାଯାଇଛି ଯେ, ତିନି ବର୍ଷ ପୂର୍ବେ ଭାରତରେ ମହିଳାଙ୍କ ତୁଳନାରେ ୨୦% ଅଧିକ ପୁରୁଷଙ୍କ ପାଖରେ ବ୍ୟାଙ୍କ ଖାତା ଥିଲା। ଏବେ ସେହି ଅନ୍ତର ୬%କୁ ଖସି ଆସିଛି। ଅଧିକ ମହିଳାଙ୍କ ବ୍ୟାଙ୍କ ଖାତା ଖୋଲାଯାଇଛି। ଡିଜିଟାଲ୍ ପେମେଣ୍ଟ୍ କ୍ଷେତ୍ରରେ ମଧ୍ୟ ଭାରତରେ ପୁରୁଷ ଓ ମହିଳାଙ୍କ ମଧ୍ୟରେ ବୈଷମ୍ୟ ରହିଥିବା ବିଶ୍ୱବ୍ୟାଙ୍କ କହିଛି। ଭାରତରେ ଖାତା ଥିବା ୪୨% ପୁରୁଷ ଡିଜିଟାଲ୍ ପେମେଣ୍ଟ୍ କରୁଥିବା ବେଳେ ମହିଳାଙ୍କ କ୍ଷେତ୍ରରେ ଏହି ହାର ୨୯% ରହିଛି। ବିଗତ କିଛି ବର୍ଷ ମଧ୍ୟରେ ଲୋକମାନଙ୍କୁ ସଂଗଠିତ ବ୍ୟାଙ୍କିଙ୍ଗ କ୍ଷେତ୍ର ସହ ଯୋଡ଼ିବା ପାଇଁ ବହୁତ ଭଲ ପ୍ରାୟସ ହୋଇଛି ବୋଲି ବିଶ୍ୱବ୍ୟାଙ୍କର ସଭାପତି ଜିମ୍ ୟଙ୍ଗ୍ କିମ୍ କହିଛନ୍ତି।
ଭାରତରେ ୧୯ କୋଟି ସାବାଳକଙ୍କ ବ୍ୟାଙ୍କ ଖାତା ନାହିଁ
/sambad/media/post_attachments/wp-content/uploads/2017/10/bank-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)