ଅଗଷ୍ଟ ୧୯ ଲକ୍ଷ ଲୋକ ଜୀବିକା ହରାଇଲେ

ନୂଆଦିଲ୍ଲୀ : ଚଳିତ ବର୍ଷ ଅଗଷ୍ଟ ମାସରେ ୧୯ ଲକ୍ଷ ଲୋକ ଜୀବିକା ହରାଇ ବେରୋଜଗାର ହୋଇପଡ଼ିଛନ୍ତି। ଘରୋଇ କ୍ଷେତ୍ରର ସଂସ୍ଥା ସେଣ୍ଟର ଫର ମନିଟରିଂ ଇଣ୍ଡିଆନ୍ ଇକୋନମି (ସିଏମ୍‌ଆଇଇ) ଏହି ତଥ୍ୟ ଜାରି କରିଛି। ଗତ ଜୁଲାଇରେ ଉଭୟ ଗ୍ରାମାଞ୍ଚଳ ଓ ସହରରେ ନିଯୁକ୍ତି ବଢ଼ିଥିଲା। କିନ୍ତୁ ଅଗଷ୍ଟରେ ପୁଣି ସେଥିରେ ହ୍ରାସ ଘଟିଛି। ଉଭୟ ସଂଗଠିତ ଓ ଅଣ ସଂଗଠିତ କ୍ଷେତ୍ରରେ ଲୋକମାନେ ଜୀବିକା ହରାଇଛନ୍ତି।

ଅଗଷ୍ଟ ମାସରେ ବେକାରି ହାର ୮.୩%କୁ ବୃଦ୍ଧି ପାଇଛି। ଜୁଲାଇରେ ତାହା ୭% ଭଳି ଉନ୍ନତ ସ୍ତରରେ ଥିଲା। ବେକାରି ସଂଖ୍ୟା ବଢ଼ିଥିବାରୁ ନିଯୁକ୍ତି ହାର ୩୭.୫%ରୁ ୩୭.୨%କୁ ହ୍ରାସ ପାଇଛି। ନିଯୁକ୍ତି କ୍ଷେତ୍ରରେ ସକ୍ରିୟ ଥିବା ‌ଲୋକଙ୍କ ସଂଖ୍ୟା ୩୯.୭୮ କୋଟିକୁ ହ୍ରାସ ପାଇଛି। ଜୁଲାଇରେ ସେମାନଙ୍କ ସଂଖ୍ୟା ୩୯.୯୭ କୋଟି ଥିଲା। କୃଷି କ୍ଷେତ୍ରରେ ନିୟୋଜିତ ଥିବା ଲୋକମାନେ ବେକାର ହୋଇପଡ଼ିଥିବା ଜଣାପଡ଼ିଛି। ଏହି କ୍ଷେତ୍ରରେ ନିଯୁକ୍ତି ଥିବା ଲୋକଙ୍କ ସଂଖ୍ୟା ୮୭ ଲକ୍ଷକୁ ଖସିଆସିଛି। ଅଣ କୃଷି ‌କ୍ଷେତ୍ରରେ ନିଯୁକ୍ତି ୬୮ ଲକ୍ଷକୁ ବୃଦ୍ଧି ପାଇଛି। ବ୍ୟବସାୟୀଙ୍କ ସଂଖ୍ୟା ୪୦ ଲକ୍ଷ ବଢ଼ିଥିବା ବେଳେ ଛୋଟ ବେପାରି ଓ ଦିନ ମଜୁରିଆଙ୍କ ସଂଖ୍ୟାରେ ୨୧ ଲକ୍ଷ ବୃଦ୍ଧି ଘଟିଛି। ବେତନଭୋଗୀଙ୍କ ସଂଖ୍ୟା ୭ ଲକ୍ଷ ବଢ଼ିଛି ବୋଲି ସିଏମ୍‌ଆଇ ତଥ୍ୟରୁ ଜଣାପଡ଼ିଛି। ସେବା କ୍ଷେତ୍ର‌ ୮୫ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେଇଛି।

ସମ୍ବନ୍ଧିତ ଖବର