୧ ଡଲାର=୬୯.୯୧ ଟଙ୍କା

ମୁମ୍ବାଇ: ଆମେରିକା ମୁଦ୍ରା ଡଲାର ତୁଳନାରେ ଟଙ୍କା ମୂଲ୍ୟ ଆଜି ଅତ୍ୟନ୍ତ ଦୁର୍ବଳ ହୋଇଯାଇଛି। ବୈଦେଶିକ ମୁଦ୍ରା ବିନିମୟ ବଜାରରେ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ଆଜି ୧୦୮ ପଇସା ବା ୧.୫୭ ପ୍ରତିଶତ ତଳକୁ ଖସିଯାଇଛି। ଫଳରେ ପ୍ରଥମ ଥର ପାଇଁ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୬୯ ଟଙ୍କା ୯୩ ପଇସା ଛୁଇଁଛି।
ଡଲାର ତୁଳନାରେ ଟଙ୍କାର କାରବାର ଆଜି ୬୮ ଟଙ୍କା ୪୨ ପଇସାରେ ଆରମ୍ଭ ହୋଇଥିଲା। କିନ୍ତୁ ପରବର୍ତୀ ପର୍ଯ୍ୟାୟରେ ଷ୍ଟକ ମାର୍କେଟ ନିମ୍ନମୁଖୀ ହେବା ସହିତ ଟଙ୍କା ମୂଲ୍ୟ ହ୍ରାସ ପାଇଥିଲା। ଏପରିକି ଅଳ୍ପ କିଛି ସମୟ ମଧ୍ୟରେ ୧ ଡଲାର ମୂଲ୍ୟ ୬୯ ଟଙ୍କା ୬୨ ପଇସାକୁ ଖସିଯାଇଥିଲା। ପରେ ଅବଶ୍ୟ ଟଙ୍କା ମୂଲ୍ୟରେ କିଛିଟା ସୁଧାର ଆସିଥିଲା। ତେବେ ମୁଦ୍ରା ବଜାରରେ ଡଲାରର ଚାହିଦା ମାତ୍ରାଧିକ ରହିବା ଫଳରେ ଟଙ୍କା ମୂଲ୍ୟ ସର୍ବକାଳୀନ ନିମ୍ନସ୍ତର ଅର୍ଥାତ୍‌ ୬୯ ଟଙ୍କା ୯୧ ପଇସାକୁ ଖସିଯାଇଥିଲା। ପୂର୍ବ କାରବାର ଦିବସ ତୁଳନାରେ ଟଙ୍କା ମୂଲ୍ୟ ଆଜି ଡଲାର ତୁଳନାରେ ୧୦୮ ପଇସା ବା ୧.୫୭% ହ୍ରାସ ଘଟି ୬୯ ଟଙ୍କା ୯୧ ପଇସାରେ ବନ୍ଦ ହୋଇଥିଲା। ଏସିଆର ଅନ୍ୟାନ୍ୟ ପ୍ରମୁଖ ଦେଶର ମୁଦ୍ରା ତୁଳନାରେ ଭାରତୀୟ ମୁଦ୍ରା ଟଙ୍କା ସବୁଠାରୁ ଦୁର୍ବଳ ରହିଛି। ଗତ ବର୍ଷକ ମଧ୍ୟରେ ଡଲାର ତୁଳନାରେ ଟଙ୍କା ୭ ପ୍ରତିଶତ ତଳକୁ ଖସିଗଲାଣି। ଗତ ପ୍ରାୟ ୫ ବର୍ଷ ମଧ୍ୟରେ ଡଲାର ତୁଳନାରେ ଟଙ୍କାର ସର୍ବାଧିକ ମୂଲ୍ୟ ହ୍ରାସ। ପୂର୍ବରୁ ୨୦୧୩ ସେପ୍ଟେମ୍ବର ୩ରେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୬୮ ଟଙ୍କା ୮୪ ପଇସାକୁ ଖସି ଯାଇଥିଲା।

ସମ୍ବନ୍ଧିତ ଖବର