ନୂଆଦିଲ୍ଲୀ: ରେଳବାଇ ୨୦୨୨-୨୩ ଆର୍ଥିକ ବର୍ଷରେ ରେକର୍ଡ ୨.୪୦ ଲକ୍ଷ କୋଟି ଟଙ୍କାର ରାଜସ୍ବ ହାସଲ କରିଛି। ୨୦୨୧-୨୨ ତୁଳନାରେ ରେଳବାଇ ୪୯ ହଜାର କୋଟି ଟଙ୍କା ଅଧିକ ଆୟ କରିଛି। ଯାତ୍ରୀ ପରିବହନରୁ ଏହା ୬୩,୩୦୦ କୋଟି ଟଙ୍କା ଏବଂ ମାଲ୍ ପରିବହନରୁ ୧.୬୨ ଲକ୍ଷ କୋଟି ଟଙ୍କା‌ ଆୟ କରିଛି। ଯାତ୍ରୀ ପରିବହନରୁ ସର୍ବକାଳୀନ ରେକର୍ଡ ଆୟ କରିଛି ରେଳବାଇ। ପୂର୍ବବର୍ଷ ତୁଳନାରେ ଏହି ଆୟରେ ୬୧ ପ୍ରତିଶତ ବୃଦ୍ଧି ହୋଇଛି। ମାଲ ଭଡ଼ା ରାଜସ୍ବରେ ମଧ୍ୟ ୧୫ ପ୍ରତିଶତ ବୃଦ୍ଧି ଘଟିଛି। ଆୟରୋ ବୃଦ୍ଧି ଓ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ଯୋଗୁଁ ରେଳବାଇର ପରିଚାଳନା ଅନୁପାତ ୯୮.୧୪ ପ୍ରତିଶତ ହୋଇଛି। ଅର୍ଥାତ ପ୍ରତି ୧୦୦ ଟଙ୍କା‌ ଆୟ ପାଇଁ ରେଳବାଇ ୯୮ ଟଙ୍କା ୧୪ ପଇସା ବ୍ୟୟ କରିଛି। ୨୦୨୧-୨୨ରେ ରେଳବାଇର ଯାତ୍ରୀ ପରିବହନ ରାଜସ୍ବ ୩୯,୨୧୪ କୋଟି ଟଙ୍କା ଥିଲା।

Advertisment

୨୦୨୨-୨୩ରେ ରେଳବାଇର ମୋଟ ପ୍ରାପ୍ୟ ୨,୩୯,୮୯୨ କୋଟି ଟଙ୍କା ଥିବା ବେଳେ ମୋଟ ବ୍ୟୟ ୨,୩୭,୩୭୫ କୋଟି ଟଙ୍କା ରହିଥିଲା। ନେଟ୍‌ୱର୍କ ଦକ୍ଷତାରେ ଉନ୍ନତି ଆଣିବା ଲାଗି ରେଳବାଇ ୧ ଲକ୍ଷ କୋଟି ଟଙ୍କା ନିବେଶ କରିଥିଲା। ଆଲୋଚ୍ୟ ଆର୍ଥିକ ବର୍ଷରେ ଏହା ରେକର୍ଡ ୫୨୪୩ କିମିର ନୂଆ ଲାଇନ୍ ଓ ଦୋହରୀକରଣ କାର୍ଯ୍ୟ ଶେଷ କରିଥିବା ବେଳେ ୬୬୫୭ କୋଟି ଟଙ୍କା ନିବେଶରେ ୬୫୬୫ କିମି ରେଳ ଧାରଣାର ବିଦ୍ୟୁତ୍‌କରଣ କରିଛି। ଧାରଣା, ପୋଲ ଆଦି ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ରେଳବାଇ ୨୫,୯୧୩ କୋଟି ଟଙ୍କା ବ୍ୟୟ କରିଛି।

‘ବନ୍ଦେ ଭାରତ’ ଟ୍ରେନ୍‌ର ହାରାହାରି ବେଗ ୮୩ କିମି
ଭାରତର ଦ୍ରୁତତମ ଟ୍ରେନ୍ ବନ୍ଦେ ଭାରତ ଏକ୍ସପ୍ରେସ୍‌ର ହାରାହାରି ବେଗ ହେଉଛି ଘଣ୍ଟା ପିଛା ୮୩ କିମି। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ଉତ୍ତରରୁ ଏହା ଜଣାପଡ଼ିଛି। ଘଣ୍ଟା ପିଛା ସର୍ବାଧିକ ୧୮୦ କିମି ବେଗରେ ଦୌଡ଼ିବାକୁ ଏହି ଟ୍ରେନ୍‌କୁ ତିଆରି କରାଯାଇଛି। ୨୦୨୧-୨୨ରେ ଏହି ଟ୍ରେନ୍‌ର ହାରାହାରି ବେଗ ୮୪.୪୮ କିମି ଥିଲା। ୨୦୨୨-୨୩ରେ ତାହା ୮୧.୩୮ କିମିକୁ ହ୍ରାସ ପାଇଛି। ଏହି ରିପୋର୍ଟ ଉପରେ ମତ ରଖି ରେଳବାଇର ଜଣେ ଅଧିକାରୀ କହିଛନ୍ତି ଯେ ସବୁ ସ୍ଥାନରେ ଟ୍ରାକ୍‌ର ସ୍ଥିତି ସମାନ ନଥିବାରୁ ବେଗରେ ତାରତମ୍ୟ ରହୁଛି।