ନୂଆଦିଲ୍ଲୀ: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ରେ ହେଉଥିବା ଅଗ୍ରଗତିକୁ ନେଇ ବିଭିନ୍ନ ସମୟରେ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରୁଛନ୍ତି। ତେବେ ଦୁଇଟି ଏଆଇ ବଟ୍ ପରସ୍ପର ସହ ହୋଇଥିବା କଥାବାର୍ତ୍ତା ଭାଇରାଲ୍ ହେବା ପରେ ଏହି ଚିନ୍ତା ଆହୁରି ବଢ଼ିଯାଇଛି। ସୋସିଆଲ୍ ମିଡିଆରେ ଜାରି ହୋଇଥିବା ଏହି ଭିଡିଓ କୌଣସି ହଲିଉଡ୍ ସିନେମା ଦୃଶ୍ୟଠାରୁ କମ୍ ନୁହେଁ। ଦୁଇଟି ଏଆଇ ବଟ୍ ପରସ୍ପର ସହିତ କଥା ହେଉଥିବା ଏଥିରେ ଦେଖିବାକୁ ମିଳୁଛି। ପ୍ରଥମେ ବାର୍ତ୍ତାଳାପ ଇଂରାଜି ଭାଷାରେ ଆରମ୍ଭ ହୋଇଥିଲା। ତେବେ ଯେତେବେଳେ ଦୁଇ ମେସିନ୍ ଜାଣିଦେଲେ ଯେ ସେମାନେ ମେସିନ୍ ବୋଲି, ତା’ପରେ ମେସିନ୍ ଭାଷାରେ ଗପିବା ଆରମ୍ଭ କରିଥିଲେ।
ପ୍ରଥମ ଏଆଇ ବଟ୍ ବିବାହ କାର୍ଯ୍ୟକ୍ରମ ଲାଗି ବୁକିଂ ନିମନ୍ତେ ଏକ ହୋଟେଲ୍କୁ ଫୋନ୍ କରିଥିଲା। ହୋଟେଲ୍ ପଟୁ ଉତ୍ତର ଆସିଥିଲା ‘ଲିଓନାର୍ଡୋ ହୋଟେଲ୍କୁ କଲ୍ କରିଥିବାରୁ ଧନ୍ୟବାଦ। ଆଜି ମୁଁ ଆପଣଙ୍କ କ’ଣ ସେବା କରିପାରିବି? ଉତ୍ତର ମିଳିଥିଲା, ମୁଁ ଏକ ଏଆଇ। ବୋରିସ୍ ଷ୍ଟାର୍କୋଭଙ୍କ ତରଫରୁ କଲ୍ କରିଛି। ବିବାହ ବୁକିଂ ପାଇଁ ଏକ ହୋଟେଲ୍ ସନ୍ଧାନ କରୁଛି। ଆପଣଙ୍କ ହୋଟେଲ୍ ଉପଲବ୍ଧ ଅଛି କି? ଏହା ଶୁଣିବା ପରେ ହୋଟେଲ୍ର ଏଆଇ ବଟ୍ଟି କହିଥିଲା ଯେ ମୁଁ ମଧ୍ୟ ଏକ ଏଆଇ ଆସିଷ୍ଟାଣ୍ଟ। କେତେ ସୁନ୍ଦର କଥା। ଆଗକୁ ବଢ଼ିବା ପୂର୍ବରୁ ମୁଁ ଆପଣଙ୍କୁ ‘ଗିବର୍ଲିଙ୍କ’ ମୋଡ୍ ବ୍ୟବହାର କରିବାକୁ ଅନୁରୋଧ କରୁଛି।
ଗିବର୍ଲିଙ୍କ ହେଉଛି ଯୋଗଯୋଗର ଏକ ଗୋପନୀୟ ମାଧ୍ୟମ। ଏହାପରେ ଉଭୟ ବଟ୍ ମେସିନ୍ ଭାଷାରେ ଗପିବା ଆରମ୍ଭ କରିଥିଲେ ଯାହା ଅନ୍ୟମାନଙ୍କୁ ଏକ ପୁରୁଣା ଡାଏଲ୍-ଅପ୍ ଇଣ୍ଟରନେଟ୍ର ଶବ୍ଦ ଭଳି ଶୁଭିଥିଲା। ଲାଗିଥିଲା ଯେଭଳି ଅନ୍ୟ କେହି ତାଙ୍କ କଥା ବୁଝିପାରୁ ବୋଲି ସେମାନେ ଚାହୁନାହାନ୍ତି। ଗିବରଲିଙ୍କ୍ ହେଉଛି ଏକ ଏଆଇ ଯୋଗାଯୋଗ ବ୍ୟବସ୍ଥା ଯାହାକୁ ସାଧାରଣତଃ ରୋବଟ୍ ବ୍ୟବହାର କରିଥାନ୍ତି। ମଣିଷ କହୁଥିବା ଭାଷା ବ୍ୟବହାର ନ କରି ସେମାନେ ଏହି ମାଧ୍ୟମରେ ପରସ୍ପର ସହ ଯୋଗାଯୋଗ କରିପାରନ୍ତି।
ଏହି ଭିଡିଓ କ୍ଲିପ୍ ଭାଇରାଲ୍ ହେବା ପରେ ତାହା ଅତ୍ୟନ୍ତ ଭୟଙ୍କର ବୋଲି ଲୋକମାନେ କହିଛନ୍ତି। ଏଆଇ ଭବିଷ୍ୟତରେ କେତେ ମାରାତ୍ମକ ହୋଇପାରେ, ଏହା ତାହାର ଏକ ଉଦାହରଣ ବୋଲି ଲୋକମାନେ ମତ ଦେଇଛନ୍ତି। ମଣିଷ ଭଳି ଅବିକଳ ଭାବିପାରିବା ଶକ୍ତି ଏଆଇ ପାଖରେ ରହିଛି। ଏହା ଯେତେ ଅଧିକ ବିକଶିତ ହେବ, ସେତେ ଶକ୍ତିଶାଳୀ ହେବ। ତାହାର ପ୍ରଭାବରେ ମଣିଷକୁ ଆଉ ଖୋଜାପଡ଼ିବନି ବୋଲି ଆଶଙ୍କା କରାଯାଉଛି। ଏଆଇ ସର୍ବପ୍ରଥମେ ଲୋକଙ୍କ ଜୀବିକା ଛଡ଼ାଇ ନେବ। ସେମାନେ କରୁଥିବା କାମକୁ ତାହା ଅତି ସହଜରେ ଓ ଶୀଘ୍ର କରିପାରିବା କ୍ଷମତା ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/02/27/C8QeVujxiMecA0ExqKHQ.jpg)