ଭୁବନେଶ୍ବର: ଫ୍ରାନ୍ସର ଲିୟନ୍ ସହ‌ରରେ ଅନୁଷ୍ଠିତ ୪୭ତମ ୱାର୍ଲଡ୍‌ସ୍କିଲ୍‌ସ ପ୍ରତିଯୋଗିତା ୨୦୨୪ ଉଦ୍‌ଯାପିତ ହୋଇଯାଇଛି। ଏଥିରେ ଓଡ଼ିଶାର ପ୍ରତିଯୋଗୀ ଦୁଇଟି ପୁରସ୍କାର ହାସଲ କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ସିଟିଟିସିରେ ମେକାଟ୍ରୋନିକ୍ସରେ ଡିପ୍ଲୋମା ପଢ଼ୁଥିବା ଛାତ୍ର ଅମରେଶ ସାହୁ ଅକ୍ଷୟ ଶକ୍ତି ବର୍ଗରେ ବ୍ରୋଞ୍ଜ ମେଡାଲ୍ ପାଇଥିବା ବେଳେ ସିଭି ରମଣ ଗ୍ଲୋବାଲ୍ ବିଶ୍ବବିଦ୍ୟାଳୟର ବି. ଟେକ୍ (ସିଭିଲ ଇଞ୍ଜିନିୟରିଂ) ଛାତ୍ର ଗେଡେଲା ଅଖିଳ ଜଳ ପ୍ରଯୁକ୍ତିରେ ‘ମେଡାଲିୟନ୍ ଫର ଏକ୍ସଲେନ୍ସ’ ହାସଲ କରି ଓଡ଼ିଶାକୁ ବିଶ୍ବ ମଞ୍ଚରେ ଗର୍ବିତ କରିଛନ୍ତି। ଉଭୟ ବିଜେତାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି।

Advertisment

ବିଜେତାମାନଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ ୱାର୍ଲଡ୍‌ସ୍କିଲ୍‌ସ ପ୍ରତିଯୋଗିତାରେ ଆମ ଦକ୍ଷ ଯୁବବର୍ଗଙ୍କ ସଫଳତା ଓଡ଼ିଶା ପାଇଁ ଗୌରବ ଆଣିଛି। ବିଶ୍ବ ମାନଦଣ୍ଡ ପୂରଣ କରିବା ଭଳି ଯୁବ ପ୍ରତିଭା ଓ ଦକ୍ଷତା ବିକାଶ ପ୍ରତି ରାଜ୍ୟର ପ୍ରତିବଦ୍ଧତାକୁ ସେମାନଙ୍କ ସଫଳତା ପ୍ରତିଫଳିତ କରୁଛି ବୋଲି ସେ କହିଛନ୍ତି। ସେମାନଙ୍କ ସଫଳତାରେ ତାଲିମ ପ୍ରଦାନ କରିଥିବା ଅନୁଷ୍ଠାନ ଯଥା ୱାର୍ଲଡ୍‌ ସ୍କିଲ୍‌ ସେଣ୍ଟର, ସିଟିଟିସି ଓ ସିଭି ରମଣ ଗ୍ଲୋବାଲ୍ ବିଶ୍ବବିଦ୍ୟାଳୟର ଗୁରୁତ୍ବପୂର୍ଣ୍ଣ ଭୂମିକା ଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଶ୍ରୀ ସାହୁଙ୍କୁ ଭିଏତ୍‌ନାମରେ ଓ ଅଖିଳଙ୍କୁ ଦକ୍ଷିଣ ଆଫ୍ରିକାରେ ସ୍ବତନ୍ତ୍ର ପ୍ରଶିକ୍ଷଣ ଓ ମେଣ୍ଟରିଂ ସହାୟତା ମିଳିଥିଲା। ସେହିପରି, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି ଯେ ସ୍କିଲ୍‌ଡ ଇନ୍ ଓଡ଼ିଶା ଏବଂ ଆମ ଯୁବବର୍ଗଙ୍କ ଦକ୍ଷତାକୁ ଶାଣିତ କରିବା ଉପରେ ଆମେ ଦେଇଥିବା ଗୁରୁତ୍ବ ସେମାନଙ୍କୁ ବିଶ୍ବମଞ୍ଚରେ ଚମକିବାରେ ସହାୟକ ହୋଇଥିବା ଜାଣି ବହୁତ ଖୁସି ଲାଗୁଛି। ୱାର୍ଲଡ୍‌ସ୍କିଲ୍‌ସ ୨୦୨୪ ପ୍ରତିଯୋଗିତାରେ ପ୍ରାୟ ୬୦ ଦେଶର ୧୪୦୦ରୁ ଅଧିକ ପ୍ରତିଯୋଗୀ ଭାଗ ନେଇ ମାନୁଫାକ୍‌ଚରିଂ, ପ୍ରଯୁକ୍ତି ଓ ସେବା ଭଳି ବର୍ଗରେ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ଭାରତର ଏକ ୬୦ ଜଣିଆ ପ୍ରତିଯୋଗୀ ଦଳ ସେଥିରେ ଭାଗ ନେଇଥିବା ବେଳେ ତାଙ୍କ ମଧ୍ୟରୁ ସର୍ବାଧିକ ୧୫ ଜଣ ପ୍ରତିଯୋଗୀ ଓଡ଼ିଶାର ଥ‌ିଲେ। ଦକ୍ଷତା କ୍ଷେତ୍ରର ଅଲିମ୍ପିକ୍ ଭାବେ ପରିଚିତ ୱାର୍ଲଡସ୍କିଲ୍‌ସରେ ଅଂଶଗ୍ରହଣ କରିବା ବେଶ୍ କଠିନ। ତିନି ସ୍ତରୀୟ ଅନୁଶୀଳନ ପର୍ଯ୍ୟାୟ ଅତିକ୍ରମ୍‌ କରିବା ପରେ ସେଥିରେ ଭାଗ ନେବାର ସୁଯୋଗ ମିଳିଥାଏ। 

ରାଜ୍ୟ ପାଇଁ ଗୌରବ ଆଣିଲେ ଅମରେଶ, ଅଖିଳ
ମୁଖ୍ୟମନ୍ତ୍ରୀ, ନବୀନଙ୍କ ଅଭିନନ୍ଦନ

ୱାର୍ଲଡ୍‌ସ୍କିଲ୍‌ସ ୨୦୨୪ ପ୍ରତିଯୋଗିତାରେ ଚୀନ୍ ସର୍ବାଧିକ ସ୍ବର୍ଣ୍ଣ ପଦକ ଜିତି ଶୀର୍ଷ ସ୍ଥାନ ହାସଲ କରିଥିବା ବେଳେ ଦ୍ବିତୀୟରେ କୋରିଆ ଓ ତୃତୀୟ ସ୍ଥାନରେ ସ୍ବିଜରଲ୍ୟାଣ୍ଡ ରହିଛି। ଲିୟନ୍‌ର ଓ ଏଲ୍‌ ଷ୍ଟାଡିୟମ୍‌ରେ ଆୟୋଜିତ ଏକ ଭବ୍ୟ ସମାରୋହରେ ବିଜେତାମାନଙ୍କୁ ପୁରସ୍କୃତ କରାଯାଇଥିଲା। ଭାରତ ୪ଟି ବର୍ଗରେ ବ୍ରୋଞ୍ଜ, ୧୨ଟି ବର୍ଗରେ ମେଡାଲିୟନ୍ ଅଫ୍ ଏକ୍ସଲେନ୍ସ ହାସଲ କରି ୩୬ତମ ସ୍ଥାନରେ ରହିଛି। ଉଦ୍‌ଯାପନୀ ସମାରୋହରେ ଭାରତୀୟ ଦର୍ଶକମାନେ ତ୍ରିରଙ୍ଗା ଧରି ପ୍ରତିଯୋଗୀମାନଙ୍କୁ ସ୍ବାଗତ ଓ ଉତ୍ସାହିତ କରିଥିଲେ। ୱାର୍ଲଡ୍‌ସ୍କିଲ୍‌ସର ୪୮ତମ ସଂସ୍କରଣକୁ ୨୦୨୬ରେ ସାଂଘାଇରେ ଆୟୋଜନ କରାଯିବ। ସେଥିପାଇଁ ଭାରତୀୟ ପ୍ରତିଯୋଗୀମାନେ ଏବେଠାରୁ ପ୍ରସ୍ତୁତ ହେବେ ବୋଲି ଆଶା କରାଯାଉଛି। ଭାରତ ସରକାରଙ୍କ ଦକ୍ଷତା ବିକାଶ ବିଭାଗ ଏଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛି।