ଆୟକର ଦିଅନ୍ତି ୨ କୋଟି ଲୋକ

ନୂଆଦିଲ୍ଲୀ: ଦେଶରେ ଆୟକର ରିଟର୍ଣ୍ଣ ଦାଖଲ କରୁଥିବା ବ୍ୟକ୍ତିଙ୍କ ମଧ୍ୟରୁ ପ୍ରାୟ ପାଖାପାଖି ଅଧାଅଧି ଲୋକ ଟଙ୍କାଟେ ଟିକସ ପ୍ରଦାନ କରନ୍ତି ନାହିଁ। ଆୟକର ବିଭାଗର ରିପୋର୍ଟରୁ ଏହି ତଥ୍ୟ ଏବେ ପଦାକୁ ଆସିଛି। ୨୦୧୪-୧୫ ଆର୍ଥିକ ବର୍ଷରେ ମୋଟ ୪ କୋଟି ୧୦ ଲକ୍ଷ ଭାରତୀୟ ଆୟକର ରିଟର୍ଣ୍ଣ ଦାଖଲ କରିଥିବାବେଳେ ଏମାନଙ୍କ ମଧ୍ୟରୁ ମାତ୍ର ୨ କୋଟି ରିଟର୍ଣ୍ଣ ଦାଖଲକାରୀ ସେମାନଙ୍କ ଟିକସଯୋଗ୍ୟ ଆୟ ଶୂନ ବୋଲି ଘୋଷଣା କରିଛନ୍ତି। ଦେଶର ଜନସଂଖ୍ୟାକୁ ହିସାବକୁ ନେଲେ କେବଳ ୩ ପ୍ରତିଶତ(୪.୧ କୋଟି) ଭାରତୀୟ ଉକ୍ତ ବର୍ଷ ଆୟକର ରିଟର୍ଣ୍ଣ ଦାଖଲ କରିଛନ୍ତି। ତେବେ କେବଳ ୧.୬ ପ୍ରତିଶତ ଭାରତୀୟ ବସ୍ତୁତଃ ଆୟକର ପ୍ରଦାନ କରିଥାନ୍ତି।

ଏତଦ୍‌ବ୍ୟତୀତ ଟିକସ ପ୍ରଦାନ କରୁଥିବା ୨ କୋଟି ୧୦ ଲକ୍ଷ ଭାରତୀୟ ବାର୍ଷିକ ହାରାହାରି ୪୨,୪୫୬ ଟଙ୍କାର ଆୟକର ପ୍ରଦାନ କରିଛନ୍ତି। କେବଳ ୧ କୋଟି ଭାରତୀୟ ୧ ଲକ୍ଷ ଟଙ୍କା ଲେଖାଏଁରୁ ଅଧିକ ଆୟକର ପ୍ରଦାନ କରିଛନ୍ତି ବୋଲି ଜଣାଯାଇଛି। ରିପୋର୍ଟରୁ ଅନ୍ୟ ଏକ ବିଷୟ ମଧ୍ୟ ପଦାକୁ ଆସିଛି। ତାହା ହେଲା ଦେଶରେ ସବୁଠୁ ଅଧିକ ଟିକସ ପ୍ରଦାନ କରୁଥିବା ତାଲିକାର ଶୀର୍ଷରେ ମହାରାଷ୍ଟ୍ର ରହିଛି। ୨୦୧୬-୧୭ ଆର୍ଥିକ ବର୍ଷ ପାଇଁ ସମଗ୍ର ଦେଶରେ ଆଦାୟ ହୋଇଥିବା ମୋଟ ଆୟକର ରାଜସ୍ୱରେ ମହାରାଷ୍ଟ୍ରର ଯୋଗଦାନ ୩୭ ପ୍ରତିଶତ ରହିଛି।

ସମ୍ବନ୍ଧିତ ଖବର