ନୂଆଦିଲ୍ଲୀ: ଖଣିଜ ରୟାଲ୍‌ଟିକୁ ନେଇ ସୁପ୍ରିମ‌୍‌କୋର୍ଟ ଦେଇଥିବା ରାୟ ଖଣି କମ୍ପାନିଗୁଡ଼ିକ ଲାଗି ଏକ ବହୁତ ବଡ଼ ଆର୍ଥିକ ଧକ୍କା ହେବାକୁ ଯାଉଛି। ଏକ ଆକଳନ ଅନୁସାରେ ରାୟ ଲାଗୁ ହେଲେ ଖଣି କମ୍ପାନିଗୁଡ଼ିକୁ ୨ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ରୟାଲ୍‌ଟି ଦେବାକୁ ପଡ଼ିବ। କେବଳ ଖଣି କମ୍ପାନି ନୁହେଁ, ଇସ୍ପାତ, ଶକ୍ତି ଓ କୋଇଲା କ୍ଷେତ୍ରର କମ୍ପାନିଗୁଡ଼ିକ ମଧ୍ୟ ଏହି ରାୟ ଦ୍ବାରା ପ୍ରଭାବିତ ହେବେ। ସେମାନଙ୍କ ଭବିଷ୍ୟତ ପୁଞ୍ଜିନିବେଶ ଗୁରୁତର ଭାବେ ପ୍ରଭାବିତ ହେବା ଆଶଙ୍କା ରହିଛି। ବୁଧବାର ସୁପ୍ରିମ୍‌କୋର୍ଟଙ୍କ ରାୟ ପ୍ରକାଶ ପାଇବା ପରେ ଷ୍ଟକ୍ ବଜାରରେ ହିନ୍ଦୁସ୍ତାନ ଜିଙ୍କ, ଏନ୍‌ଏମ୍‌ଡିସି, କୋଲ୍‌ ଇଣ୍ଡିଆ, ସେଲ୍‌, ଟାଟା ଷ୍ଟିଲ୍‌ ଆଦିର ସେୟାର ମୂଲ୍ୟ ହ୍ରାସ ପାଇଥିଲା।

Advertisment

ସୁପ୍ରିମ୍‌କୋର୍ଟଙ୍କ ରୟାଲ୍‌ଟି ରାୟକୁ ନେଇ ଭାରତୀୟ ଖଣିଜ ଶିଳ୍ପ ମହାସଂଘ (ଫିମି) ଚିନ୍ତା ପ୍ରକଟ କରିଛି। ଭାରତରେ ଖଣି ଶିଳ୍ପ ଉପରେ ଲାଗୁ ହୋଇଥିବା ଟିକସ ସମଗ୍ର ବିଶ୍ବରେ ସର୍ବାଧିକ ଥିବା ବେଳେ ଏହି ରାୟ ଶିଳ୍ପକୁ ଗୁରୁତର ଭାବେ ପ୍ରଭାବିତ କରିବ। ଓଡ଼ିଶା ଓ ଝାଡ଼ଖଣ୍ଡରେ ଥିବା ଖଣିଗୁଡ଼ିକ ଅଧିକ ପ୍ରଭାବିତ ହେବେ ବୋଲି ମହାସଂଘର ଅତିରିକ୍ତ ସାଧାରଣ ସଚିବ ବି କେ ଭାଟିଆ କହିଛନ୍ତି। ସେ କହିଛନ୍ତି ଯେ ରାୟ ପ୍ରଭାବ ଖଣିଜ ସମ୍ପଦ ସହ ଜଡ଼ିତ ସବୁ ଶିଳ୍ପ ଉପରେ ପଡ଼ିବ। ଏହାର ପ୍ରଭାବରେ ଚୂଡ଼ାନ୍ତ ଉତ୍ପାଦ ମୂଲ୍ୟ ମଧ୍ୟ ବଢ଼ିବ। ତେଣୁ ରାୟକୁ ବଦଳାଇବା ଲାଗି ଏକ ଆଇନ ଆଣିବାକୁ ମହାସଂଘ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି। ଏହି ମାମଲାରେ ପୂର୍ବରୁ ହୋଇଥିବା ଶୁଣାଣି ବେଳେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ ଯେ ରାୟ ଲାଗୁ କଲେ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକୁ ୭୦ ହଜାର କୋଟି ଟଙ୍କା ଗଣିବାକୁ ପଡ଼ିବ। ଓଡ଼ିଶାରେ ୧୦ଟି ଖଣି ଥିବା ଟାଟା ଷ୍ଟିଲ୍‌କୁ ୧୭ ହଜାର କୋଟି ଟଙ୍କା ଗଣିବାକୁ ପଡ଼ିପାରେ ବୋଲି ପୂର୍ବରୁ ଆକଳନ କରାଯାଇଥିଲା।