କରୋନା ପ୍ରଭାବ: ୨ଲକ୍ଷ କୋଟି ଡଲାର ଉଡ଼ିଯିବ, ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀ ବିକ୍ରି ପ୍ରଭାବିତ

ନୂଆଦିଲ୍ଲୀ: ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଦ୍ବାରା ବିଶ୍ବ ମହାମାରୀ ଘୋଷଣା ହୋଇ ସାରିଥିବା କରୋନା ଦୁନିଆର ଅର୍ଥନୀତିକୁ ବିପୁଳ ମାତ୍ରାରେ ପ୍ରଭାବିତ କରିବ। ୨୦୨୦ରେ କରୋନା ଯୋଗୁଁ ବିଶ୍ବ ଅର୍ଥନୀତିକୁ ୧ରୁ ୨ ଲକ୍ଷ କୋଟି ଡଲାର ମୂଲ୍ୟର କ୍ଷତି ପହଞ୍ଚିବ ବୋଲି ଜାତିସଂଘର ବାଣିଜ୍ୟ ଏବଂ ବିକାଶ ସମ୍ମିଳନୀ (ଅଙ୍କଟାଡ୍‌) ଆକଳନ କରିଛି। ଭାରତ ଉପରେ ନିର୍ଦ୍ଦି‌ଷ୍ଟ ଭାବେ କରୋନାର ପ୍ରଭାବ କେତେ ରହିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନଥିଲେ ମଧ୍ୟ କେଉଁ କ୍ଷେତ୍ର ଉପରେ କେତେ ପ୍ରଭାବ ପକାଇବ ତାହାର ଏକ ସମ୍ଭାବ୍ୟ ଚିତ୍ର ଏଠାରେ ଦିଆଯାଇଛି

ବାତିଲ ହେଉଛି ବିମାନ ଉଡ଼ାଣ
କରେନା ଭାଇରସ୍‌ ଯେଭଳି ଅଧିକ ନବ୍ୟାପେ ସେଥିପାଇଁ ସର୍ତକତାମୂଳକ ପଦକ୍ଷେପ ସରକାର ନେଉଛନ୍ତି। ଗତ ୧୨ ତାରିଖରେ ସରକାର ସମସ୍ତ ପ୍ରକାର ଭିସାକୁ ମାସେ ପାଇଁ ବନ୍ଦ କରିଦେଇଛନ୍ତି। ଏଥିଯୋଗୁଁ ବିମାନସେବା ପ୍ରଦାନକାରୀ କମ୍ପାନି ଗୁଡ଼ିକର ଚିନ୍ତା ବଢ଼ିଯାଇଛି। ମାର୍ଚ୍ଚ ୬ ତାରିଖ ସୁଦ୍ଧା, ଭାରତର ଘରୋଇ ବିମାନସେବା ପ୍ରଦାନକାରୀ କମ୍ପାନି ଗୁଡ଼ିକ ୯୩ଟି ଅନ୍ତର୍ଜାତୀୟ ଉଡ଼ାଣକୁ ବାତିଲ କରିଥିଲାବେଳେ ଅନ୍ତର୍ଜାତୀୟ ବିମାନସେବା ପ୍ରଦାନକାରୀ କମ୍ପାନି ଗୁଡ଼ିକ ୪୯୨ଟି ଉଡ଼ାଣ ବାତିଲ କରିଛନ୍ତି। ତେଣୁ ବିମାନ ସେବା ପ୍ରଦାନକାରୀ କମ୍ପାନି ଗୁଡ଼ିକ ୫୮୫ଟି ଉଡ଼ାଣ ବାତିଲ କରିଛନ୍ତି ବୋଲି ଲୋକସଭାରେ ଉପସ୍ଥାପିତ ତଥ୍ୟରୁ ଜଣାଯାଇଛି। ଦେଶରେ ଦିନକୁ ଦିନ ‌କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଦେଶ ଭିତରେ ମଧ୍ୟ ଯାତ୍ରୀମାନେ ଗୋଟିଏ ସହରରୁ ଅନ୍ୟ ସହରକୁ ଯାତ୍ରା କରିବାକୁ ପଛଘୁଞ୍ଚା ଦେଉଛନ୍ତି। ଏହା ଜାରି ରହିଲେ ଆଗାମୀ କିଛି ସପ୍ତାହ ପାଇଁ ଘରୋଇ ବିମାନଯାତ୍ରୀଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇବ ବୋଲି କାପା ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ କପିଲ କୌଲ କହିଛନ୍ତି। ଦେଶର ସର୍ବବୃହତ୍ ଏୟାରଲାଇନ୍ସ ଇଣ୍ଡିଗୋର ଦୈନିକ ବୁକିଂ ୧୫ରୁ ୨୦ ପ୍ରତିଶତ ହ୍ରାସ ପାଇଛି।

ରେସ୍ତୋରାଁରେ‌ ଟେବୁଲ୍‌ ଫାଙ୍କା
କମ୍ପାନି ଗୁଡ଼ିକ ସେମାନଙ୍କ ଅଧିକାରୀଙ୍କ ଯାତ୍ରାକୁ ବାତିଲ କରୁଥିବାରୁ ପ୍ରମୁଖ ସହରର ହୋଟେଲ ଗୁଡ଼ିକର ରୁମ୍ ଖାଲି ରହୁଛି। ହୋଟେଲ ଗୁଡ଼ିକର ହାରାହାରି ଅକୁପାନ୍ସି ୭୦-୭୫ ପ୍ରତିଶତରୁ ୨୦ ପ୍ରତିଶତକୁ କମିପାରେ ବୋଲି ପୋଷ୍ଟକାର୍ଡ ହୋଟେଲ୍ସ ଆଣ୍ଡ୍ ରିସର୍ଟସର ପ୍ରତିଷ୍ଠାତା ତଥା ସିଇଓ କପିଲ ଚୋପ୍ରା କହିଛନ୍ତି। ଲୋକମାନେ ଅଧିକ ସଚେତନ ହେଉଥିବାରୁ ଗତ କିଛିଦିନ ହେଲା ରେସ୍ତୋରାଁ ବ୍ୟବସାୟ ୩୦ରୁ ୩୫ ପ୍ରତିଶତ ହ୍ରାସ ପାଇଛି। ମଲ୍‌ରେ ଥିବା ରେସ୍ତୋରାଁ ଗୁଡ଼ିକର ବ୍ୟବସାୟ ଅଧିକ କମିଛି ବୋଲି ଭାରତୀୟ ରେସ୍ତୋରାଁ ସଂଘର ସଭାପତି ଅନୁରାଗ କଟ୍ରିଆର୍ କହିଛନ୍ତି। କେତେକ ରାଜ୍ୟରେ ସିନେମା ହଲ୍ ବ୍ୟବସାୟ ବନ୍ଦ ନିର୍ଦ୍ଦେଶ ଦିଆଯାଇଥିବାରୁ ଏହି ବ୍ୟବସାୟ ମଧ୍ୟ ଠପ୍ ହୋଇଯାଇଛି।

ପୋଷାକ ରପ୍ତାନି ପ୍ରାୟ ଠପ୍‌
୨୦୧୮-୧୯ ଆର୍ଥିକ ବର୍ଷରେ ଭାରତ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପୋଷାକ ରପ୍ତାନି କରିଥିଲା। ଭାରତୀୟ ପୋଷାକ ନିର୍ମାତାଙ୍କର ମୋଟ ରାଜସ୍ବର ୬୦ ପ୍ରତିଶତ ରପ୍ତାନି ମାଧ୍ୟମରେ ଆସିଥାଏ। ‌ଭାରତୀୟ ପୋଷାକ ରପ୍ତାନିକାରୀମାନେ କେବଳ ୟୁରୋପକୁ ସେମାନଙ୍କ ମୋଟ ରପ୍ତାନିର ଏକ ତୃତୀୟାଂଶ ବା ପାଖାପାଖି ୩୫ ପ୍ରତିଶତ ପୋଷାକ ରପ୍ତାନି କରିଥାନ୍ତି। ଏବେ ୟୁରୋପରେ କରୋନାର ତାଣ୍ଡବ ଚାଲିଥିବାରୁ ସେଠାରୁ ନୂଆ ଆଦେଶ ଆସିବା ବନ୍ଦ ହେବା ଆଶଙ୍କା ରହିଛି। ଏଥିସହିତ ଘରୋଇ ବଜାରରେ ମଧ୍ୟ କରୋନା ପାଇଁ ପୋଷାକ ବିକ୍ରି ପ୍ରଭାବିତ ହୋଇଛି।

ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀ ବିକ୍ରି ପ୍ରଭାବିତ
ଚୀନରେ ଦୀର୍ଘସ୍ଥାୟୀ ଉପଭୋକ୍ତା ସାମଗ୍ରୀର ଉତ୍ପାଦନ ପୁଣି ଆରମ୍ଭ ହୋଇଥିଲେ ମଧ୍ୟ ଭାରତରେ ଏବେ କରୋନା ବ୍ୟାପୁଥିବାରୁ ଏସବୁ ସାମଗ୍ରୀର ବିକ୍ରି ଉପରେ ଏହାର ପ୍ରଭାବ ପଡ଼ିଛି। କରୋନାରେ ଆକ୍ରାନ୍ତ ହେବା ଭୟରେ ଲୋକମାନେ ସୋ’ରୁମ୍‌କୁ କମ୍ ସଂଖ୍ୟାରେ ଆସିବା ଆଶଙ୍କା ରହିଛି ବୋଲି କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ ଆଣ୍ଡ ଆପ୍ଲାଏନ୍‌ସେସ୍ ମ୍ୟାନୁଫାକ୍‌ଚର୍ସ ଆସୋସିଏସନ୍‌ର ସଭାପତି କମଳ ନନ୍ଦି କହିଛନ୍ତି। କ୍ରିସିଲର ରିପୋର୍ଟ ଅନୁଯାୟୀ ଭାରତ ଚୀନରୁ ପ୍ରାୟ ୪୫ ପ୍ରତିଶତ ଦୀର୍ଘସ୍ଥାୟୀ ଉପଭୋକ୍ତା ସାମଗ୍ରୀ ଆମଦାନି କରିଥାଏ। ସେସହିଭଳି ଜାନୁଆରି-ମାର୍ଚ୍ଚ ତ୍ରୟମାସରେ ଭାରତର ମୋବାଇଲ ଫୋନ୍ ଆମଦାନି ୧୫ ପ୍ରତିଶତ ହ୍ରାସ ପାଇବା ସମ୍ଭାବନା ଅଛି ବୋଲି କାଉଣ୍ଟରପଏଣ୍ଟ ରିସର୍ଚ୍ଚ ପକ୍ଷରୁ କୁହାଯାଇଛି।

ଚିକେନ୍‌ରୁ ମୁହଁ ଫେରାଉଛନ୍ତି ଗ୍ରାହକ
‌କରୋନା ଭାଇରସ୍ ବ୍ୟାପିବା ପରେ ସୋସିଆଲ ମିଡିଆରେ ବିଭିନ୍ନ ଗୁଜବ ପ୍ରଚାରିତ ହେଲା। ଏହି ଗୁଜବ ଦେଶର ଚିକେନ୍ ବ୍ୟବସାୟକୁ ଗୁରୁତର ପ୍ରଭାବିତ କରିଛି। ଚିକେନ୍ ଚାହିଦା ୩୦ ପ୍ରତିଶତ କମିଯାଇଛି। ଚାଷୀମାନେ ଚିକେନ୍ ବଢ଼ାଇବା ପାଇଁ ହେଉଥିବା ଖର୍ଚ୍ଚର ଏକ ତୃତୀୟାଂଶ ଦର, ଏପରିକି କିଲୋ ୩୦ ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ବୋଲି ସୁଗୁନା ଫୁଡ୍‌ସର ଅଧ୍ୟକ୍ଷ ବି ସୌନ୍ଦରାଜନ୍ କହିଛନ୍ତି। ଚିକେନ୍ ମାଧ୍ୟମରେ କରୋନା ବ୍ୟାପୁନାହିଁ ବୋଲି ଖାଦ୍ୟ ସୁରକ୍ଷା ନିୟାମକ କହୁଥିଲେ ମଧ୍ୟ ୮୦ ହଜାର କୋଟି ଟଙ୍କାର ଏହି ଶିଳ୍ପରେ ସ୍ବାଭାବିକ ଅବସ୍ଥା ଫେରିବାକୁ ଆଉ କିଛି ସପ୍ତାହ ଲାଗିବ ବୋଲି ଅନୁମାନ କରାଯାଉଛି।

ସାମୁଦ୍ରିକ ଖାଦ୍ୟ ରପ୍ତାନିକାରୀ ଚିନ୍ତାରେ
୨୦୧୮-୧୯ ଆର୍ଥିକ ବର୍ଷରେ ଭାରତ ୪୬,୬୦୦ କୋଟି ଟଙ୍କାର ସାମୁଦ୍ରିକ ଖାଦ୍ୟ ସାମଗ୍ରୀ ବିଦେଶକୁ ରପ୍ତାନି କରିଥିଲା। ଭାରତର ସାମୁଦ୍ରିକ ଖାଦ୍ୟ ରପ୍ତାନିକାରୀଙ୍କ ପାଇଁ ଆମେରିକା, ୟୁରୋପୀୟ ସଂଘ ସମେତ ଚୀନ୍ ‌ପ୍ରମୁଖ ବଜାର ରହିଆସିଛି। ଚୀନରେ ଏବେ କରୋନା ନିୟନ୍ତ୍ରିତ ହୋଇ ଆସୁଥିଲେ ମଧ୍ୟ ଆମେରିକା ଏବଂ ୟୁରୋପୀୟ ସଂଘର ସ୍ଥିତି ଆଗାମୀ ଦିନରେ କେତେମାତ୍ରାରେ ପ୍ରଭାବିତ ହେବ ତାହା ସ୍ପଷ୍ଟ ହୋଇନାହିଁ। ତେଣୁ ସାମୁଦ୍ରିକ ଖାଦ୍ୟ ରପ୍ତାନିକାରୀ ମାନେ ଏବେ ଚିନ୍ତାରେ ଅଛନ୍ତି।

୨୦୦୮ ମାନ୍ଦାବସ୍ଥାକୁ ଟପିଯିବ
ସିଙ୍ଗାପୁର: କରୋନା ଭାଇରସ୍ ଏବେ ବିଶ୍ବର ଅଧିକାଂଶ ଦେଶକୁ ପ୍ରଭାବିତ କଲାଣି। ଏଥିଯୋଗୁ ସାଧାରଣ ଜୀବନ ଯାତ୍ରାଠାରୁ ଆରମ୍ଭ କରି ଅର୍ଥନୈତିକ କାର୍ଯ୍ୟକଳାପ ସାଂଘାତିକ ମାତ୍ରାରେ ପ୍ରଭାବିତ ହେଲାଣି। ଏପରିକି ୨୦୦୮ରେ ଯେଉଁ ଆର୍ଥିକ ସଙ୍କଟ ଦେଖାଦେଇଥିଲା ତାହା ତୁଳନାରେ ବର୍ତ୍ତମାନ ଦେଖାଦେଇଥିବା କରୋନା ପ୍ରଭାବରେ ଅର୍ଥନୀତି ଅଧିକ କ୍ଷତିଗ୍ରସ୍ଥ ହେବ। ମାନ୍ଦାବସ୍ଥା ୨୦୦୮ ତୁଳନାରେ ଅଧିକ ଦିନ ଜାରି ରହିବ ବୋଲି ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି ସିଏନ୍ ଲୁଙ୍ଗ୍ କହିଛନ୍ତି। ଏପରିକି ମହାମାରୀ ପରେ ମଧ୍ୟ ଏହି ଅବସ୍ଥା ଜାରି ରହିବ ବୋଲି ସେ କହିଛନ୍ତି। ଏସିଆର ଟ୍ରାଭେଲ ହବ୍ ଭାବେ ପରିଚିତ ସିଙ୍ଗାପୁରରେ ଏବେ କରୋନାରେ ୨୦୦ ଜଣ ଆକ୍ରାନ୍ତ ହୋଇଛନ୍ତି। କରୋନା ପାଇଁ ଚଳିତବର୍ଷ ଅର୍ଥନୀତିରେ ମାନ୍ଦାବସ୍ଥା ଦେଖାଦେବ ବୋଲି ସେ ଆଶଙ୍କା ବ୍ୟକ୍ତ କରିଛନ୍ତି। କରୋନା ମହାମାରୀ ଆସନ୍ତାବର୍ଷ ପର୍ଯ୍ୟନ୍ତ ମଧ୍ୟ ଜାରି ରହିପାରେ‌ ବୋଲି ସେ କହିଛନ୍ତି। ଏଥିପାଇଁ ସେ ସିଙ୍ଗାପୁରର ଅଭିବୃଦ୍ଧି ଆକଳନକୁ ମଧ୍ୟ କମାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର