ରାଜ୍ୟରେ ‘ଓସ୍‌ମେ’ ବାଣ୍ଟିବ ୨ ଲକ୍ଷ ମାସ୍କ

ଭୁବନେଶ୍ବର: କରୋନାକୁ ଦୃଷ୍ଟିରେ ରଖି ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ଦୁଇ ଲକ୍ଷ ମାସ୍କ ବାଣ୍ଟିବାକୁ ଓଡ଼ିଶା କ୍ଷୁଦ୍ର ଓ ମଧ୍ୟ୍ୟମ ଶିଳ୍ପୋଦ୍ୟୋଗୀ ସଂଘ ‘ଓସ୍‌ମେ’ ନିଷ୍ପତ୍ତି ନେଇଛି। ସପ୍ତାହକ ଭିତରେ ଏହି ମାସ୍କ ବଣ୍ଟାଯିବ। ପ୍ରଥମେ ସଂଘର ସଦସ୍ୟ ଥିବା ସଂସ୍ଥା, ସେମାନଙ୍କ କର୍ମଚାରୀ ଓ ପରିବାର ସଦସ୍ୟମାନଙ୍କୁ ମାସ୍କ ଯୋଗାଇ ଦିଆଯିବ। ଏହା ପରେ ଜନ ସାଧାରଣଙ୍କୁ ମାସ୍କ ପ୍ରଦାନ କରାଯିବ ବୋଲି ଓସ୍‌ମେର ମହାସଚିବ ସାତ୍ତ୍ବିକ ସ୍ବାଇଁ କହିଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ଭୁବନେଶ୍ବର, କଟକ, ଯାଜପୁର, ଭଦ୍ରକ, ବରଗଡ଼, ପୁରୀ ଓ ଖୋର୍ଦ୍ଧାରେ ୩୪ଟି ସଦସ୍ୟ ସଂସ୍ଥା ମାସ୍କ ତିଆରି କାର୍ଯ୍ୟରେ ଲାଗିଛନ୍ତି। ମାସ୍କଗୁଡ଼ିକ ଯଥାଶୀଘ୍ର ସଦସ୍ୟ ସଂସ୍ଥାଗୁଡ଼ିକ ପାଖରେ ପହଞ୍ଚାଇବାକୁ ଉଦ୍ୟମ କରାଯିବ। ପ୍ରତି ମାସ୍କର ମୂଲ୍ୟ ୧୧-୧୨ ଟଙ୍କା ରହିବ। ଓସ୍‌ମେରେ ୧୬ ହଜାରରୁ ଅଧିକ ସଂସ୍ଥା ସଦସ୍ୟ ଅଛନ୍ତି। ସେମାନଙ୍କ ମଧ୍ୟରୁ ୭୦୦୦ ସଂସ୍ଥା ମାସ୍କ କିଣିବା ଲାଗି ଅନୁମୋଦନ ପ୍ରଦାନ କରିଛନ୍ତି ବୋଲି ସେ କହିଛନ୍ତି। ମାସ୍କର ବ୍ୟାପକ କଳାବଜାରି ହେଉଥିବା ଓ ଚଢ଼ା ଦାମ୍‌ରେ ସେଗୁଡ଼ିକୁ ବିକ୍ରି କରାଯାଉଥିବା ପରିପ୍ରେକ୍ଷୀରେ ସୁଲଭ ମୂଲ୍ୟର ମାସ୍କ ତିଆରି କରିବାକୁ ଓସ୍‌ମେ ନିଷ୍ପତ୍ତି ନେଇଛି।

ସମ୍ବନ୍ଧିତ ଖବର