ଏପ୍ରିଲ୍‌ ମାସରେ ୨୦ ଲକ୍ଷ ନୂଆ ମୋବାଇଲ ଫୋନ ଗ୍ରାହକ : ଟ୍ରାଇ ରିପୋର୍ଟ

ସର୍ବାଧିକ ଗ୍ରାହକ ଯୋଡ଼ିଲା ଜିଓ

ନୂଆଦିଲ୍ଲୀ : ଗତ ଏପ୍ରିଲ ମାସରେ ଦେଶରେ ପ୍ରାୟ ୨୦ ଲକ୍ଷ ୧୬ ହଜାର ନୂଆ ମୋବାଇଲ ଫୋନ ଗ୍ରାହକ ଯୋଡ଼ି ହୋଇଛନ୍ତି । ଏହାକୁ ମିଶାଇ ଦେଶର ମୋଟ ମୋବାଇଲ ଗ୍ରାହକ ସଂଖ୍ୟା ୧୧୮ କୋଟି ୩୦ ଲକ୍ଷରେ ପହଞ୍ଚିଛି । ଏହା ସହିତ ଦେଶର ଟେଲି ସାନ୍ଧ୍ରତା ୮୮.୨୭ ପ୍ରତିଶତକୁ ବୃଦ୍ଧି ପାଇଛି  ବୋଲି ଟ୍ରାଇ ପକ୍ଷରୁ ପ୍ରକାଶିତ ତଥ୍ୟରୁ ଜଣାପଡ଼ିଛି ।

ତେବେ ଏହି ରିପୋର୍ଟରେ କୁହାଯାଇଛି ଯେ ଟେଲିଫୋନ ବ୍ୟବହାର କ୍ଷେତ୍ରରେ ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳ ପଛରେ ପଡ଼ିଯାଇଛି । ସହରାଞ୍ଚଳର ଟେଲି ସାନ୍ଧ୍ରାତା ୧୪୦ ପ୍ରତିଶତ ହୋଇଥିବାବେଳେ ଗ୍ରାମାଞ୍ଚଳର ଟେଲି ସାନ୍ଧ୍ରତା ମାତ୍ର ୬୦ ପ୍ରତିଶତ ରହିଛି ।

ଏପ୍ରିଲ୍ ମାସରେ ରିଲାଏନ୍ସ ଜିଓ ସର୍ବାଧିକ ୪୭.୫୬ ଲକ୍ଷ ନୂଆ ଗ୍ରାହକ ଯୋଡ଼ିଥିବା ବେଳେ ଏୟାରଟେଲ୍ ଏହି ମାସରେ ପ୍ରାୟ ୫ ଲକ୍ଷ ଗ୍ରାହକ ଯୋଡ଼ିଛି । ସମାନ ସମୟରେ ଉଭୟ ଭୋଡାଫୋନ୍ ଆଇଡିଆ ଓ ବିଏସ୍‌ଏନ୍‌ଏଲ୍ ଲକ୍ଷ ଲକ୍ଷ ସଂଖ୍ୟକ ଗ୍ରାହକ ହରାଇଛନ୍ତି । ଏପ୍ରିଲ୍ ମାସରେ ଭୋଡାଫୋନ୍ ଆଇଡିଆ ୧୮ ଲକ୍ଷ ଗ୍ରାହକ ହରାଇଥିବା ବେଳେ ବିଏସଏନଏଲ୍ ୧୩ ଲକ୍ଷରୁ ଅଧିକ ଗ୍ରାହକ ହରାଇଥିବା ଟ୍ରାଇ ତଥ୍ୟରୁ ଜଣାପଡ଼ିଛି ।

ଏପ୍ରିଲ୍ ମାସରେ ରିଲାଏନ୍ସ ଜିଓ ଓଡ଼ିଶାରେ ସର୍ବାଧିକ ୨,୬୯,୦୮୨ ନୂଆ ମୋବାଇଲ୍ ଗ୍ରାହକ ଯୋଡ଼ିଥିବା ବେଳେ, ଭାରତୀ ଏୟାରଟେଲ୍ ୧୬,୫୧୩ ନୂଆ ଗ୍ରାହକ ଯୋଡିଛି । ତେବେ ଏହି ମାସରେ ବିଏସଏନଏଲ ୮୪,୬୪୦ ଗ୍ରାହକ ହରାଇଥିବା ବେଳେ ଭୋଡାଫୋନ୍ ଆଇଡିଆ ୪୯,୭୦୭ ଗ୍ରାହକ ହରାଇଥିବା ଟ୍ରାଇ ଦ୍ୱାରା ପ୍ରକାଶିତ ତଥ୍ୟରୁ ଜଣାପଡ଼ିଛି ।

 

ସମ୍ବନ୍ଧିତ ଖବର