୫-ଟିରେ ଓଏମ୍‌ସିର ୨ ଅନ୍‌ଲାଇନ୍‌ ସେବା: ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଲୋକାର୍ପିତ

ଆସନ୍ତା ବର୍ଷ କଂପାନିର ଉତ୍ପାଦନ ୨୦ ନିୟୁତ ଟନ୍‌ ଟପିବ, ଖଣ୍ଡୋଲାଇଟ୍‌ ଖଣିରୁ ଖୁବ୍‌ଶୀଘ୍ର ଉତ୍ପାଦନ ଆରମ୍ଭ ହେବ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ଟି ଅଧୀନରେ ଓଡ଼ିଶା ଖଣି ନିଗମ (ଓଏମ୍‌ସି)ର ଦୁଇଟି ଅନ୍‌ଲାଇନ୍‌ ସେବା କଷ୍ଟମର୍‌ ଇଣ୍ଟିଗ୍ରେଟେଡ୍‌ ସର୍ଭିସେସ୍‌ (ସିଆଇଏମ୍‌ଏସ୍‌) ଓ ଷ୍ଟକ୍‌ୟାର୍ଡ ପରିଚାଳନା ପଦ୍ଧତି (ଏସ୍‌ଏମ୍ଏସ୍‌)କୁ ଲୋକାର୍ପଣ କରିଛନ୍ତି। ରାଜ୍ୟ ବିକାଶରେ ଓଏମ୍‌ସିର ସହଯୋଗକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଖଣି କ୍ଷେତ୍ରରେ ଓଏମ୍‌ସି ହେଉଛି ଏକ ଦ୍ରୁତ ଅଭିବୃଦ୍ଧି ହାସଲ କରୁଥିବା ପିଏସ୍‌ୟୁ। ଓଏମ୍‌ସି ଦେଶର ଏକ ପ୍ରମୁଖ ପିଏସ୍‌ୟୁ ଭାବେ ଉଭା ହେଉ ବୋଲି ସେ ଆଶା ପ୍ରକଟ କରିଛନ୍ତି। ସାମାଜିକ ପ୍ରତିବଦ୍ଧତା, ପରିବେଶ ସମ୍ବେଦନଶୀଳତା, ପ୍ରଯୁକ୍ତି ଦକ୍ଷତା କ୍ଷେତ୍ରରେ ଏହା ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରୁ ବୋଲି ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି।

ଆଜି ଆରମ୍ଭ ହୋଇଥିବା ଦୁଇ ଅନ୍‌ଲାଇନ୍ ସେବା ମାଧ୍ୟମରେ ଓଏମ୍‌ସି ସହିତ ବ୍ୟବସାୟ କରିବା ସୁଗମ ହେବ। ୫ଟି ଅଧୀନରେ ଥିବାରୁ ଖଣିଜ ପଦାର୍ଥର ବିକ୍ରୟ ଓ ପ୍ରେରଣରେ ସ୍ବଚ୍ଛତା ଓ ଦକ୍ଷତା ଆସିପାରିବ। ଗ୍ରାହକମାନେ ପଞ୍ଜୀକରଣ, ବରାଦର ମୂଲ୍ୟାୟନ, ଷ୍ଟକ୍, ସାପ୍ତାହିକ ପ୍ରେରଣ ରିପୋର୍ଟ ପାଇବା, ବରାଦର ସ୍ଥିତି ଜାଣିବା, ମୋଟ ବିକ୍ରି, ଅଭିଯୋଗର ସ୍ଥିତି ଏବଂ ଖଣିଜ ଭିତ୍ତିକ ଡେସ୍‌ପାଚ୍‌ ଆଦି ପାଇଁ ପୃଥକ ଡ୍ୟାସ୍‌ବୋର୍ଡ ପାଇବେ। ଏହି ବ୍ୟବସ୍ଥାକୁ ଆଇ୩ଏମ୍‌ଏସ୍‌, ଏମ୍‌ଏସ୍‌ଟିସିର ଇ-ନିଲାମ ପ୍ଲାଟଫର୍ମ ଓ ଓଏମ୍‌ସିର ଏସ୍‌ଏପି ସହ ଯୋଡ଼ାଯିବ। ସେହିପରି, ଓଏମ୍‌ସିର ଦଇତାରି ଲୁହା ପଥର ଖଣିରେ ଥିବା ବାଲି ପର୍ବତ ଷ୍ଟକ୍‌ୟାର୍ଡରେ ଏସ୍‌ଏମ୍ଏସ୍‌ ବ୍ୟବସ୍ଥା ପ୍ରୟୋଗ କରାଯାଇଛି। ଏହାର ପ୍ରମୁଖ ଉପାଦାନଗୁଡ଼ିକ ମଧ୍ୟରେ ରହିଛି ମାନବବିହୀନ ଓଜନ ବ୍ରିଜ୍, ପରିବହନ ସୂଚୀ, ଡିଜିଟାଲ୍ ଚିହ୍ନଟକରଣ, ପାର୍କିଂ ପରିଚାଳନା, ସ୍ବୟଂକ୍ରିୟ ଓଜନ ଏବଂ ବାସ୍ତବ ସମୟ‌ର ରିପୋର୍ଟ ଇତ୍ୟାଦି।

ଆସନ୍ତା ବର୍ଷ ଓଏମ୍‌ସିର ଲୁହାପଥର ଉତ୍ପାଦନ ୨୦ ନିୟୁତ ଟନ୍ ଅତିକ୍ରମ କରିବ ବୋଲି ଆକଳନ କରାଯାଇଛି। କଂପାନି ଏହାର ଖଣ୍ଡୋଲାଇଟ୍‌ ଖଣି ପାଇଁ ସମସ୍ତ ଆବଶ୍ୟକ ମଞ୍ଜୁରି ହାସଲ କରିଛି ଏବଂ ଏଥିରୁ ଖୁବ୍‌ଶୀଘ୍ର ଉତ୍ପାଦନ ଆରମ୍ଭ ହେବାକୁ ଯାଉଛି ବୋଲି ସୂଚନା ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି କେ ପାଣ୍ଡିୟାନଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ମୁଖ୍ୟ ସଚିବ ଅସିତ କୁମାର ତ୍ରିପାଠୀ, ଉନ୍ନୟନ କମିସନର ସୁରେଶ ମହାପାତ୍ର, ଅର୍ଥ ବିଭାଗର ପ୍ରମୁଖ ସଚିବ ଏ କେ ମୀନା, ଓଏମ୍‌ସିର ଅଧ୍ୟକ୍ଷ ସୁରେନ୍ଦ୍ର କୁମାର ଓ ପରିଚାଳନା ନିର୍ଦେଶକ ଭିନିଲ୍ କ୍ରିଷ୍ଣା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର