ଭୁବନେଶ୍ବର: ଲୋକସେବା ଭବନରେ ସିଡ୍‌ବି କ୍ଲଷ୍ଟର ଡେଭେଲପ୍‌ମେଣ୍ଟ୍‌ ଫଣ୍ଡ୍‌ (ଏସ୍‌ସିଡିଏଫ୍‌) ଓ ସହରାଞ୍ଚଳ ଭିତ୍ତିଭୂମି ବିକାଶ ପାଣ୍ଠି (ୟୁଆଇଡିଏଫ୍‌) ଉପରେ ଉନ୍ନୟନ କମିସନର ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଉଚ୍ଚକ୍ଷମତା ସମ୍ପନ୍ନ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପାରାଦୀପରେ ୩୩୫.୭୭ କୋଟି ଟଙ୍କା ନିବେଶରେ ସ୍ଥାପନ ହେବାକୁ ଯାଉଥିବା ଦୁଇଟି ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ କରାଯାଇଛି। ସେଠାରେ ୧୦ ଏମ୍ଏଲ୍‌ଡି କ୍ଷମତାର ଏକ ସାଧାରଣ ବର୍ଜ୍ୟବସ୍ତୁ ବିଶୋଧନ କାରଖାନା ଏବଂ ୩୦ ଏମ୍ଏଲ୍‌ଡି କ୍ଷମତାର ଡିପ୍ ସି ଡିସ୍‌ଚାର୍ଜ ପ୍ରକଳ୍ପ ସ୍ଥାପନ କରାଯିବ। ଏସ୍‌ସିଡିଏଫ୍ ଅଧୀନରେ ଗଞ୍ଜାମର ଗୋପାଳପୁରରେ କାର୍ଯ୍ୟକାରୀ ହେଉଥିବା କମନ୍ ୟୁଟିଲିଟି କରିଡର ସମ୍ପର୍କରେ ମଧ୍ୟ ବୈଠକରେ ଆଲୋଚନା ହୋଇଛି।

Advertisment

ଏହା ହେଉଛି ଏଭଳି ଏକ ପ୍ରକଳ୍ପ ଯାହା ଗୋପାଳପୁର ଶିଳ୍ପାଞ୍ଚଳର ଉଭୟ ପୁରୁଣା ଓ ନୂଆ ଶିଳ୍ପସଂସ୍ଥାର ଆବଶ୍ୟକତା ପୂରଣ କରିବ। ୟୁଆଇଡିଏଫ୍ ଅଧୀନରେ କାର୍ଯ୍ୟକାରୀ କରିବା ଲାଗି ଯୋଗ୍ୟ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକୁ ଚିହ୍ନଟ କରିବାକୁ ବିଭିନ୍ନ ବିଭାଗକୁ କୁହାଯାଇଛି। ହାତକୁ ନିଆଯାଇଥିବା ପ୍ରକଳ୍ପଗୁଡ଼ିକର କାମ ସମୟ ସୀମା ଭିତରେ ଶେଷ କରିବା ଏବଂ ଫେରସ୍ତ ଦାବି ଅର୍ଥ ବିଭାଗ ନିକଟରେ ଦାଖଲ କରିବାକୁ ବିଭାଗଗୁଡ଼ିକୁ କୁହାଯାଇଛି।