୭୪୦ କୋଟି ହଡ଼ପ ଅଭିଯୋଗ: ରାନ୍‌ବାକ୍ସିର ସିଂହ ଭ୍ରାତା ଗିରଫ

ଋଣ ଶୁଝିବାକୁ ୨୦ ଏକର ଜମି ବିକିଲା ରେମଣ୍ଡ୍‌

ନୂଆଦିଲ୍ଲୀ: ରେଲିଗେୟାର ଏଣ୍ଟରପ୍ରାଇଜେସ୍‌ ଲିମିଟେଡ୍ ଏବଂ ରାନ୍‌ବାକ୍ସିର ଦୁଇ ପୂର୍ବତନ ମୁଖ୍ୟ ମାଲବିନ୍ଦର ଓ ଶିବିନ୍ଦର ସିଂହଙ୍କୁ ଦିଲ୍ଲୀ ପୁଲିସର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଳୁ) ଗିରଫ କରିଛି। ଏଥିସହିତ ରେଲିଗେୟାରର ପୂର୍ବତନ ମୁଖ୍ୟ ସୁନୀଲ ଗୋଧୱାନି, କବି ଅରୋରା ଓ ଅନିଲ ସକ୍‌ସେନାଙ୍କୁ ମଧ୍ୟ ଗିରଫ କରାଯାଇଛି। ସେମାନଙ୍କ ବିରୋଧରେ ରେଲିଗେୟାର ଫିନ୍‌ଭେଷ୍ଟ୍‌ ଲିମିଟେଡ୍‌ ନାମକ ସଂସ୍ଥାର ୭୪୦ କୋଟି ଟଙ୍କା ହଡ଼ପ କରାଯାଇଥିବା ଅଭିଯୋଗ ଆସିଥିଲା। ତାହାକୁ ବିଚାରକୁ ନେଇ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି।

କିଛି ମାସ ‌ତଳେ ଦୁଇ ସିଂହ ଭ୍ରାତା ମାଲ୍‌ବିନ୍ଦର ଓ ଶିବିନ୍ଦରଙ୍କ ମଧ୍ୟରେ ଝଗଡ଼ା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏଭଳିକି ଦୁଇ ଭାଇ ଭିତରେ ମାରପିଟ ମଧ୍ୟ ହୋଇଥିଲା। ଗତ ଅଗଷ୍ଟରେ ପ୍ରବର୍ତ୍ତନ ନିର୍ଦେଶାଳୟ ସିଂହ ଭ୍ରାତାଙ୍କ ସମ୍ପତ୍ତି ଉପରେ ଚଢ଼ଉ କରିଥିଲା। ମାଲବିନ୍ଦର ଓ ଶିବିନ୍ଦର ମିଶି ରେଲିଗେୟାର ଫିନଭେଷ୍ଟ୍‌ ଲିମିଟେଡ୍‌ର ୭୪୦ କୋଟି ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି। କମ୍ପାନିର ପରିଚାଳନା ଦାୟିତ୍ବରେ ଥିବାବେଳେ ଏମାନେ ଉକ୍ତ କମ୍ପାନି ନାମରେ ୭୪୦ କୋଟି ଋଣ କରିଥିଲେ। କିନ୍ତୁ ସେହି ଋଣକୁ ସେମାନେ ସେମାନଙ୍କ ଅନ୍ୟ କମ୍ପାନିରେ ଖଟାଇଥିଲେ। ଗତ ଡିସେମ୍ବରରେ ଏହାକୁ ନେଇ ସିଂହ ଭ୍ରାତାଙ୍କ ବିରୋଧରେ କଂପାନି ତରଫରୁ ଇଓଡବ୍ଳୁରେ ଅପରାଧିକ ମାମଲା ଦାୟର କରାଯାଇଥିଲା। ଏହା ପରେ ଚଳିତ ବର୍ଷ ମେ’ରେ ଆଉ ଏକ ମାମଲା ଦାୟର ହୋଇଥିଲା। ଦିଲ୍ଲୀର ପ୍ରତିଷ୍ଠିତ ବ୍ୟବସାୟୀ ପରିବାରରୁ ଆସିଥିବା ମାଲ୍‌ବିନ୍ଦର ଓ ଶିବିନ୍ଦର ୨୦୦୮ରେ ସେହି ସମୟର ଅଗ୍ରଣୀ ଔଷଧ କଂପାନି ରାନ୍‌ବାକ୍ସିକୁ ଜାପାନର ଡାଇଇଚି ସା‌‌େଙ୍କ୍ୟାକୁ ବିକ୍ରି କରିଥିଲେ। ଏହା ପରେ ସ୍ବାସ୍ଥ୍ୟ ସେବା ଓ ଆର୍ଥିକ ସେବା କ୍ଷେତ୍ର ପାଇଁ ବୃହତ ଯୋଜନା ଘୋଷଣା କରିଥିଲେ। କିନ୍ତୁ କିଛି ମାସ ପରେ ସେମାନଙ୍କ ବିରୋଧରେ ଅର୍ଥ ହଡ଼ପ, ଠକେଇ ଭଳି ଅଭିଯୋଗ ଆସିଥିଲା। ବ୍ୟକ୍ତିଗତ ଋଣ ମାମଲା ଓ କୋର୍ଟ ମାମଲାରେ ସେମାନେ ଛନ୍ଦି ହୋଇପଡ଼ିଥିଲେ। ଭୁଲ ନିବେଶ ନିଷ୍ପତ୍ତି ସେମାନଙ୍କ ସ୍ଥିତିକୁ ଆହୁରି ଖରାପ କରିଦେଇଥିଲା। ଋଣ ପରିଶୋଧ କରିବାରେ ବିଫଳ ହେବାରୁ ଉଭୟ ଫୋର୍ଟିସ୍‌ ହେଲ୍‌ଥକେୟାର ଓ ରେଲିଗେୟାର ଏଣ୍ଟରପ୍ରାଇଜେସ୍‌ ତାଙ୍କ ହାତକୁ ଖସିଯାଇଥିଲା। ଫୋର୍ଟିସ୍‌ ହେଲ୍‌ଥକେୟାରରେ ପାଣ୍ଠି ଅପବ୍ୟବହାର ହୋଇଥିବା ଅଭିଯୋଗର ଏକ ତଦନ୍ତ କରାଯାଇଥିଲା। ଆଇନ ସଂସ୍ଥା ଲୁଥ୍ରା ଆଣ୍ଡ୍ ଲୁଥ୍ରା ଏହି ତଦନ୍ତ କରି ଯେଉଁ ରିପୋର୍ଟ ଦେଇଥିଲା ତାହାକୁ ଆଧାର କରି ୨୦୧୮ରେ ସରକାରୀ ତଦନ୍ତ ଏଜେନ୍ସିଗୁଡ଼ିକ ତରଫରୁ ଉଭୟ ମାଲବିନ୍ଦର ଓ ଶିବିନ୍ଦରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲା।

ଋଣ ଶୁଝିବାକୁ ୨୦ ଏକର ଜମି ବିକିଲା ରେମଣ୍ଡ୍‌
ମୁମ୍ବାଇ: ସମ୍ପତ୍ତି ବିକି ଋଣବୋଝ ହ୍ରାସ କରିବା ପାଇଁ ରେମଣ୍ଡ୍ ଉଦ୍ୟମ ଚଳାଇଛି। ଥାନେସ୍ଥିତ ଜେ କେ ଗ୍ରାମରେ ରେମଣ୍ଡ୍‌ ଲିମିଟେଡର ୨୦ ଏକର ଜମିକୁ ସିଙ୍ଗାପୁର ଭିତ୍ତିକ ଭର୍ଚୁଅସ ରିଟେଲ ସାଉଥ୍ ଏସିଆ ପ୍ରାଇଭେଟ ଲିମିଟେଡ ୭୦୦ କୋଟି ଟଙ୍କାରେ କିଣିବାକୁ ରାଜି ହୋଇଛି। ତେବେ ଏହି ଜମିର ବିକାଶ ପାଇଁ ଭର୍ଚୁଅସ୍ ରିଟେଲ୍‌ ଆଉ ୧୭୦୦ କୋଟି ଟଙ୍କା ନିବେଶ କରିବ। ଭର୍ଚୁଅସ୍‌ ଏଠାରେ ବାଣିଜ୍ୟିକ କାର୍ଯ୍ୟାଳୟ ତଥା ରିଟେଲ କମ୍ପ୍ଲେକ୍ସ ନିର୍ମାଣ ଯୋଜନା ରଖିଛି। ଉକ୍ତ ସ୍ଥାନଟି ସିଂଘାଣିଆ ବିଦ୍ୟାଳୟ ପାର୍ଶ୍ବରେ ଅବସ୍ଥିତ। ସମ୍ପତ୍ତି ବିକ୍ରି କରି ଋଣ ପରିଶୋଧ ଯୋଜନାର ଅଂଶ ଭାବରେ ରେମଣ୍ଡ୍ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ଟିକସ ଦେବା ପରେ ଏହି ଜମି ବିକ୍ରି ବାବଦରେ ରେମଣ୍ଡ୍‌କୁ ୪୬୫ କୋଟି ଟଙ୍କା ମିଳିବ ବୋଲି କୁହାଯାଉଛି। ଜେକେଆଇଟି ଜମି ବିକ୍ରି ସମ୍ପର୍କରେ ରେମଣ୍ଡ ଲିମିଟେଡର ସିଏମଡି ଗୌତମ ହରି ସିଂଘାଣିଆ କୁହନ୍ତି, ସମ୍ପତ୍ତିକୁ ନଗଦ ଅର୍ଥରେ ରୂପାନ୍ତରିତ କରିବା ଏବଂ ସେୟାରଧାରକଙ୍କ ପାଇଁ ମୂଲ୍ୟ ସୃଷ୍ଟି କରିବା ଦିଗରେ ଏହା ଏକ ବଳିଷ୍ଠ ପଦକ୍ଷେପ।

ସମ୍ବନ୍ଧିତ ଖବର