ଏଲ୍‌ଆଇସି‌ରେ ୨୦% ଏଫ୍‌ଡିଆଇକୁ ଅନୁମତି

ନୂଆଦିଲ୍ଲୀ: ସରକାରୀ ବୀମା କଂପାନି ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)ରେ ୨୦ ପ୍ରତିଶତ ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜିନିବେଶ (ଏଫ୍‌ଡିଆଇକୁ ଅନୁମତି ଦେବା ଲାଗି ବୈଦେଶିକ ମୁଦ୍ରା ପରିଚାଳନା ନିୟମ (ଫେମା)ରେ ସଂଶୋଧନ କରାଯାଇଛି। ସ୍ବୟଂକ୍ରିୟ ରୁଟ୍‌ରେ ଏଲ୍‌ଆଇସିକୁ ବିଦେଶୀ ପୁଞ୍ଜି ଆସିପାରିବ। ଷ୍ଟକ ବଜାରରେ ପ୍ରବେଶ କରିବାକୁ ଯାଉଥିବା ଏଲ୍‌ଆଇସି ପାଇଁ ବିଦେଶୀ ନିବେଶକଙ୍କୁ ଆକୃଷ୍ଟ କରିବା ସହଜ ହେବ ବୋଲି କୁହାଯାଇଛି। ଇନିସିଆଲ ପବ୍ଲିକ୍ ଅଫର (ଆଇପିଓ) ଜରିଆରେ ଏଲ୍‌ଆଇସିର ୫% ଅଂଶଧନ ବିକ୍ରି କରି ପ୍ରାୟ ୬୩ ହଜାର କୋଟି ଟଙ୍କା ହାସଲ କରିବାକୁ ସରକାର ଯୋଜନା ରଖିଛନ୍ତି। ସେଥିପାଇଁ ପୁଞ୍ଜି ବଜାରର ନିୟାମକ ସଂସ୍ଥା ସେବି ନିକଟରେ ଡ୍ରାଫ୍ଟ ରେଡ୍‌ ହେରିଂ ପ୍ରୋସ୍‌ପେକ୍ଟସ୍‌ (ଡିଆର୍‌ଏଚ୍‌ପି) ଦାଖଲ କରାଯାଇଛି। ସରକାରୀ ବ୍ୟାଙ୍କରେ ସରକାରଙ୍କ ଅନୁମୋଦନକ୍ରମେ ୨୦ ପ୍ରତିଶତ ଏଫ୍‌ଡିଆଇ ନିବେଶକୁ ଅନୁମତି ପ୍ରଦାନ କରାଯାଇଛି। ଏବେ ସେହି ସୁବିଧା ଏଲଆଇସି ଓ ସେହି ଧରଣର କର୍ପୋରେଟ ସଂସ୍ଥା ପାଇଁ ଲାଗୁ କରାଯାଇଛି। ବିଦେଶୀ ପୁଞ୍ଜିନିବେଶ ପାଇଁ ଏଲ୍‌ଆଇସି ନିୟମ ୧୯୫୬ ଓ ବୀମା ନିୟମ ୧୯୩୮ରେ ଆବଶ୍ୟକ ସଂଶୋଧନ କରାଯିବ।

ସମ୍ବନ୍ଧିତ ଖବର