ମୁମ୍ବାଇ: ଜଣେ ୮୦ ବର୍ଷୀୟା ମହିଳାଙ୍କ ସ୍ବିସ୍ ବ୍ୟାଙ୍କ ଖାତାରେ ପ୍ରାୟ ୨୦୦ କୋଟି ଟଙ୍କାର କଳାଧନ ଠାବ କରାଯାଇଛି। ଆୟକର ଆପିଲେଟ ଟ୍ରିବ୍ୟୁନାଲ୍ (ଆଇଟିଏଟି)ର ମୁମ୍ବାଇ ଖଣ୍ଡପୀଠ ଏବିଷୟରେ ଜାଣିବା ପରେ ମହିଳା ଜଣଙ୍କୁ ଟିକସ ଓ ଜରିମାନା ଦାଖଲ କରିବା ପାଇଁ ନୋଟିସ୍ ପଠାଇଛି। ତାଙ୍କ ନାମ ହେଉଛି ରେଣୁ ତରଣୀ। ଆଶ୍ଚର୍ଯ୍ୟର ବିଷୟ ହେଉଛି ତାଙ୍କ ମାସିକ ଆୟ ହେଉଛି ପ୍ରାୟ ୧୪ ହଜାର ଟଙ୍କା। ତାଙ୍କ ନାମରେ ସ୍ବିସ୍ ବ୍ୟାଙ୍କରେ ଖାତା ରହିଥିବା ଏବଂ ସେଥିରେ ଏତେ ବିପୁଳ ପରିମାଣର ଟଙ୍କା ଥିବା ବିଷୟକୁ ସହଜରେ ବିଶ୍ବାସ କରିହେଉନାହିଁ। ରେଣୁଙ୍କ ନାମରେ ଏଚ୍ଏସ୍ବିସି ଜେନେଭା ବ୍ୟାଙ୍କରେ ଖାତା ରହିଛି। ୨୦୦୪ ଜୁଲାଇରେ ସେହି ଖାତା ଖୋଲାଯାଇଥିଲା। ଟିକସ ଠକେଇର ସ୍ବର୍ଗ କୁହାଯାଉଥିବା କେମ୍ୟାନ୍ସ ଦ୍ବୀପରେ ସ୍ଥାପନ କରାଯାଇଛି ଜିଡବ୍ଲୁ ଇନଭେଷ୍ଟମେଣ୍ଟ ନାମରେ ଉକ୍ତ ଖାତା ଖୋଲାଯାଇଥିଲା ଓ ପରବର୍ତୀ ସମୟରେ ସେହି ଖାତାକୁ ତରଣୀ ପରିବାର ଟ୍ରଷ୍ଟ୍କୁ ହସ୍ତାନ୍ତର କରାଯାଇଥିଲା।
୨୦୦୫-୦୬ରେ ରେଣୁ ଦାଖଲ କରିଥିବା ଆୟକର ରିଟର୍ଣ୍ଣରେ ଏହି ଖାତା ବିଷୟରେ ସୂଚନା ଦେଇନଥିଲେ। ୨୦୧୪ ଅକ୍ଟୋବର ୩୧ରେ ଏହି ମାମଲା ପୁଣି ଥରେ ସାମ୍ନାକୁ ଆସିଥିଲା। ଏହା ପରେ ଏକ ସତ୍ୟପାଠ ଜରିଆରେ ରେଣୁ ଜଣାଇଥିଲେ ଯେ ତାଙ୍କର ଏଚ୍ଏସ୍ବିସି ଜେନେଭାରେ କୌଣସି ଖାତା ନାହିଁ କିମ୍ବା ସେ ଜିଡବ୍ଲୁ ଇନଭେଷ୍ଟମେଣ୍ଟ ବ୍ୟାଙ୍କର ନିର୍ଦେଶିକା କିମ୍ବା ଅଂଶଧନକାରୀ ନୁହନ୍ତି। ସେ ନିଜକୁ ଜଣେ ପ୍ରବାସୀ ଭାରତୀୟ ବୋଲି ଦାବି କରିଥିଲେ। ଯେହେତୁ ମୁଁ ପ୍ରବାସୀ ଭାରତୀୟ ତେଣୁ ଯଦି ବି ମୋ ନାମରେ କୌଣସି ବ୍ୟାଙ୍କ ଖାତା ରହିଛି ସେଥିପାଇଁ ମୋ ଠାରୁ ଟିକସ ଆଦାୟ କରାଯାଇପାରିବ ନାହିଁ ବୋଲି ସେ କହିଥିଲେ। ୨୦୦୫-୦୬ରେ ସେ ଦାଖଲ କରିଥିବା ଆୟକର ରିଟର୍ଣ୍ଣରେ ନିଜର ବାର୍ଷିକ ଆୟ ୧.୭ ଲକ୍ଷ ଟଙ୍କା ଦର୍ଶାଇଥିଲେ। ବେଙ୍ଗାଲୁରୁର ଏକ ଠିକଣା ଦେଇଥିଲେ ଏବଂ ନିଜକୁ ଭାରତୀୟ ଟିକସଦାତା ବୋଲି ଦାବି କରିଥିଲେ। ତେବେ ଏତେ କମ୍ ସମୟ ଭିତରେ ଏହି ମହିଳାଙ୍କ ଖାତାକୁ ଏତେ ପରିମାଣର ଜମାରାଶି କେଉଁଠାରୁ ଆସିଲା ତାହା ଜଣାପଡ଼ିନାହିଁ। ସେ କୌଣସି ଚର୍ଚ୍ଚିତ କିମ୍ବା ବିଶିଷ୍ଟ ମହିଳା ମଧ୍ୟ ନୁହନ୍ତି। ସେ ଏଭଳି କୌଣସି ଦାତବ୍ୟ ଅନୁଷ୍ଠାନ ମଧ୍ୟ ଚଳାଉନାହାନ୍ତି ଯାହା ପାଇଁ ଏତେ ବିପୁଳ ପରିମାଣର ଆର୍ଥିକ ସହାୟତା ମିଳିବ ବୋଲି ଆୟକର ଆପିଲିଟ୍ ଟ୍ରିବ୍ୟୁନାଲ୍ କହିଛନ୍ତି।