ପାସ୍‌ବୁକ୍ ଦେଖି ୨୦୦୦ ଟଙ୍କା ଦେଉଛି ଷ୍ଟେଟ୍‌ ବ୍ୟାଙ୍କ, ବ୍ୟାଙ୍କ ସେବାର ସମୀକ୍ଷା

ଜେଟ୍‌ଲିଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

ଭୁବନେଶ୍ବର: ବାତ୍ୟା ‘ଫନି’ ଦ୍ବାରା ପ୍ରଭାବିତ ପୁରୀ ଜିଲ୍ଲାରେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ପକ୍ଷରୁ ପାସ୍‌ବୁକ୍ ଦେଖାଉଥିବା ଗ୍ରାହକମାନଙ୍କୁ ଦୁଇ ହଜାର ଟଙ୍କା ଉଠାଣ ସୁବିଧା ପ୍ରଦାନ କରାଯାଉଛି। ରିଜର୍ଭ ବ୍ୟାଙ୍କ ସହିତ କଥାବାର୍ତା କରି ଅନ୍ୟ ବ୍ୟାଙ୍କଗୁଡ଼ିକ ମଧ୍ୟ ସେହି ଢାଞ୍ଚାରେ ଗ୍ରାହକଙ୍କୁ ସେବା ପ୍ରଦାନ କରିବାକୁ ବ୍ୟାଙ୍କଗୁଡ଼ିକୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହ୍ବାନ ଦେଇଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ ଓ ବିଭିନ୍ନ ବ୍ୟାଙ୍କର ଅଧିକାରୀମାନଙ୍କ ସହିତ ସେ ବାତ୍ୟା ପରବର୍ତି ବ୍ୟାଙ୍କ ସେବାର ସମୀକ୍ଷା କରିଥିଲେ। ବୈଠକରେ ହୋଇଥିବା ଆଲୋଚନାରୁ ଜଣାପଡ଼ିଛି ଯେ, ପୁରୀ‌ ଜିଲ୍ଲାରେ ଥିବା ୨୭୩ଟି ଏଟିଏମ୍ ମଧ୍ୟରୁ ମାତ୍ର ୨୦ଟି ଏଟିଏମ୍ ଓ ମାତ୍ର ୨୫% ବ୍ୟାଙ୍କ ଶାଖା କାମ କରୁଛି। ଗ୍ରାହକଙ୍କୁ ତ୍ବରିତ ବ୍ୟାଙ୍କ ସେବା ପ୍ରଦାନ କରିବା ପାଇଁ ଏହି ବୈଠକରେ ଶ୍ରୀ ପ୍ରଧାନ କେତେକ ପ୍ରସ୍ତାବ ଦେଇଥିଲେ। ତାହା ହେଉଛି, ବ୍ୟାଙ୍କିଙ୍ଗ କରେସ୍‌ପଣ୍ଡେଣ୍ଟ୍‌ (ବିସି) ଓ ସାଧାରଣ ସେବା କେନ୍ଦ୍ର (ସିଏସସି)ଗୁଡ଼ିକୁ ସକ୍ରିୟ କରିବା ଏବଂ ପଏଣ୍ଟ୍‌ ଅଫ୍‌ ସେଲ୍ ଜରିଆରେ ନଗଦ ଅର୍ଥରାଶି ଲୋକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ବ୍ୟାଙ୍କଗୁଡ଼ିକ ଉଦ୍ୟମ କରିବେ। ବାତ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକରେ ଭ୍ରାମ୍ୟମାଣ ଏଟିଏମ୍ ବୁଲାଇବାକୁ ବ୍ୟାଙ୍କଗୁଡ଼ିକୁ କୁହାଯାଇଛି। ରିଜର୍ଭ ବ୍ୟାଙ୍କ ଓ ବ୍ୟାଙ୍କଗୁଡ଼ିକୁ କଣ୍ଟ୍ରୋଲ୍ ରୁମ୍ ସ୍ଥାପନ କରିବାକୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି ଏବଂ ସେହି ପ୍ରସ୍ତାବକୁ ଉଭୟ ପକ୍ଷ ଗ୍ରହଣ କରିଥିବା ସେ କହିଛନ୍ତି। ବ୍ୟାଙ୍କଗୁଡ଼ିକ ପାଖରେ ଡିଜେଲ ପହଞ୍ଚାଇବା ଦିଗରେ ତେଲ କଂପାନିଗୁଡ଼ିକ କାମ କରିବେ ବୋଲି ସେ କହିଛନ୍ତି। କ୍ଷତି ସହିଥିବା ଛୋଟ ଚାଷୀ, ଦୋକାନୀ ଓ ପଶୁ ସମ୍ପଦ ହରାଇଥିବା ବ୍ୟବସାୟୀଙ୍କୁ କମ୍ ସୁଧରେ କିଭଳି ଋଣ ମିଳିପାରିବ ସେ ଉପରେ ଗୁରୁତ୍ବ ଦେବାକୁ ସେ ବ୍ୟାଙ୍କଗୁଡ଼ିକୁ କହିଛନ୍ତି। ଅନ୍ୟ ପକ୍ଷରେ, ଶ୍ରୀ ପ୍ରଧାନ ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲିଙ୍କୁ ଏକ ଚିଠି ଲେଖିଛନ୍ତି। ବାତ୍ୟା ଯୋଗୁ ପୁରୀର ପର୍ଯ୍ୟଟନ ଓ ହୋଟେଲ ଶିଳ୍ପ ପ୍ରଭାବିତ ହୋଇଛି ଓ ଏହି କ୍ଷେତ୍ର ତୁରନ୍ତ ଆର୍ଥିକ ସହାୟତା ଦରକାର କରୁଛି। ହୋଟେଲ ଶିଳ୍ପକୁ ସହାୟତା ପ୍ରଦାନ କରିବା ନିମେନ୍ତ ସ୍ବତନ୍ତ୍ର ସୁଧ ହାର ବିଶିଷ୍ଟ ସ୍କିମ୍ ଲାଗୁ କରିବା ଓ ପୁରୁଣା ଋଣଗୁଡ଼ିକୁ ପୁନର୍ଗଠିତ କରିବା ପାଇଁ ସେ ଜେଟ୍‌ଲିଙ୍କ ସହଯୋଗ ଲୋଡ଼ିଛନ୍ତି। କ୍ଷତିଗ୍ରସ୍ତଙ୍କୁ ତତ୍କାଳ ବୀମା ରାଶି ପ୍ରଦାନ କରିବା ପାଇଁ ବୀମା କଂପାନିଗୁଡ଼ିକୁ ନିର୍ଦେଶ ଦେବାକୁ ସେ ଅର୍ଥମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର