ଭୁବନେଶ୍ବର: ରାଜ୍ୟର ଦୁଇଟି ଜିଲ୍ଲା ଦେବଗଡ଼ ଓ କେନ୍ଦୁଝର ମାଟି ତଳେ ପ୍ରାୟ ୨୦୦୦ କେଜି ସୁନାପଥରର ସନ୍ଧାନ ମିଳିଥିବା ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ଦେଇଛନ୍ତି। ବିଧାୟକ ଅଶ୍ବିନୀ କୁମାର ପାତ୍ରଙ୍କ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ଦେବଗଡ଼ର ଆଡାସରେ ୧୬୮୫ କେଜି ଓ କେନ୍ଦୁଝରର ଗୋପୁରରେ ୩୧୧.୦୭ କେଜି ସୁନା ପଥର ଥିବା ଆକଳନ କରାଯାଇଛି।
ଆର୍ଥିକ ଓ ଭୂତାତ୍ତ୍ବିକ ଦୃଷ୍ଟିକୋଣରୁ ଉପଯୋଗୀ ହେଲେ ଗଚ୍ଛିତ ସୁନା ପଥରଗୁଡ଼ିକୁ ଉତ୍ତୋଳନ ନିମନ୍ତେ ନିଲାମ କରିବା ପାଇଁ ସରକାର ଆବଶ୍ୟକ ପଦକ୍ଷେପ ନେବେ। ଆଡାସରେ ଭାରତୀୟ ଭୂ-ବୈଜ୍ଞାନିକ ସର୍ବେକ୍ଷଣ ସଂସ୍ଥା ଅନୁସନ୍ଧାନ କାର୍ଯ୍ୟ କରୁଛି। ଗୋପୁରରେ ଭୂ-ତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା, ରାଜ୍ୟ ଖଣି ଓ ଭୂତତ୍ତ୍ବ ନିର୍ଦ୍ଦେଶାଳୟର ମିଳିତ ସହଯୋଗରେ ଅନୁସନ୍ଧାନ କାର୍ଯ୍ୟ ଚାଲିଛି।