୨ ବର୍ଷ ହେଲା ଛପା ହୋଇନି ୨୦୦୦ ଟଙ୍କିଆ

ନୂଆଦିଲ୍ଲୀ: ଦେଶରେ ପ୍ରାୟ ୨ ବର୍ଷ ହେଲା ଆଉ ୨୦୦୦ ଟଙ୍କିଆ ନୋଟ୍ ଛପା ହେଉନାହିଁ। ୨୦୧୯ ଏପ୍ରିଲରୁ ଏହି ନୋଟ୍‌ର ଛପା ବନ୍ଦ ରହିଛି। ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଆଜି ଲୋକସଭାରେ ଏହି ସୂଚନା ଦେଇଛନ୍ତି। ଲୋକମାନେ ଯେଭଳି ଏହାକୁ ଘରେ ଲୁଚାଇ ନରଖିବେ ଏବଂ ଅର୍ଥନୀତିରେ କଳାଟଙ୍କାର ପ୍ରଚଳନକୁ ରୋକାଯାଇ ପାରିବ ସେଥିପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ଟଙ୍କା ନେଣଦେଣରେ ଯେଭଳି ଅସୁବିଧା ନହେବ ତାହାକୁ ଦୃଷ୍ଟିରେ ରଖି କେଉଁ ନୋଟ୍ କେତେ ପରିମାଣରେ ଛପାଯିବ ରିଜର୍ଭ ବ୍ୟାଙ୍କ ସହ ପରାମର୍ଶ କରି ସରକାର ନିଷ୍ପତ୍ତି ନେଇଥାନ୍ତି। ୨୦୧୯-୨୦ ଏବଂ ୨୦୨୦-୨୧ ଆର୍ଥିକ ବର୍ଷରେ ୨୦୦୦ ଟଙ୍କିଆ ନୋଟ୍‌ ଛାପିବା ପାଇଁ କୌଣସି ନିର୍ଦ୍ଦେଶ ନୋଟ୍‌ ଛାପା କାରଖାନାଗୁଡ଼ିକୁ ଦିଆଯାଇନାହିଁ।

ଅର୍ଥନୀତିରେ ଏହି ନୋଟ୍‌ସଂଖ୍ୟା କମିଥିଲେ ବି ସରକାର ଛାପାଖାନାଗୁଡ଼ିକୁ ଉକ୍ତ ନୋଟ୍‌ ଛାପିବାକୁ ନିର୍ଦ୍ଦେଶ ଦେଇନାହାନ୍ତି। ସଂସଦରେ ଏକ ଲିଖିତ ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ୨୦୧୮ ମାର୍ଚ୍ଚ ୩୦ ସୁଦ୍ଧା ଦେଶରେ ୩୩୬୨ ନିୟୁତ ୨୦୦୦ ଟଙ୍କିଆ ନୋଟ୍‌ ପ୍ରଚଳନ ହେଉଥିଲା। କିନ୍ତୁ ୨୦୨୧ ଫେବ୍ରୁଆରି ୨୬ ସୁଦ୍ଧା ୨୪୯୯ଟି ୨୦୦୦ ଟଙ୍କିଆ ନୋଟ୍‌ ପ୍ରଚଳନ ହେଉଥିଲା।

ଉଲ୍ଲେଖଯୋଗ୍ୟ ଯେ କେବଳ ନୋଟ୍‌ ଛପା ବନ୍ଦ ହୋଇନାହିଁ, ଅଧିକାଂଶ ଏଟିଏମ୍‌ରେ ଆଉ ୨୦୦୦ ଟଙ୍କିଆ ନୋଟ୍‌ ମିଳୁନାହିଁ। ୨୦୧୬ ନଭେମ୍ବର ୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେତେବେଳେ ପ୍ରଚଳନରେ ଥିବା ୧୦୦୦ ଏବଂ ୫୦୦ ଟଙ୍କିଆ ନୋଟ୍‌କୁ ଅଚଳ ଘୋଷଣା କରିଥିଲେ। ଏହା ବଦଳରେ ନୂଆ ୫୦୦ ଟଙ୍କିଆ ଏବଂ ୨୦୦୦ ଟଙ୍କିଆ ପ୍ରଚଳନ ଆରମ୍ଭ କରାଯାଇଥିଲା। କିନ୍ତୁ ଏବେ ୨୦୦୦ ଟଙ୍କିଆ ନୋଟ୍‌ର ପ୍ରଚଳନ ସଂଖ୍ୟା ହ୍ରାସ ପାଇଛି।

ସମ୍ବନ୍ଧିତ ଖବର