ନୂଆଦିଲ୍ଲୀ: ଦେଶରେ ୨୦୦୦ ଟଙ୍କିଆ ନୋଟ୍‌ର ଛପା ବନ୍ଦ କରି ଦିଆଯାଇଛି। ଧୀରେ ଧୀରେ ଅର୍ଥନୀତିରେ ଏହି ନୋଟ୍‌ର ପ୍ରଚଳନକୁ ହ୍ରାସ କରିବା ଲାଗି ଏହା କରାଯାଇଛି ବୋଲି ଏକ ସରକାରୀ ସୂତ୍ରରୁ ଜଣାଯାଇଛି। ଦି ପ୍ରିଣ୍ଟ ନାମକ ଏକ ୱେବସାଇଟରେ ଏହି ତଥ୍ୟ ପ୍ରକାଶ ପାଇଛି। ତେବେ ଛପା ବନ୍ଦ କରି ଦିଆଯିବା ଅର୍ଥ ୨୦୦୦ ଟଙ୍କିଆ ନୋଟ୍ ଏବେ ଅଚଳ ହୋଇଯିବ ନାହିଁ। ତେବେ ଧୀରେ ଧୀରେ ଏହି ନୋଟକୁ ଅପସାରଣ କରି ନିଆଯିବାର ଯଥେଷ୍ଟ ସମ୍ଭାବନା ରହିଛି। ୨୦୦୦ ଟଙ୍କିଆ ନୋଟକୁ ଲୁଚାଇ ରଖିବା ସହିତ ଟିକସ ଫାଙ୍କିବା ଏବଂ ମନି ଲଣ୍ଡରିଂ କାର୍ଯ୍ୟରେ ବ୍ୟବହାର ହେଉଥିବା ମୋଦୀ ସରକାର ସନ୍ଦେହ କରୁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି। ତେବେ ଦି ପ୍ରିଣ୍ଟ ପକ୍ଷରୁ ଏ ନେଇ ରିଜର୍ଭ ବ୍ୟାଙ୍କ ନିକଟକୁ ଇ-ମେଲ୍ ପଠାଯାଇଥିଲେ ମଧ୍ୟ ଏହାର କୌଣସି ଉତ୍ତର ଦିଆଯାଇ ନାହିଁ। ଏହି ଉତ୍ତର ଆସିଲେ ଏହି ଖବର ସମ୍ପର୍କରେ ଅଧିକ ସୂଚନା ଦିଆଯିବ ବୋଲି ଉକ୍ତ ସଂସ୍ଥା ପକ୍ଷରୁ କୁହାଯାଇଛି।

Advertisment

ଅନ୍ୟପକ୍ଷରେ ଖବର ସରବରାହ ସଂସ୍ଥା ପିଟିଆଇ ପକ୍ଷରୁ କୁହାଯାଇଛି, ଦେଶରେ ସର୍ବୋଚ୍ଚ ମୂଲ୍ୟର ନୋଟ୍ ଛପା ସଂଖ୍ୟାକୁ ସରକାର ସର୍ବନିମ୍ନ ସ୍ତରକୁ କମାଇ ଦେଇଛନ୍ତି। ଅର୍ଥ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ସୂତ୍ରକୁ ଆଧାର କରି ପିଟିଆଇ ଏହି ସୂଚନା ଦେଇଛି। ୨୦୧୬ ନଭେମ୍ବର ୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ୧୦୦୦ ଏବଂ ୫୦୦ ଟଙ୍କିଆ ନୋଟକୁ ଅଚଳ କରିଦେବା ପରେ ନୋଟ୍ ଅଭାବକୁ ପୂରଣ କରିବା ପାଇଁ ଅଧିକ ମାତ୍ରାରେ ୨୦୦୦ ଟଙ୍କିଆ ନୋଟ ଛାପିଥିଲେ। ଏହାଦ୍ବାରା ଅର୍ଥନୀତିରେ ନଗଦ ଅର୍ଥର ସମସ୍ୟାକୁ କମ୍ ଦିନ ମଧ୍ୟରେ ଦୂର କରାଯାଇ ପାରିବ ବୋଲି ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ ଏବେ ୨୦୦୦ ଟଙ୍କିଆ ନୋଟ୍ ଛାପିବା ସଂଖ୍ୟାକୁ ସର୍ବନିମ୍ନ ସ୍ତରକୁ କମାଇ ଦିଆଯାଇଛି। ତେବେ ସର୍ବନିମ୍ନ ସ୍ତର କେତେ ସେ ବିଷୟରେ କିଛି କୁହାଯାଇନାହିଁ। ଅଧିକାରୀଙ୍କ କହିବାନୁଯାୟୀ, ଅର୍ଥନୀତିରେ କେତେ ମୁଦ୍ରା ପ୍ରଚଳନ ଅଛି ତାହାକୁ ଦେଖି ସରକାର ଓ ରିଜର୍ଭ ବ୍ୟାଙ୍କ ସମୟକୁ ସମୟ କେତେ ମୁଦ୍ରା ଛପା ଯିବ ସେ ନେଇ ନିଷ୍ପତ୍ତି ନେଇଥାନ୍ତି। ୨୦୦୦ ଟଙ୍କିଆ ନୋଟ ଛାପିବାର ମୂଳ ଲକ୍ଷ୍ୟ ଥିଲା ୫୦୦ ଓ ୧୦୦୦ ଟଙ୍କିଆ ନୋଟ ଅଚଳ କରିବା ଦ୍ବାରା ଅର୍ଥନୀତିରେ ନଗଦର ଯେଉଁ ଅଭାବ ଦେବ ତାହାର ଭରଣା ୨୦୦୦ ଟଙ୍କିଆ ନୋଟ ଦ୍ବାରା ଶୀଘ୍ର କରାଯାଇ ପାରିବ। କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ଏହି ନୋଟ୍ ଛପାକୁ କମାଇ ଦିଆଯିବ ବୋଲି ସେତେବେଳେ ନିଷ୍ପତ୍ତି ନିଆଯାଇଥିଲା। ରିଜର୍ଭ ବ୍ୟାଙ୍କର ରିପୋର୍ଟ ଅନୁଯାୟୀ, ୨୦୧୭ ମାର୍ଚ୍ଚ ସୁଦ୍ଧା ଅର୍ଥନୀତିରେ ୩୨୮୫ ନିୟୁତ ସଂଖ୍ୟକ ୨୦୦୦ ଟଙ୍କିଆ ନୋଟ୍ ପ୍ରଚଳନ ହେଉଥିଲା। ଏହାର ବର୍ଷକ ପରେ ଅର୍ଥାତ୍ ୨୦୧୮ ମାର୍ଚ୍ଚ ୩୧ ସୁଦ୍ଧା ଏହି ସଂଖ୍ୟାରେ ଅଳ୍ପ ବୃଦ୍ଧି ଦେଖାଦେଇଥିଲା। ଅର୍ଥାତ୍ ଅର୍ଥନୀତିରେ ୩୩୬୩ ନିୟୁତ ସଂଖ୍ୟକ ୨୦୦୦ ଟଙ୍କିଆ ନୋଟ୍ ରହିଥିଲା। ଅର୍ଥାତ୍ ୨୦୧୭-୧୮ ଆର୍ଥିକ ବର୍ଷରେ ସରକାର ମାତ୍ର ୭୮ ନିୟୁତ ସଂଖ୍ୟକ ୨୦୦୦ ଟଙ୍କିଆ ନୋଟ୍ ଛାପିଥିଲେ। ୨୦୧୮ ମାର୍ଚ୍ଚ ଶେଷ ସୁଦ୍ଧା ଅର୍ଥନୀତିରେ ୧୮ ଲକ୍ଷ ୩୭ ହଜାର କୋଟି ଟଙ୍କାର ମୁଦ୍ରା ପ୍ରଚଳନ ହେଉଥିଲା। ୨୦୧୭ ମାର୍ଚ୍ଚ ଶେଷ ସୁଦ୍ଧା ପ୍ରଚଳନରେ ଥିବା ମୋଟ ନୋଟରେ ୨୦୦୦ ଟଙ୍କିଆ ନୋଟ୍‌ର ଅଂଶ ୫୦.୨% ଥିବାବେଳେ ୨୦୧୮ ମାର୍ଚ୍ଚ ଶେଷ ସୁଦ୍ଧା ଏହା ୩୭.୩%କୁ କମିଥିଲା। ୨୦୧୬ ନଭେମ୍ବର ୮ରେ ପ୍ରଧାନମନ୍ତ୍ରୀ ମୋଦୀ ୧୦୦୦ ଓ ୫୦୦ ଟଙ୍କିଆ ନୋଟକୁ ଅଚଳ କରି ଅର୍ଥନୀତିରେ ପ୍ରଚଳନ ଥିବା ମୋଟ ମୁଦ୍ରାର ୮୬%କୁ ଅକାମୀ କରି ଦେଇଥିଲେ।