୨,୦୦୫ କୋଟିର ୧୦ ପ୍ରକଳ୍ପ ମଞ୍ଜୁର: ୩,୫୪୫ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ

ଭୁବନେଶ୍ବର: ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ ମଞ୍ଜୁରି କର୍ତ୍ତୃପକ୍ଷଙ୍କ ବୈଠକରେ ୨୦୦୫.୮୯ କୋଟି ଟଙ୍କାର ୧୦ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ କରାଯାଇଛି। ‌ଧାତବ ଓ ଆନୁଷଙ୍ଗିକ ଶିଳ୍ପ, ଫାର୍ମା, ରସାୟନ, ଭିତ୍ତିଭୂମି ଓ ପର୍ଯ୍ୟଟନ କ୍ଷେତ୍ର ପାଇଁ ଏହି ନିବେଶ ପ୍ରସ୍ତାବଗୁଡ଼ିକ ଆସିଛି ଯାହା କାର୍ଯ୍ୟକାରୀ ହେଲେ ରାଜ୍ୟରେ ୩,୫୪୫ରୁ ଅଧିକ ଲୋକଙ୍କ ପାଇଁ ନିଯୁକ୍ତି ସ‌ୁଯୋଗ ସୃଷ୍ଟି ହେବ। ଆଜିର ବୈଠକରେ ସୁମା ରିଅଲ ମିଡିଆର ୨୦୦ କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁର କରାଯାଇଛି। କଂପାନି ପକ୍ଷରୁ ଖୋର୍ଦ୍ଧାର ଗୋଠପାଟଣାରେ ବାର୍ଷିକ ୧.୬ ବିଲିଅନ୍ ୟୁନିଟ୍‌ର ଏକ ଫାର୍ମାସ୍ୟୁଟିକାଲ୍ ମାନୁଫାକ୍‌ଚରିଂ ଆଣ୍ଡ୍ ରିସର୍ଚ୍ଚ ୟୁନିଟ୍ ସ୍ଥାପନ କରାଯିବ। ସେହିପରି, ଯାଜପୁରର ଦାନଗଦିରେ ସାନ୍‌ଭିରା ଇଣ୍ଡଷ୍ଟ୍ରିଜ୍‌ ପକ୍ଷରୁ ୨୦୫.୪୪ କୋଟି ଟଙ୍କା ନିବେଶରେ ଏକ କାର୍ବନ ଇଲେକ୍ଟ୍ରୋଡ୍ ପେଷ୍ଟ୍‌ ନିର୍ମାଣ କାରଖାନା ସ୍ଥାପନ କରାଯିବ। ସାଇ ବଲ୍‌କ ବ୍ୟାଗ୍‌ସ ପକ୍ଷରୁ ପାରାଦୀପରେ ୧୩୫.୯୫ କୋଟି ଟଙ୍କା ନିବେଶରେ ଏକ ଫାଇନ୍‌ ଫ୍ୟାବ୍ରିକ୍/ ଏଚ୍‌ଡିପିଇ/ ପିପି ଓଭେନ୍ ବସ୍ତା ଉତ୍ପାଦନ କାରଖାନା ସ୍ଥାପନ କରାଯିବ।

ଏହା ବ୍ୟତୀତ ଯାଜପୁରର ବଡ଼ଚଣାରେ ୨୬୧.୧ କୋଟି ଟଙ୍କା ବିନିଯୋଗରେ ଏକ ଫେରୋ ଆଲଏଜ୍ କାରଖାନା ସ୍ଥାପନ ପ୍ରସ୍ତାବକୁ ମଧ୍ୟ କମିଟିର ବୈଠକରେ ମଞ୍ଜୁରି ପ୍ରଦାନ କରାଯାଇଛି। କେନ୍ଦୁଝରର ଝୁମ୍ପୁରାରେ ୭୭୫ କୋଟି ଟଙ୍କା ନିବେଶରେ ବାଲେଣ୍ଟୋ ଏଣ୍ଟରପ୍ରାଇଜେସ୍‌ ଏକ ଲୁହାପଥର ବେନିଫିକେସନ୍ କାରଖାନା ସ୍ଥାପନ କରିବ। କଟକର ଟାଙ୍ଗି-ଚୌଦ୍ବାରରେ ୮୮ କୋଟି ଟଙ୍କା ନିବେଶରେ ଓରିକ୍ଲିନ୍ ପକ୍ଷରୁ ଏକ ସସ୍, ଜାମ୍ ଆଦି ସାମଗ୍ରୀ ନିର୍ମାଣ କାରଖାନା ସ୍ଥାପନ କରାଯିବ। ଡେରାସ୍‌ ସିଫୁଡ୍‌ ପାର୍କରେ ଡିଏନ୍ ସି’ ସେଲ୍‌ସର ୫୦.୪୦ କୋଟି ଟଙ୍କା ନିବେଶରେ ଚିଙ୍ଗୁଡ଼ି ପ୍ରୋସେସିଂ କାରଖାନା ସ୍ଥାପନ ପ୍ରସ୍ତାବକୁ ମଧ୍ୟ ବୈଠକରେ ମଞ୍ଜୁରି ପ୍ରଦାନ କରାଯାଇଛି। ଝାରସୁଗୁଡ଼‌ାରେ ୮୦ କୋଟି ଟଙ୍କା ନିବେଶରେ ରୁନାୟା ଆଲୁମିନିୟମ୍ ପକ୍ଷରୁ ଆଲୁମିନିୟମ୍ ପାଉଡର ଓ ପିଗ୍‌ମେଣ୍ଟ୍‌ କାରଖାନା ସ୍ଥାପନ କରାଯିବ। ମେ’ଫେୟାର ହୋଟେଲ୍‌ସ ଆଣ୍ଡ୍‌ ରିସୋର୍ଟସ୍‌ ୮୫ କୋଟି ଟଙ୍କା ନିବେଶରେ ଗୋପାଳପୁର ଏହାର ମେ’ଫେୟାର ପାମ୍ ବିଚ୍‌ ରିସୋର୍ଟସ୍‌ର ସମ୍ପ୍ରସାରଣ କରିବ। ଏଥି ସହିତ ଆଜିର ବୈଠକରେ ଯାଜପୁରର ବାଘୁଆପାଳରେ ୧୨୫ କୋଟି ଟଙ୍କା ନିବେଶରେ ନରେଶ କୁମାର ଆଣ୍ଡ୍‌ କୋ’ ସ୍ଥାପନ କରିବାକୁ ଥିବା ଓୟାରହାଉସିଂ ତଥା ଲଜିଷ୍ଟିକ୍ସ ପାର୍କକୁ ମଞ୍ଜୁରି ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର