୨୦୧୮ରେ ଅଧିକ ଚାକିରି, ଅଧିକ ଦରମା

ନୂଆଦିଲ୍ଲୀ: ଚାକିରି ଓ ରୋଜଗାର ଦୃଷ୍ଟିରୁ ୨୦୧୮ ଏକ ଭଲ ବର୍ଷ ସାବ୍ୟସ୍ତ ହେବ। ଚାକିରି ସନ୍ଧାନରେ ଥିଲା ଲୋକଙ୍କୁ ଆସନ୍ତା ବର୍ଷ ଖୁସି ଖବର ମିଳିବ। ସେମାନଙ୍କ ପାଇଁ ଅଧିକ ପରିମାଣର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଯେଉଁମାନେ ଚାକିରି କରୁଛନ୍ତି ସେମାନଙ୍କୁ ମଧ୍ୟ ଖୁସି ଖବର ମିଳିବ। ଆସନ୍ତା ବର୍ଷ ଦରମାରେ ମଧ୍ୟ ଭଲ ବୃଦ୍ଧି ହେବ ବୋଲି ଆଶା କରାଯାଉଛି।
ବର୍ତ୍ତମାନ ଦେଶର ବିଭିନ୍ନ କଲେଜରେ ଚାଲିଥିବା କ୍ୟାମ୍ପସ୍‌ ପ୍ଲେସ୍‌ମେଣ୍ଟ୍‌ ବହୁତ ଉତ୍ସାହଜନକ ରହିଛି। କଂପାନିଗୁଡ଼ିକ ମୋଟା ଅଙ୍କର ବେତନରେ ଛାତ୍ରଛାତ୍ରୀଙ୍କୁ ଚାକିରି ଅଫର ପ୍ରଦାନ କରୁଛନ୍ତିି। ତାହାକୁ ବିଚାରକୁ ନେଇ ବିଶେଷଜ୍ଞମାନେ ୨୦୧୮ ବର୍ଷଟି ନିଯୁକ୍ତି ପାଇଁ ଭଲ ବର୍ଷ ହେବ ବୋଲି ଆକଳନ କରିଛନ୍ତି।ଚଳିତ ବର୍ଷ କ୍ୟାମ୍ପସ୍‌ ପ୍ଲେସ୍‌ମେଣ୍ଟ୍‌ରେ ୨୫-୩୦% ଅଧିକ ଚାକିରି ଅଫର ପ୍ରଦାନ କରାଯାଇଛି। ଆମାଜନ୍‌ ଭଳି କଂପାନି ଚଳିତ ବର୍ଷ କ୍ୟାମ୍ପସ୍‌ରୁ କର୍ମଚାରୀ ଚୟନ କରିବା ପାଇଁ ୯୦ରୁ ଅଧିକ କଲେଜକୁ ଯାଇଛି। ଆଇଆଇଟି-ବମ୍ବେରେ ଆନ୍ତର୍ଜାତିକ ନିଯୁକ୍ତି ପରିମାଣ ୬୦ରେ ପହଞ୍ଚିଗଲାଣି ଯାହା ଗତବର୍ଷ ୫୦ ଥିଲା। ଆମେରିକା ଏବଂ ବ୍ରିଟେନ୍‌ର କେତେକ କଂପାନି ପ୍ରଥମ ଥର ପାଇଁ ଭାରତର କ୍ୟାମ୍ପସ୍‌ ଚୟନ ପ୍ରକ୍ରିୟାରେ ଭାଗ ନେଇଛନ୍ତି। ୟୁରୋପ, ଜାପାନ ଏବଂ ଦକ୍ଷିଣ କୋରିଆର କଂପାନିଗୁଡ଼ିକ କଲେଜ ଛାତ୍ରଛାତ୍ରୀଙ୍କୁ ଉଭୟ ସ୍ଥାନୀୟ ଏବଂ ଆନ୍ତର୍ଜାତିକ ଚାକିରିର ଅଫର ଦେଉଛନ୍ତି।

ନିଯୁକ୍ତି ସୁଯୋଗ ଦୃଷ୍ଟିରୁ ୨୦୧୭ ବର୍ଷଟି ବହୁତ ଖରାପ ସାବ୍ୟସ୍ତ ହୋଇଛି। ନିଯୁକ୍ତି ସୃଷ୍ଟି କରିବାକୁ ସରକାର ସଂଘର୍ଷ କରଛନ୍ତି। ଏହି ବର୍ଷଟି ଆଇଟି, ଦୂରସଂଚାର ଏବଂ ଆର୍ଥିକ ସେବା ପ୍ରଦାନକାରୀ କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ପାଇଁ ଖରାପ ରହିଛି। ଆଇଟି କଂପାନିଗୁଡ଼ିକର ବରିଷ୍ଠ ପଦପଦବୀରେ ଥିବା ଅନେକ କର୍ମଚାରୀଙ୍କୁ ସ୍ୱେଚ୍ଛାକୃତ ଅବସର ପ୍ରଦାନ କରାଯାଇଛି। ଜିଓର ଆଗମନ ପରେ ଦୂର ସଂଚାର କ୍ଷେତ୍ରରେ ୭୫୦୦୦ ଛଟେଇ ହୋଇଛି। ଆଗାମୀ ଦିନରେ ଆଉ ୪୦ ହଜାର ଛଟେଇ ହେବାର ଆଶଙ୍କା ରହିଛି। ବ୍ୟାଙ୍କ ଏବଂ ଆର୍ଥିକ ସେବା ପ୍ରଦାନକାରୀ କ୍ଷେତ୍ରରେ ମଧ୍ୟ ଛଟେଇ ହୋଇଥିବା ଅନୁମାନ କରାଯାଉଛି।

୨୦୧୮ରେ ଯଦି ଅଧିକ ଚାକିରି ସୃଷ୍ଟି ହେବ ତେବେ ସରକାରଙ୍କୁ ତାହା ଆଶ୍ୱାସ୍ତ କରିବ ଏବଂ ଦେଶରେ ବେରୋଜଗାର ଲୋକଙ୍କ ସଂଖ୍ୟା କମ ହେବ। ଯଦି ଦରମାରେ ବୃଦ୍ଧି ହେବ ତେବେ ଚାକିରି କରୁଥିବା ଲୋକମାନେ ବହୁତ ଖୁସି ହେବେ କାରଣ ୨୦୧୭ରେ ସେମାନଙ୍କୁ ଏତେ ଭଲ ବେତନ ବୃଦ୍ଧି ମିଳିନାହିଁ। ବେତନରେ ୧୦-୧୫%ର ବୃଦ୍ଧି ହେବ ବୋଲି ଆଶା କରାଯାଉଛି।
ଟିମ୍‌ଲିଜ୍‌ ସର୍ଭିସେସ୍‌ର ସହ ପ୍ରତିଷ୍ଠାତା ଋତୁପର୍ଣ୍ଣା ଚକ୍ରବର୍ତୀ କହିଛନ୍ତି ଯେ ଆର୍ଥିକ ସେବା, ଖୁଚୁରା, ଇ-କମର୍ସ, ଗଣମାଧ୍ୟମ ଏବଂ ମନୋରଞ୍ଜନ କ୍ଷେତ୍ରରେ ୨୦୧୮ରେ ଅଧିକ ଚାକିରି ସୃଷ୍ଟି ହେବ।

ସମ୍ବନ୍ଧିତ ଖବର