୨୦୧୯ରୁୁ ସବୁ କାର୍‌ରେ ଏୟାରବ୍ୟାଗ

ନୂଆଦିଲ୍ଲୀ: କାର୍‌ ନିର୍ମାତାମାନଙ୍କୁ ୨୦୧୯ ସୁଦ୍ଧା ସମସ୍ତ କାର୍‌ରେ ଏୟାରବ୍ୟାଗ୍‌, ସ୍ପିଡ୍‌ ଆଲର୍ଟ ଏବଂ ପାର୍କିଂ ସେନ୍‌ସର୍‌ ଭଳି ସୁବିଧା ପ୍ରଦାନ କରିବାକୁ ପଡ଼ିବ। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଏହି ସବୁ ସୁବିଧା କେବେଠାରୁ କାର୍ଯ୍ୟକାରୀ କରାଯିବ ତାହାର ସମୟ ସୀମା ଧାର୍ଯ୍ୟ କରାଯାଇଛି। କିଛି ଦିନ ମଧ୍ୟରେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ।

୨୦୧୯ ଜୁଲାଇ ୧ ସୁଦ୍ଧା କାର୍‌ ନିର୍ମାତାମାନଙ୍କୁ ବାଧ୍ୟତାମୂଳକ ଭାବେ ଏୟାରବ୍ୟାଗ୍‌, ସିଟ୍‌ ବେଲ୍‌ଟ ରିମାଇଣ୍ଡର୍‌, ୮୦ କିମିରୁ ଅଧିକ ବେଗରେ କାର୍‌ ଗତି କଲେ ଗତି ଆଲର୍ଟ, ପାର୍କିଂ ସେନ୍‌ସର ଆଲର୍ଟ ଆଦି ସୁବିଧା ଦେବାକୁ ପଡ଼ିବ। ଏହା ବ୍ୟତୀତ ସେଣ୍ଟ୍ରାଲ୍‌ ଲକିଂ ବ୍ୟବସ୍ଥା ବାଦ କାର୍‌ରେ ମାନୁଆଲ୍‌ ବ୍ୟବସ୍ଥା ଦେବାକୁ ପଡ଼ିବ ଯାହାକୁ ଜରୁରୀକାଳୀନ ପରିସ୍ଥିତିରେ ବ୍ୟବହାର କରାଯାଇପାରିବ। ବର୍ତ୍ତମାନ ଏହି ସମସ୍ତ ସୁବିଧା ସୁଯୋଗ କେବଳ ଦାମୀ ବିଳାସପୂର୍ଣ୍ଣ କାର୍‌ଗୁଡ଼ିକରେ ରହିଛି। କାର୍‌ ଭିତରେ ଯାତ୍ରା କରୁଥିବା ଯାତ୍ରୀଙ୍କ ନିରାପତ୍ତା ପାଇଁ ଏହି ସବୁ ସୁବିଧା ଜରୁରୀ। ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ମନ୍ତ୍ରଣାଳୟ ପକ୍ଷରୁ ଯେଉଁ ଚିଠା ପ୍ରସ୍ତାବ ପ୍ରସ୍ତୁତ କରାଯାଇଥିଲା ତାହାକୁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ମଞ୍ଜୁରି ପ୍ରଦାନ କରିଛନ୍ତି। ପ୍ରତିବର୍ଷ ଦେଶରେ ସଡ଼କ ଦୁର୍ଘଟଣାରେ ଶହ ଶହ ଲୋକ ପ୍ରାଣ ହରାଉଛନ୍ତି। ଦୁର୍ଘଟଣାରେ ଉଭୟ ଗାଡ଼ି ଭିତରେ ଥିବା ଲୋକ ଏବଂ ରାସ୍ତାରେ ଯାଉଥିବା ଲୋକଙ୍କ ଜୀବନ ଯାଉଛି। ସେମାନଙ୍କ ଜୀବନକୁ ସୁରକ୍ଷା ପ୍ରଦାନ କରିବା ଲକ୍ଷ୍ୟ ନେଇ କାର୍‌ରେ ଏହି ସବୁ ସୁବିଧା ପ୍ରଦାନ କରାଯିବା ଦରକାର ବୋଲି ସରକାର ଭାବୁଛନ୍ତି। କେବଳ ୨୦୧୬ରେ ଦ୍ରୁତଗାମୀ ଗାଡ଼ିରେ ଦୁର୍ଘଟଣା ଯୋଗୁଁ ୭୪ ହଜାର ଲୋକ ପ୍ରାଣ ହରାଇଥିଲେ। ୨୦୧୯ ସୁଦ୍ଧା କାର୍‌ଗୁଡ଼ିକରେ ଏଭଳି ଏକ ଅଡିଓ ବ୍ୟବସ୍ଥା ଖଞ୍ଚାଯିବ ଯାହା କାର୍‌ଟି ଘଣ୍ଟା ପିଛା ୮୦ କିମିରୁ ଅଧିକ ବେଗରେ ଗତି କଲେ ଆଲର୍ଟ ପ୍ରଦାନ କରିବ। ଗାଡ଼ିର ବେଗ ଘଣ୍ଟା ପିଛା ୧୦୦ କିମି ଟପିଗଲେ ଆଲର୍ଟ ଅଧିକ ଜୋରରେ ବାଜିବ। ଯଦି ଗାଡ଼ିର ଗତି ଘଣ୍ଟା ପିଛା ୧୨୦ କିମିରୁ ଅଧିକ ହୋଇଯିବ ତେବେ ନନ୍‌-ଷ୍ଟପ୍‌ ଭାବେ ଆଲର୍ଟ ବାଜିବ।
ସେଣ୍ଟ୍ରାଲ୍‌ ଲକିଂ ବ୍ୟବସ୍ଥା ସହିତ କାର୍‌ଗୁଡ଼ିକରେ ମାନୁଆଲ ବ୍ୟବସ୍ଥା ରହିବ। ଯାହାକୁ ବ୍ୟବହାର କରି ଭିତରେ ଥିବା ଯାତ୍ରୀମାନେ ସହଜରେ ବାହାରକୁ ବାହାରି ପାରିବେ। ପଛୁଆ ପାର୍କିଂ କରିବା ବେଳେ ହେଉଥିବା ଦୁର୍ଘଟଣାକୁ ରୋକିବା ପାଇଁ ପାର୍କିଂ ସେନ୍‌ସର୍‌ ଆଲର୍ଟ କାର୍‌ଗୁଡ଼ିକରେ ବ୍ୟବହାର କରାଯିବ। ପଛୁଆ ପାର୍କିଂ କରିବା ବେଳେ ଯଦି ପଛରେ କୌଣସି ସାମଗ୍ରୀ ରହିଥିବ ସେ ବିଷୟରେ ଡ୍ରାଇଭର୍‌ ସବୁ କିଛି ଜାଣିପାରିବେ।

ଏହି ସବୁ ବ୍ୟବସ୍ଥା ଲାଗୁ ହୋଇଯିବା ପରେ ଭାରତରେ ସାମ୍ନା ଏବଂ ପାର୍ଶ୍ୱ ଦୁର୍ଘଟଣା ପରୀକ୍ଷଣ ବ୍ୟବସ୍ଥା ଲାଗୁ କରାଯିବ। ବିକଶିତ ରାଷ୍ଟ୍ରଗୁଡ଼ିକରେ ଏହି ସବୁ ବ୍ୟବସ୍ଥା ରହିଛି। କେବଳ ସେତିକି ନୁହେଁ, ସହରାଞ୍ଚଳରେ ଯାତାୟାତ କରୁଥିବା ଲଘୁ ବାଣିଜ୍ୟିକ ଯାନଗୁଡ଼ିକ ପାଇଁ ମଧ୍ୟ ଏୟାରବ୍ୟାଗ୍‌ ଏବଂ ପଛ ପାର୍କିଂ ସେନ୍‌୍‌ସର ବ୍ୟବସ୍ଥାକୁ ବାଧ୍ୟତାମୂଳକ କରିବା ଉପରେ ବିଚାର ବିମର୍ଶ ଜାରି ରହିଛି।

ସମ୍ବନ୍ଧିତ ଖବର