ନରେନ୍ଦ୍ର ମୋଦୀଙ୍କ ସରକାର ଦ୍ବିତୀୟ ପାଳି ଆରମ୍ଭ କରିବା ସହିତ ଦେଶର ଅର୍ଥନୀତିକୁ ୫ ଟ୍ରିଲିଅନ୍ ଡଲାରରେ ପରିଣତ କରିବାର ମହତ୍ବାକାଂକ୍ଷୀ ଲକ୍ଷ୍ୟ ବିଷୟରେ ଘୋଷଣା କରିଥିଲେ। ଏହି ଲକ୍ଷ୍ୟ ଉପରେ ବିଭିନ୍ନ ମହଲ ସନ୍ଦେହ ପ୍ରକଟ କରିଛନ୍ତି। ମୋଦୀ ସରକାର ଚଳିତ ବର୍ଷ ଅର୍ଥନୀତିକୁ ନେଇ ସବୁଠୁ ବଡ଼ ଆହ୍ବାନକୁ ସାମ୍ନା କରିଛନ୍ତି। ଗାଡ଼ି ବଜାର ଠାରୁ ଆରମ୍ଭ କରି ବିସ୍କୁଟ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ମାନ୍ଦାବସ୍ଥା ଦେଖିବାକୁ ମିଳିଥିଲା। ଏହା ବ୍ୟତୀତ ବେକାରି ସମସ୍ୟା ମଧ୍ୟ ସରକାରଙ୍କ ଲାଗି ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଥିଲା। ଅର୍ଥନୀତିକୁ ସମ୍ଭାଳିବାରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଥିବା ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରିଥିଲେ
ଅଳଙ୍କରଣ: ରବି
୧୦ ସରକାରୀ ବ୍ୟାଙ୍କରେ ମିଶ୍ରଣ
କେନ୍ଦ୍ର ସରକାର ୧୦ଟି ସରକାରୀ ବ୍ୟାଙ୍କ ମଧ୍ୟରେ ମିଶ୍ରଣ କରି ୪ଟି ବଡ଼ ବ୍ୟାଙ୍କ ଗଠନ କରିବାକୁ ଘୋଷଣା କରିଥିଲେ। ସେହି ବ୍ୟାଙ୍କଗୁଡ଼ିକ ହେଉଛି ଓରିଏଣ୍ଟାଲ୍ ବ୍ୟାଙ୍କ ଅଫ୍ କମର୍ସ, ୟୁନାଇଟେଡ୍ ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ, ସିଣ୍ଡିକେଟ୍ ବ୍ୟାଙ୍କ, କାନାରା ବ୍ୟାଙ୍କ, ୟୁନିୟନ ବ୍ୟାଙ୍କ, ଆଲ୍ଲାହାବାଦ ବ୍ୟାଙ୍କ, ଆନ୍ଧ୍ର ବ୍ୟାଙ୍କ, କର୍ପୋରେସନ୍ ବ୍ୟାଙ୍କ ଓ ୟୁନାଇଟେଡ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ।
୪୧ ହଜାର ଟପିଲା ସେନସେକ୍ସ
ବମ୍ବେ ଷ୍ଟକ ବଜାରର ସେନ୍ସେକ୍ସ ଚଳିତ ବର୍ଷ ୪୧ ହଜାର ପଏଣ୍ଟ୍ ସ୍ତର ଅତିକ୍ରମ କରିଛି। ତେବେ ବର୍ଷତମାମ ବିଭିନ୍ନ ପ୍ରସଙ୍ଗ ଯୋଗୁଁ ଷ୍ଟକ ବଜାର କାରବାର ଅସ୍ଥିର ରହିଥିଲା। ଭାରତ-ପାକିସ୍ତାନ ମଧ୍ୟରେ ସମସ୍ୟା, ସାଧାରଣ ନିର୍ବାଚନର ଫଳାଫଳ, ବଜେଟ୍ରେ ଧନୀଙ୍କ ଉପରେ ଲଗାଯାଇଥିବା ସରଚାର୍ଜ, ଅର୍ଥନୈତିକ ଅଭିବୃଦ୍ଧି ହ୍ରାସ ପାଇବା, ରିଜର୍ଭ ବ୍ୟାଙ୍କ ଦ୍ବାରା ସୁଧ ହାରରେ ବାରମ୍ବାର ହ୍ରାସ ଯୋଗୁଁ ଷ୍ଟକ ବଜାର କାରବାର ଅସ୍ଥିର ରହିଥିଲା।
ବେକାରି ହାର ୪୫ ବର୍ଷରେ ସର୍ବାଧିକ
ବେକାରି ହାରକୁ ନେଇ ଏନ୍ଏସ୍ଏସ୍ଓ ପ୍ରସ୍ତୁତ କରିଥିବା ରିପୋର୍ଟ ଗଣମାଧ୍ୟମରେ ଲିକ୍ ହୋଇଯିବା ସହ ସରକାରଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଥିଲା। ୨୦୧୭-୧୮ରେ ବେକାରି ହାର ୬.୧% ଥିଲା। ଗତ ୪୫ ବର୍ଷ ଭିତରେ ତାହା ସର୍ବାଧିକ ଥିଲା ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ରହିଥିଲା। ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସରକାର ସେହି ରିପୋର୍ଟ ପ୍ରକାଶ କରିନଥିଲେ ବୋଲି ଅଭିଯୋଗ ହୋଇଥିଲା।
ବିସ୍କୁଟ, ଇନରଓୟାର୍ ବିକ୍ରି କମିଲା
ତେଲ, ସାବୁନ, ସାମ୍ପୁ, ବିସ୍କୁଟ ଓ ଇନରଓୟାର ଆଦିର ବିକ୍ରି କମିଥିଲା। ଲୋକମାନେ ପାଞ୍ଚ ଟଙ୍କିଆ ବିସ୍କୁଟ କିଣିବାକୁ ମଧ୍ୟ ଦୁଇ ଥର ଭାବୁଥିଲେ। ସ୍ଥିତି ଏଭଳି ହୋଇଥିଲା ଯେ ଦେଶର ସର୍ବବୃହତ ବିସ୍କୁଟ ନିର୍ମାତା ପାର୍ଲେ ୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିବ ବୋଲି ଚେତାବନୀ ଦେଇଥିଲା। ପୁରୁଷମାନଙ୍କ ଇନରଓୟାର୍ ବିକ୍ରି କମିବା ମଧ୍ୟ ମାନ୍ଦାବସ୍ଥାର ଅନ୍ୟତମ ଲକ୍ଷଣ ଭାବେ ବିଚାର କରାଯାଉଥିଲା।
୪୮ ଏମ୍ପି କ୍ୟାମେରା ଫୋନ୍, ଇୟର ବଡ୍
ଚଳିତ ବର୍ଷ ଶାଓମି ଠାରୁ ଆରମ୍ଭ କରି ସାମସଙ୍ଗ ପର୍ଯ୍ୟନ୍ତ ଅନେକ ହ୍ୟାଣ୍ଡସେଟ୍ ନିର୍ମାତା ଲୋକମାନଙ୍କ ହାତରେ ସୁଲଭ ମୂଲ୍ୟର ସ୍ମାର୍ଟଫୋନ୍ ପହଂଚାଇଥିଲେ। ଚଳିତ ବର୍ଷ ପପ୍-ଅପ୍ କ୍ୟାମେରା ଏବଂ ୪୮ ମେଗା ପିକ୍ସେଲ୍ କ୍ୟାମେରା ଫୋନ୍ ବଜାରକୁ ଆସିଥିଲା। ବ୍ଲୁ ଟୁଥ୍ ଓ ନଏଜ୍ କ୍ୟାନସେଲେସନ୍ ସୁବିଧା ଥିବା ହେଡ୍ଫୋନ୍ର ବହୁଳ ପ୍ରଚଳନ ଦେଖିବାକୁ ମିଳିଥିଲା। କର୍ଡଲେସ୍ ଇୟର ବଡ୍ ମଧ୍ୟ ବଜାରକୁ ଆସିଥିଲା।
କାମ ଦେଲାନି ନିର୍ମଳାଙ୍କ ପ୍ୟାକେଜ୍
ମାନ୍ଦାବସ୍ଥା କବଳରେ ପଡ଼ିଯାଇଥିବା ଅର୍ଥନୀତିକୁ ଆଗକୁ ବଢ଼ାଇବା ଲାଗି ଦେଶର ଦ୍ବିତୀୟ ମହିଳା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅନେକ ପ୍ୟାକେଜ୍ ଘୋଷଣା କରିଥିଲେ। ସେ ସବୁ କ୍ଷେତ୍ରର ପ୍ରତିନିଧିମାନଙ୍କ ସହ ଘନ ଘନ ବୈଠକ କରି ଅର୍ଥନୀତିରେ ଥିବା ସମସ୍ୟା ଜାଣିବାକୁ ପ୍ରୟାସ କରିଥିଲେ। ବିଭିନ୍ନ ପର୍ଯ୍ୟାୟରେ ଗାଡ଼ି ବଜାର, ରିଅଲ ଇଷ୍ଟେଟ୍ ଓ ବ୍ୟାଙ୍କ ଶିଳ୍ପ ପାଇଁ ପ୍ୟାକେଜ୍ ଘୋଷଣା କରିଥିଲେ। ସବୁଠୁ ବଡ଼ ନିଷ୍ପତ୍ତି ଭାବେ କଂପାନି ଟିକସକୁ ୩୦%ରୁ କମାଇ ୨୨% କରିଥିଲେ। ଏତେ ସବୁ ପଦକ୍ଷେପ ସତ୍ତ୍ବେ ଅର୍ଥନୀତି ଆଗକୁ ବଢ଼ିବା ପରିବର୍ତେ ତଳକୁ ତଳକୁ ଖସିଥିଲା।
ଜିଏସ୍ଟି ଦେଲା ଝଟ୍କା
ଚଳିତ ବର୍ଷ ବଜେଟ୍ରେ ଜିଏସ୍ଟି ନେଇ ସରକାର ଯେଉଁ ଲକ୍ଷ୍ୟ ରଖିଥିଲେ ସେହି ଅନୁସାରେ ପ୍ରତି ମାସରେ ଅତି କମରେ ୧ ଲକ୍ଷ ୧୦ ହଜାର କୋଟି ଟଙ୍କାର ଜିଏସ୍ଟି ଆଦାୟ ହେବା କଥା। ମାତ୍ର ଦୁଇ କିମ୍ବା ତିନିଟି ମାସକୁ ବାଦ ଦେଲେ ଅନ୍ୟ କୌଣସି ମାସରେ ଜିଏସ୍ଟି ଆଦାୟ ଆଶାନୁରୂପ ହୋଇପାରିନଥିଲା। ସରକାର ନିଜର ଧାର୍ଯ୍ୟ ଲକ୍ଷ୍ୟ ଠାରୁ ୪୦% କମ୍ ଜିଏସ୍ଟି ଆଦାୟ କରିଛନ୍ତି। ଗୋଟିଏ ପଟେ ଜିଏସ୍ଟି ରାଜସ୍ବ କମିଥିବା ବେଳେ ବର୍ଷ ଶେଷ ଆଡ଼କୁ ରାଜ୍ୟଗୁଡ଼ିକ ଜିଏସ୍ଟି କ୍ଷତିପୂରଣ ମିଳୁନଥିବା ନେଇ ଅଭିଯୋଗ କରିଥିଲେ। ବିଶେଷ କରି ଅଣ-ବିଜେପି ଶାସିତ ରାଜ୍ୟଗୁଡ଼ିକ ମିଳିତ ହୋଇ ସରକାରଙ୍କୁ ଏହି ପ୍ରସଙ୍ଗରେ ଘେରିଥିଲେ।ଆୟ କମ୍, ବ୍ୟୟ ଅଧିକ
ସରକାର ଟିକସ ରାଜସ୍ବ ବଢ଼ାଇବାରେ ଏକପ୍ରକାର ବିଫଳ ହୋଇଛନ୍ତି। ଆଶାନୁରୂପ ଜିଏସ୍ଟି ଆଦାୟ ହୋଇପାରିନଥିବା ବେଳେ ପ୍ରତ୍ୟକ୍ଷ କର ଯଥା ବ୍ୟକ୍ତିଗତ ଆୟକର ଓ କଂପାନି ଟିକସ ଆୟ ମଧ୍ୟ ୫୦% କମ୍ ରହିଛି। ଆୟ କମୁଥିବା ବେଳେ ସରକାରଙ୍କ ବ୍ୟୟ ବଢ଼ିଚାଲିଥିଲା। ସେଥିପାଇଁ ଆର୍ଥିକ ବର୍ଷର ପ୍ରଥମ ସାତ ମାସ ଭିତରେ ବିତ୍ତୀୟ ନିଅଣ୍ଟ ବେଲଗାମ ହୋଇପଡ଼ି ୧୦୨.୪% ହୋଇଯାଇଛି।
ରେଳ ଆୟ ୧୦ ବର୍ଷରେ ସବୁଠୁ କମ୍
ଭାରତୀୟ ରେଳର ଆୟ ୧୦ ବର୍ଷ ଭିତରେ ସର୍ବନିମ୍ନ ସ୍ତରକୁ ଖସିଯାଇଛି। ସିଏଜିଙ୍କ ରିପୋର୍ଟ ଅନୁସାରେ ୨୦୧୭-୧୮ରେ ରେଳବାଇ ପ୍ରତି ୧୦୦ ଟଙ୍କା ଆୟ କରିବା ଲାଗି ୯୮ ଟଙ୍କା ୪୪ ପଇସା ଖର୍ଚ କରିଛି। ଅର୍ଥାତ ଏହାର ଲାଭ ପ୍ରତି ୧୦୦ ଟଙ୍କାରେ ଦୁଇ ଟଙ୍କା ମଧ୍ୟ ହୋଇପାରିନାହିଁ। ବିଗତ ଦଶନ୍ଧିରେ ଏହା ହେଉଛି ଭାରତୀୟ ରେଳର ସବୁଠୁ ଖରାପ ପ୍ରଦର୍ଶନ।