୨୦୧୯ ଭାରତୀୟ ଅର୍ଥନୀତି ଲାଗି ଏତେଟା ଭଲ ରହିନାହିଁ। ଜିଡିପି ଅଭିବୃଦ୍ଧି ହାର ୪.୫% ଭଳି ନିମ୍ନ ସ୍ତରକୁ ଖସିଯାଇଥିବା ବେଳେ ଖାଦ୍ୟ ସାମଗ୍ରୀର ଦର ବୃଦ୍ଧି ସାଧାରଣ ଲୋକଙ୍କ ସମସ୍ୟା ବଢ଼ାଇ ଦେଇଛି। ଗାଡ଼ି ବଜାର ସମ୍ପୂର୍ଣ୍ଣ ମାନ୍ଦା ରହିଥିବା ବେଳେ ଟେଲିକମ୍ ଶିଳ୍ପ ମଧ୍ୟ ସଙ୍କଟ ମଧ୍ୟକୁ ଠେଲି ହୋଇଯାଇଛି। ବେକାରି ହାର ବଢ଼ିଥିବା ବେଳେ ଲୋକମାନେ ଖର୍ଚ୍ଚ କାଟ କରିଛନ୍ତି। ଏଭଳି ଏକ ଆହ୍ବାନପୂର୍ଣ୍ଣ ସମୟରେ ୨୦୧୯ ଶେଷ ହେବାକୁ ଯାଉଥିବା ବେଳେ ନୂଆବର୍ଷ ୨୦୨୦ ଆସୁଛି। ଏହି ବର୍ଷଟି ଦେଶର ଅର୍ଥନୀତି ଓ ଶିଳ୍ପ ଜଗତ ପାଇଁ କିଭଳି ରହିବ ତାହାକୁ ନେଇ ଆମର ଏହି ଉପସ୍ଥାପନା:
Sambad is now on WhatsApp
Join and get latest news updates delivered to you via WhatsApp
୨୦୧୯ ବର୍ଷ ଆରମ୍ଭରୁ ଅର୍ଥନୀତି ପାଇଁ ସେତେଟା ଉତ୍ସାହଜନକ ନଥିଲା। ବର୍ଷ ଶେଷବେଳକୁ ମଧ୍ୟ କୌଣସି ଭଲ ଲକ୍ଷଣ ଦେଖିବାକୁ ମିଳିନାହିଁ। ସରକାର ଯେତେସବୁ ପଦକ୍ଷେପ ବର୍ଷସାରା ନେଲେ ତାହାର ସୁଫଳ ଅର୍ଥନୀତିକୁ ମିଳିପାରିଲା ନାହିଁ। ବରଂ ଅଭିବୃଦ୍ଧି ଠାରୁ ଆରମ୍ଭ କରି ଟିକସ ରାଜସ୍ବ, ବିକ୍ରିବଟା ଏବଂ ଦରବୃଦ୍ଧି ଆଦି ସମସ୍ୟାରେ ଅର୍ଥନୀତି ଘାଣ୍ଟି ହେଲା। ଯେଉଁ ମାତ୍ରାରେ ଏସବୁ ତଥ୍ୟ ପ୍ରକାଶ ପାଇଲା ତାହା ଲୋକଙ୍କୁ ଅଧିକାଂଶ ସମୟରେ ନିରାଶ ମଧ୍ୟରେ ରଖିଥିଲା। ୨୦୧୯ ଆଉ କିଛି ଘଣ୍ଟା ପରେ ବିଦାୟ ନେବ ଏବଂ ୨୦୨୦ ଆରମ୍ଭ ହେବ। ନୂଆବର୍ଷ ଅର୍ଥନୀତି ପାଇଁ କେମିତି ରହିବ ତାହାକୁ ନେଇ ବିଭିନ୍ନ ମହଲରେ ଉଭୟ ଆଶା ଓ ଆଶଙ୍କା ଦେଖାଦେଇଛି। ତେବେ କେତେକ ବିଶେଷଜ୍ଞ ଏବଂ ବିଶ୍ଳେଷକଙ୍କ ମତରେ ଅର୍ଥନୀତିରେ ୨୦୧୯ ମସିହା ଭଳି ୨୦୨୦ରେ ଯନ୍ତ୍ରଣା ଲାଗି ରହିପାରେ। ପ୍ରଥମାର୍ଦ୍ଧ ଅଧିକ କଷ୍ଟଦାୟକ ରହିବ। ପରେ ଅବସ୍ଥାରେ ହୁଏତ କିଛିଟା ସୁଧାର ଆସିପାରେ। ତେବେ ତାହା ଆଶାନୁରୂପ ହେବାର ସମ୍ଭାବନା କ୍ଷୀଣ ବୋଲି କୁହାଯାଉଛି।
୨୦୧୯-୨୦ ଆର୍ଥିକ ବର୍ଷର ଅଭିବୃଦ୍ଧି ସମ୍ପର୍କରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ଏହାର ନୂଆ ଆକଳନ ଆସନ୍ତା ଜାନୁଆରି ମାସରେ ପ୍ରକାଶ କରିବ। ତେବେ ଏହା ପୂର୍ବ ଆକଳନଠାରୁ ଖରାପ ରହିବା ନେଇ ଆଶଙ୍କା ରହିଛି। ଚଳିତ ଆର୍ଥିକ ବର୍ଷ ଶେଷ ହେବାକୁ ଆଉ ୩ ମାସ ରହିଛି। ଏହାପରେ ୨୦୨୦-୨୧ ଆର୍ଥିକ ବର୍ଷ ଆରମ୍ଭ ହେବ। ତେଣୁ ଚଳିତ ଆର୍ଥିକ ବର୍ଷ ତୁଳନାରେ ଆସନ୍ତା ଆର୍ଥିକ ବର୍ଷର ସ୍ଥିତି କ’ଣ ରହିବ ତାହାକୁ ନେଇ ଚିନ୍ତା ଦେଖାଦେଇଛି। ଯେଉଁସବୁ ଅର୍ଥନୀତିଜ୍ଞ ଭାରତର ଅର୍ଥନୈତିକ ଅଭିବୃଦ୍ଧିକୁ ନେଇ ପୂର୍ବରୁ ସତର୍କ କରାଇଥିଲେ ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ଆକଳନ ହେଲା ଏହା ୬ ପ୍ରତିଶତରୁ ୬.୫ ପ୍ରତିଶତ ଭିତରେ ରହିପାରେ। କିନ୍ତୁ ଏହା ୭ ପ୍ରତିଶତ ପାଖାପାଖି ରହିବ ବୋଲି ଆକଳନ କରିବାକୁ କେହି ଏପର୍ଯ୍ୟନ୍ତ ସାହସ କରିପାରୁ ନାହାନ୍ତି। ଏହାର କାରଣ ହେଲା ଦେଶରେ ଘରୋଇ ନିବେଶ, ଚାହିଦା ଏବଂ ନିଯୁକ୍ତି ଆଦି ଏବେ ବି ନିମ୍ନମୁଖୀ ରହିଛି। ସୁଧାର ଆସିବା ପ୍ରସଙ୍ଗକୁ ବିଶେଷଜ୍ଞମାନେ ଯଦିଓ ସମ୍ପୂର୍ଣ୍ଣ ଏଡ଼ାଇ ଦେଇନାହାନ୍ତି ତଥାପି ଏଥିପାଇଁ ଚାହିଦା ଏବଂ ଖର୍ଚ୍ଚ ବୃଦ୍ଧି ପାଇବା ଆବଶ୍ୟକ ବୋଲି ମତ ଦେଉଛନ୍ତି।
ଏସବୁ ପ୍ରଶ୍ନର ଉତ୍ତର ମିଳିବ
ଅର୍ଥନୀତିରୁ ମାନ୍ଦାବସ୍ଥା ଦୂର ହେବ ନା ନାହି?
ଲୋକମାନେ ଅଧିକ ଖର୍ଚ୍ଚ କରିବେ ନା ନାହିଁ?
ଭାରତୀୟ କଂପାନିଗୁଡ଼ିକ ନିଜର ପୁଞ୍ଜିନିବେଶ ବଢ଼ାଇବେ ନା ନାହିଁ?
ଆୟକର ହାର ଓ ଜିଏସ୍ଟି ହାର କମିବ ନା ନାହି?
ନିଯୁକ୍ତିକୁ ନେଇ ରହିଥିବା ସଙ୍କଟ ଦୂର ହେବ ତ?
ରିଜର୍ଭ ବ୍ୟାଙ୍କ ସୁଧ କମାଉଥିବାରୁ ଋଣର ସୁଧ କମିବ ନା ନାହି?
ସେନ୍ସେକ୍ସ ୫୦,୦୦୦ ପଏଣ୍ଟ୍ରେ ପହଞ୍ଚିପାରିବ ନା ନାହି?
ଏୟାର ଇଣ୍ଡିଆ, ବିପିସିଏଲ୍ ବିକ୍ରି ହେବ ନା ନାହିଁ?
ଡ୍ରୋନ୍ ଡେଲିଭରିକୁ ସରକାର ଅନୁମତି ଦେବେ ନା ନାହିଁ?
ବ୍ୟକ୍ତିଗତ ତଥ୍ୟ ସୁରକ୍ଷାକୁ ଗୁରୁତ୍ବ ମିଳିବ ନା ନାହିଁ?