ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷର ବଜେଟ୍‌ ଉପା ସରକାର ଶେଷ ଥର ପାଇଁ ୨୦୧୩-୧୪ରେ ଉପସ୍ଥାପନ କରିଥିବା ବଜେଟ୍‌ଠାରୁ ପ୍ରାୟ ତିନି ଗୁଣା ବଡ଼ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଉପାର ଶେଷ ବଜେଟ୍‌ ୧୬ ଲକ୍ଷ କୋଟି ଟଙ୍କାର ଥିଲା। ଚଳିତ ବଜେଟ୍‌ର ଆକାର ହେଉଛି ୪୮ ଲକ୍ଷ କୋଟି ଟଙ୍କା। ସିଆଇଆଇ ପକ୍ଷରୁ ଆୟୋଜିତ ବଜେଟ୍‌ ପରବର୍ତ୍ତୀ ଆଲୋଚନାରେ ଯୋଗଦେଇ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। ସମ୍ବଳ ବିନିଯୋଗର ମାପକାଠି ଭାବେ ବିଚାର କରାଯାଉଥିବା ପୁଞ୍ଜି ବ୍ୟୟ ପରିମାଣ ୨୦୦୪ରେ ୯୦ ହଜାର କୋଟି ଟଙ୍କା ଥିଲା। ୧୦ ବର୍ଷରେ ତାହା ୨ ଲକ୍ଷ କୋଟିକୁ ବୃଦ୍ଧି ପାଇଥିଲା। ଏବେ ପୁଞ୍ଜି ବ୍ୟୟ ୫ ଗୁଣା ବୃଦ୍ଧି ପାଇ ୧୧ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ୧୦ ବର୍ଷ ଭିତରେ ରେଳବାଇ ଓ ରାଜପଥ ବଜେଟ୍‌ ୮ ଗୁଣା ଏବଂ କୃଷି ବଜେଟ୍‌ ୪ ଗୁଣା ଓ ପ୍ରତିରକ୍ଷା ବଜେଟ୍‌ ୨ ଗୁଣା ବଢ଼ିଛି ବୋଲି ସେ ସୂଚନା ଦେଇଛନ୍ତି।

Advertisment

ମହାମାରୀ, ପ୍ରାକୃତିକ ବିପର୍ଯ୍ୟୟ ଓ ଯୁଦ୍ଧ ଭଳି ଅନେକ ଆହ୍ବାନ ସତ୍ତ୍ବେ ବିଶ୍ବ ଅର୍ଥନୀତି ପ୍ରତି ଭାରତର ଅବଦାନ ୧୬ ପ୍ରତିଶତକୁ ବୃଦ୍ଧି ପାଇଛି। ୧୦ ବର୍ଷରେ ୨୫ କୋଟି ଲୋକ ଦାରିଦ୍ର୍ୟମୁକ୍ତ ହୋଇଛନ୍ତି। ୮ କୋଟିରୁ ଅଧିକ ଲୋକ ନୂଆ ବ୍ୟବସାୟ ଆରମ୍ଭ କରିଛନ୍ତି। ଦେଶରେ ୧.୪୦ ଲକ୍ଷ ଷ୍ଟାର୍ଟଅପ୍‌ ରହିଛି। ଚଳିତ ବର୍ଷ ବଜେଟ୍‌ରେ ଯୁବବର୍ଗଙ୍କ ଦକ୍ଷତା ଓ ନିଯୁକ୍ତି, ବହୁମୁଖୀ ଲଜି‌ଷ୍ଟିକ୍ସ ପାର୍କ, ୧୦୦ ଜିଲ୍ଲା ପାଇଁ ନିବେଶ ପାର୍କ, ଏମ୍ଏସଏମ୍ଇ ପାଇଁ ସୁବିଧା, କୃଷି ପାଇଁ ଡିଜିଟାଲ୍‌ ଭିତ୍ତିଭୂମି, ଭୂ-ଆଧାର କାର୍ଡ, ମହାକାଶ ଅର୍ଥନୀତି ଓ ଖଣିଜ ମିସନ ଆଦି ଉପରେ ହୋଇଥିବା ଘୋଷଣା ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ। ଏହି ଅବସରରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ଓ ସିଆଇଆଇ ସଭାପତି ସଞ୍ଜୀବ ପୁରୀ ଉପସ୍ଥିତ ଥିଲେ।