ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ଦେଇଥିବା ସୂଚନା ଅନୁସାରେ ୨୦୨୩-୨୪ ଆର୍ଥିକ ବର୍ଷରେ ପ୍ରତିଟି ଓଡ଼ିଆଙ୍କ ମୁଣ୍ଡରେ ୨୦,୭୩୬ ଟଙ୍କାର ଋଣ ରହିଥିବା ବେଳେ ସରକାରଙ୍କ ଖାତାରେ ୯୬,୩୧୦.୪୦ କୋଟି ଟଙ୍କାର ଋଣ ରହିଛି। ୨୦୦୦-୦୧ରେ ମୁଣ୍ଡପିଛା ଋଣ ୫୭୩୮ ଟଙ୍କା ୨୨ ପଇସା ଥିଲା। ସେହି ସମୟରେ ରାଜ୍ୟର ଋଣ ଭାର ୨୧,୦୦୧.୮୮ କୋଟି ଟଙ୍କା ଥିଲା। ୨୦୧୪-୧୫ ବେଳକୁ ରାଜ୍ୟ ଋଣ ୪୩,୨୭୩ ଟଙ୍କା ୩୮ ପଇସାକୁ ଓ ମୁଣ୍ଡପିଛା ଋଣ ୯୯୭୦.୬୦ ଟଙ୍କାକୁ ବୃଦ୍ଧି ପାଇଥିଲା ବୋଲି ସେ କହିଛନ୍ତି। ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଜଣାଇଛନ୍ତି ଯେ ରାଜସ୍ବ ବଳକା ସୃଷ୍ଟି କରି ଋଣ ଉପରେ ଥିବା ନିର୍ଭରଶୀଳତା କମ୍ କରାଯାଇଛି। ୨୦୦୬-୦୭ରୁ ୨୦୧୩-୧୪ ଏବଂ ୨୦୨୧-୨୨ରୁ ବର୍ତ୍ତମାନ ସୁଦ୍ଧା ସରକାର ଖୋଲା ବଜାରରୁ ଋଣ ଆଣିନାହାନ୍ତି। ଅଧିକ ସୁଧ ଥିବା ଋଣ ଆଗୁଆ ପଇଠ କରାଯାଉଛି। ଜାତୀୟ ସ୍ବଳ୍ପ ସଞ୍ଚୟ ପାଣ୍ଠିରୁ ୨୦୧୬-୧୭ ଆର୍ଥିକ ବର୍ଷଠାରୁ କୌଣସି ଋଣ ଅଣାଯାଇନାହିଁ ବୋଲି ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି।
ରାଜ୍ୟର ଋଣ ଭାର ୨୦୧୪-୧୫ରେ ୪୩,୨୭୩.୩୮ କୋଟି ଟଙ୍କା ଥିଲା। ୨୦୧୯-୨୦ରେ ତାହା ୯୨,୭୭୫ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା। ୨୦୨୦-୨୧ରେ ସରକାରଙ୍କ ଋଣ ଭାର ସର୍ବାଧିକ ୧,୦୪,୪୫୨ କୋଟି ଟଙ୍କା ଥିଲା। ପରବର୍ତ୍ତୀ ଦୁଇ ବର୍ଷ ଅର୍ଥାତ ୨୦୨୧-୨୨ରେ ତାହା ୯୭୨୦୪.୯୮ କୋଟି ଟଙ୍କା ଓ ୨୦୨୨-୨୩ରେ ୮୮,୧୬୪ କୋଟି ଟଙ୍କାକୁ ହ୍ରାସ ପାଇଥିଲା। କିନ୍ତୁ ୨୦୨୩-୨୪ରେ ତାହା ପୁଣି ଥରେ ୯୬,୩୧୦.୪୦ କୋଟି ଟଙ୍କାକୁ ବୃଦ୍ଧି ହୋଇଥିଲା।
୨୦୧୪-୧୫ରେ ରାଜ୍ୟ ସରକାର ଖୋଲା ବଜାରରୁ ୩୦୦୦ କୋଟି ଟଙ୍କା, ୨୦୧୫-୧୬ରେ ୪୪୭୨.୮୨ କୋଟି ଟଙ୍କା, ୨୦୧୬-୧୭ରେ ୭୬୨୦ କୋଟି ଟଙ୍କା, ୨୦୧୭-୧୮ରେ ୮୪୩୮ କୋଟି ଟଙ୍କା, ୨୦୧୮-୧୯ରେ ୫୫୦୦ କୋଟି ଟଙ୍କା, ୨୦୧୯-୨୦ରେ ୭୫୦୦ କୋଟି ଟଙ୍କା ଏବଂ ୨୦୨୦-୨୧ରେ ୩୦୦୦ କୋଟି ଟଙ୍କାର ଋଣ କରିଥିଲେ। ୨୦୨୧-୨୨ ପରଠାରୁ ଆଉ ଖୋଲା ବଜାରରୁ ସରକାର ଋଣ କରିନାହାନ୍ତି। ବଜେଟ୍ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସୂଚନା ଦେଇ କହିଛନ୍ତି ଯେ ୨୦୧୪-୧୫ରେ ରାଜ୍ୟ ସରକାର ୭୬,୦୦୬.୮୭ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଥିଲେ। ଚଳିତ ଆର୍ଥିକ ବର୍ଷ ଲାଗି ୨,୬୫,୦୦୦ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରାଯାଇଛି। ବିଧାୟକ ଅମର କୁମାର ନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ ୨୦୧୯-୨୦ରେ ମୂଳ ବଜେଟ୍ ଓ ଅତିରିକ୍ତ ଖର୍ଚ୍ଚ ଦାବି ଭାବେ ୧,୫୨,୨୭୩ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବା ବେଳେ ସେଥିରୁ ୧,୨୫,୮୦୧.୪୮ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ୨୦୨୨-୨୩ରେ ୨,୫୭,୧୮୦.୭୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବା ବେଳେ ୧,୮୧,୮୬୧ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ୨୦୨୩-୨୪ରେ ୨,୫୭,୧୮୦ କୋଟି ଟଙ୍କାର ବ୍ୟୟବରାଦରୁ ୨,୦୭,୯୨୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା ବୋଲି ସେ କହିଛନ୍ତି।