ଭୁବନେଶ୍ବର: ୨୦୨୩-୨୪ ଆର୍ଥିକ ବର୍ଷ ସୁଦ୍ଧା ରାଜ୍ୟ ଉପରେ ୯୬,୩୧୦.୪୦ କୋଟି ଟଙ୍କାର ଋଣ ରହିଥିବା ବେଳେ ମୁଣ୍ଡପିଛା ଋଣ ଭାର ୨୦,୭୩୬ ଟଙ୍କା ରହିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ସୂଚନା ଦେଇଛନ୍ତି। ରାଜ୍ୟ ଓ ଦେଶ ଉପରେ କେତେ ଋଣ ରହିଛି ତାହା ଜାଣିବା ଲାଗି ବିଧାୟକ ରମେଶ ଚନ୍ଦ୍ର ବେହେରା ଓ ତାରା ପ୍ରସାଦ ବାହିନୀ ପତି ପଚାରିଥିବା ପ୍ରଶ୍ନର ଉତ୍ତରରେ ସେ ଏହା ଜଣାଇଛନ୍ତି। ଦେଶର ଋଣ ଭାର ୧,୬୮,୭୨,୨୫୪ କୋଟି ଟଙ୍କା ଥିବା ସେ ସୂଚନା ଦେଇଛନ୍ତି।

Advertisment

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ସୂଚନା ଅନୁସାରେ ୨୦୧୩-୧୪ରେ ରାଜ୍ୟ ଉପରେ ୪୩,୨୭୩.୩୮ କୋଟି ଟଙ୍କାର ଋଣ ଥିଲା। ୨୦୧୫-୧୬ରେ ତାହା ୫୨,୦୧୭.୩୩ କୋଟି ଟଙ୍କା, ୨୦୧୬-୧୭ରେ ୬୨,୧୩୫.୪୬ କୋଟି ଟଙ୍କା, ୨୦୧୭-୧୮ରେ ୭୩,୮୬୪.୬୬ କୋଟି ଟଙ୍କା, ୨୦୧୮-୧୯ରେ ୮୧,୬୭୫.୩୨ କୋଟି ଟଙ୍କା ଓ ୨୦୧୯-୨୦ରେ ୯୨,୭୭୫.୧୮ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା। ତେବେ ୨୦୨୦-୨୧ରେ ତାହା ଦଶନ୍ଧିର ସର୍ବାଧିକ ୧,୦୪,୨୦୪.୯୮ କୋଟି ଟଙ୍କାରେ ପହଞ୍ଚିଥିଲା। ତେବେ ଏହାର ପରବର୍ତ୍ତୀ ଦୁଇ ବର୍ଷରେ ‌ସେଥିରେ ହ୍ରାସ ଘଟିଥିଲା। ୨୦୨୧-୨୨ରେ ରାଜ୍ୟର ଋଣ ଭାର ୯୨,୨୦୪.୯୮ କୋଟି ଟଙ୍କା ଓ ୨୦୨୨-୨୩ରେ ୮୮,୧୬୪.୮୨ କୋଟି ଟଙ୍କାକୁ ହ୍ରାସ ପାଇଥିଲା। ସେହିପରି, ୨୦୧୪-୧୫ରେ ଦେଶର ଋଣ ପରିମାଣ ୬୨,୪୨,୫୨୦.୯୨ କୋଟି ଟଙ୍କା ଥିବା ବେଳେ ୨୦୨୩-୨୪ ସୁଦ୍ଧା ତାହା ୧,୬୮,୭୨,୫୫୪.୧୬ କୋଟି ଟଙ୍କାରେ ପହଞ୍ଚିଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

ସେହିପରି, ବିଧାୟକ ଗଣେଶ୍ବର ବେହେରାଙ୍କ କେନ୍ଦ୍ରୀୟ ଟିକସରୁ ରାଜ୍ୟର ଅଂଶ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ ପଞ୍ଚଦଶ ଅର୍ଥ ଆୟୋଗ ୨୦୨୧-୨୨ରୁ ୨୦୨୫-୨୬ ମଧ୍ୟରେ ଓଡ଼ିଶା ପାଇଁ ବିଭିନ୍ନ କ୍ଷେତ୍ରର ଅନୁଦାନ ବାବଦରେ ୪୮୭୦ କୋଟି ଟଙ୍କା ଏବଂ ୨୦୨୨-୨୩ରୁ ୨୦୨୫-୨୬ ମଧ୍ୟରେ ପ୍ରକଳ୍ପ ସମ୍ବନ୍ଧୀୟ ଅନୁଦାନ ବାବଦରେ ୧,୭୭୫ କୋଟି ଟଙ୍କା ସୁପାରିସ କରିଛନ୍ତି। ଏହି ଦୁଇ ପ୍ରକାର ଅନୁଦାନ ବର୍ତ୍ତମାନ ସୁଦ୍ଧା କୌଣସି ରାଜ୍ୟକୁ ଦିଆଯାଇନାହିଁ। ସେୟାର୍ଡ ମୁନିସପାଲ ସେବା ପାଇଁ ସରକାର ୫.୧୨ କୋଟି ଟଙ୍କା ଦେଇଥିବା ସେ କହିଛନ୍ତି।

କେନ୍ଦ୍ରୀୟ ଟିକସରୁ ରାଜ୍ୟ ଅଂଶ ଭାବେ ଅର୍ଥ ଆୟୋଗ ୨୦୧୯-୨୦ ପାଇଁ ୪୮,୨୫୦ କୋଟି ଟଙ୍କା ସୁପାରିସ କରିଥିଲେ। ସେଥିରୁ କେନ୍ଦ୍ର ସରକାର ୩୦,୪୫୩.୨୫ କୋଟି ଟଙ୍କା ଦେଇଥିଲେ। ୨୦୨୦-୨୧ ପାଇଁ ୩୯,୫୮୬ କୋଟି ଟଙ୍କା ସୁପାରିସ ହୋଇଥିବା ବେଳେ ୨୭,୫୪୨.୬୭ କୋଟି ଟଙ୍କା ମିଳିଥିଲା। ୨୦୨୧-୨୨ରେ ୨୯,୮୨୧ କୋଟି ଟଙ୍କାର ସୁପାରିସ୍‌ ହୋଇଥିବା ବେଳେ ମିଳିଥିଲା ୩୮,୧୪୪.୭୯ କୋଟି ଟଙ୍କା। ୨୦୨୨-୨୩ରେ ରାଜ୍ୟକୁ ୪୨,୯୮୯.୩୩ କୋଟି ଟଙ୍କା ଓ ୨୦୨୩-୨୪ରେ ୫୧,୧୪୩ କୋଟି ଟଙ୍କା ମିଳିଥିବା ନେଇ ବିଧାନସଭାରେ ସୂଚନା ଦିଆଯାଇଛି।

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷରେ ବାହ୍ୟ ଋଣକୁ ମିଶାଇ କେନ୍ଦ୍ରର ଋଣ ପରିମାଣ ୧୮୫ ଲକ୍ଷ କୋଟି ଟଙ୍କା ହୋଇଯିବ ବୋଲି ସରକାର ଆକଳନ କରିଛନ୍ତି। ତାହା ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୫୬.୮ ପ୍ରତିଶତ। ବର୍ତ୍ତମାନ ସରକାରଙ୍କ ଋଣ ପରିମାଣ ୧୭୧.୭୮ ଲକ୍ଷ କୋଟି ଟଙ୍କା ରହିଛି ଯାହା ଜିଡିପିର ୫୮.୨ ପ୍ରତିଶତ ବୋଲି ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ କହିଛନ୍ତି। ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍‌) ଆକଳନ ଅନୁସାରେ ଭାରତର ଜିଡିପି ପରିମାଣ ୨୦୨୩-୨୪ରେ ୩.୫୭ ଟ୍ରିଲିଅନ୍ ଡଲାର ରହିଛି।

ରାଜ୍ୟଗୁଡ଼ିକର ଋଣ ସମ୍ପର୍କରେ ସେ କହିଛନ୍ତି ଯେ ପଞ୍ଚଦଶ ଅର୍ଥ ଆୟୋଗଙ୍କ ସୁପାରିସ ଅନୁସାରେ ନେଟ୍ ଋଣ ସୀମାକୁ ୨୦୨୧-୨୨ରେ ରାଜ୍ୟ ମୋଟ ଘରୋଇ ଉତ୍ପାଦ (ଜିଏସ୍‌ଡିପି)ର ୪ ପ୍ରତିଶତ ଧାର୍ଯ୍ୟ କରାଯାଇଥିଲା। ତେବେ ଏକ ନିର୍ଦ୍ଦିଷ୍ଟ ପରିମାଣର ପୁଞ୍ଜି ବ୍ୟୟ ଲକ୍ଷ୍ୟ ହାସଲ କରୁଥିବା ରାଜ୍ୟଗୁଡ଼ିକୁ ଅତିରିକ୍ତ ୦.୫୦ ପ୍ରତିଶତ ଋଣ ଆଣିବା ଲାଗି ଅନୁମତି ପ୍ରଦାନ କରାଯାଇଥିବା ସେ କହିଛନ୍ତି।