ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା ୨୦୯୦୦ କୋଟି: ଓଡ଼ିଶା ଚାଷୀଙ୍କ ବ୍ୟାଙ୍କ ଖାତାକୁ ଆସିଲା ୭୧୧ କୋଟି

କୃଷକଙ୍କୁ ମିଳିଲା ପିଏମ୍‌ କିଷାନର ଦଶମ କିସ୍ତି, ୧୦ କୋଟିରୁ ଅଧିକ କୃଷକ ପାଇଲେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍‌-କିଷାନ) ଯୋଜନାର ଦଶମ କିସ୍ତି ରାଶି ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ହିତାଧିକାରୀମାନଙ୍କୁ ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ୧୦ କୋଟିରୁ ଅଧିକ ଚାଷୀ ପରିବାରକୁ ୨୦୦୦୦ କୋଟିରୁ ଅଧିକ ଟଙ୍କା ପ୍ରଦାନ କରିଛନ୍ତି। ଚାଷୀଙ୍କ ବ୍ୟାଙ୍କ ଖାତାକୁ ଉକ୍ତ ଅର୍ଥ ସିଧାସଳଖ ସ୍ଥାନାନ୍ତରିତ ହୋଇଛି। ଏଥିପାଇଁ ଭିଡିଓ କନଫେରନ୍ସିଂ ମାଧ୍ୟମରେ ଆୟୋଜିତ କାର୍ଯ୍ୟକ୍ରମ‌ରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଏହି ଅବସରରେ କରୋନା ମହାମାରୀ ଲଢ଼େଇ ବିରୋଧରେ ଦେଶ ହାସଲ କରିଥିବା ସଫଳତା ସଂପର୍କରେ ବଖାଣିଥିଲେ। କରୋନା ମହାମାରୀ ପକ୍ଷରୁ ଆହ୍ବାନ ରହିଥିଲେ ମଧ୍ୟ ଏହାର ଭାରତର ପ୍ରଗତିର ଗତିକୁ ଅଟକାଇ ପାରିବ ନାହିଁ। ୨୦୨୨ ମସିହାରେ ଭାରତର ପ୍ରଗତିକୁ ଆହୁରି ତ୍ବରାନ୍ବିତ କରିବାକୁ ହେବ ବୋଲି ସେ କହିଛନ୍ତି। ସଂପୂର୍ଣ୍ଣ ସତର୍କତାର ସହିତ କରୋନା ମହାମାରୀ ବିରୋଧରେ ଲଢ଼େଇ କରିବା ସହିତ ଜାତୀୟ ସ୍ବାର୍ଥକୁ ପୂରଣ କରିବାକୁ ହେବ ବୋଲି ମୋଦୀ କହିଛନ୍ତି।

ଆଜିର ଉତ୍ସବରେ ପ୍ରଧାନମନ୍ତ୍ରୀ ପ୍ରାୟ ୩୫୧ କୃଷକ ଉତ୍ପାଦନକାରୀ ସଂଗଠନ (ଏଫପିଓ)କୁ ୧୪ କୋଟି ଟଙ୍କାରୁ ଅଧିକ ରାଶିର ସହାୟତା ପ୍ରଦାନ କରିଛନ୍ତି। ଏହାଦ୍ବାରା ୧.୨୪ ଲକ୍ଷ କୃଷକ ଉପକୃତ ହେବେ। ଉକ୍ତ କାର୍ଯ୍ୟକ୍ରମରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର, ଦେଶର ୯ ଜଣ ମୁଖ୍ୟମନ୍ତ୍ରୀ, ବିଭିନ୍ନ ରାଜ୍ୟର ମନ୍ତ୍ରୀ ଏବଂ ଅନ୍ୟମାନେ ଯୋଗଦେଇଥିଲେ। ୨୦୨୧ ଅଗଷ୍ଟରେ କୃଷକମାନଙ୍କୁ ଏହି ‌ଯୋଜନାର ନବମ କିସ୍ତି ପ୍ରଦାନ କରାଯାଇଥିଲା। ୨୦୧୯ ଫେବ୍ରୁଆରିରେ ଆରମ୍ଭ ହୋଇଥିବା ଏହି ଯୋଜନା ବାବଦରେ ବର୍ତ୍ତମାନ ସୁ୍ଦ୍ଧା ୧.୮ ଲକ୍ଷ କୋଟି ଟଙ୍କା ଦିଆଯାଇଛି। ଚାଷୀ ପରିବାରଙ୍କୁ ୩ଟି କିସ୍ତିରେ ବର୍ଷକୁ ୬ ହଜାର ଟଙ୍କା ଲେଖାଏଁ ଦିଆଯାଉଛି।

ଓଡ଼ିଶା ଚାଷୀଙ୍କ ବ୍ୟାଙ୍କ ଖାତାକୁ ଆସିଲା ୭୧୧ କୋଟି, ଉପକୃତ ହେଲେ ୩୨ ଲକ୍ଷ ୧୮ ହଜାର ୯୬୮ ଚାଷୀ
ନୂଆଦିଲ୍ଲୀ: ପିଏମ୍‌ କିଷାନ ଯୋଜନାର ଦଶମ କିସ୍ତିରେ ଓଡ଼ିଶାର ୩୨ ଲକ୍ଷ ୧୮ ହଜାର ୯୬୮ ଚାଷୀଙ୍କ ବ୍ୟାଙ୍କ ଖାତାକୁ ୭୧୧ କୋଟି ୫୦ ଲକ୍ଷ ୬୨ ହଜାର ଟଙ୍କା ପ୍ରଦାନ କରାଯାଇଛି। ଗତ ବର୍ଷ ଅଗଷ୍ଟ ୯ରେ ପ୍ରଧାନମନ୍ତ୍ରୀ ଏହି ଯୋଜନାର ନବମ କିସ୍ତି ପ୍ରଦାନ କରିଥିଲେ। ସେତେବେଳେ ଓଡ଼ିଶାର ୨୯ ଲକ୍ଷ ୪୪ ହଜାର ୯୮୪ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟ୍‌ରେ ୫୮୮ କୋଟି ୯୯ ଲକ୍ଷ ୬୮ ହଜାର ଟଙ୍କା ଜମା କରାଯାଇଥିଲା। ନବମ କିସ୍ତି ତୁଳନାରେ ଦଶମ କିସ୍ତିରେ ଅଧିକ ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଛି। ଗରିବ ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇଦେଇ ସେମାନଙ୍କ ଆୟକୁ ଦୁଇଗୁଣା କରିବା ଏହି ଯୋଜନାର ଲକ୍ଷ୍ୟ।

 

ସମ୍ବନ୍ଧିତ ଖବର