ଇପିଏଫ୍‌ଓରେ ୨୧ କୋଟିର ଠକେଇ, କର୍ମଚାରୀ ଆତ୍ମସାତ କରିଥିବା ଅଭିଯୋଗ

୮୧୭ଟି ଖାତାକୁ ବ୍ୟବହାର କରିଥିଲେ, ମୁଖ୍ୟ ଅଭିଯୁକ୍ତ କିରାଣି ଫେରାର

ମୁମ୍ବାଇ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ)ର ମୁମ୍ବାଇ କାର୍ଯ୍ୟାଳୟରେ ୨୧ କୋଟି ଟଙ୍କାର ଠକେଇ ହୋଇଛି। ସଂସ୍ଥାର କିଛି କର୍ମଚାରୀ ଏହି ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଛି। କରୋନା ମହାମାରୀ ବ୍ୟାପିବା ପରେ କେତେକ ନିୟମକୁ କୋହଳ କରାଯାଇଥିଲା। ତାହାର ଫାଇଦା ଉଠାଇ ସେମାନେ ବେଆଇନ ଉପାୟରେ ଟଙ୍କା ଉଠାଇଥିଲେ। ଇପିଏଫ୍‌ଓର କାଣ୍ଡିଭାଲିରେ ଥିବା କାର୍ଯ୍ୟାଳୟର ଜଣେ ୩୭ ବର୍ଷୀୟ କିରାଣି ଚନ୍ଦନ କୁମାର ସିହ୍ନାଙ୍କୁ ଏହି ଠକେଇର ମାଷ୍ଟରମାଇଣ୍ଡ କୁହାଯାଉଛି। ସେ ୮୧୭ଟି ବ୍ୟାଙ୍କ ଖାତା ବ୍ୟବହାର କରି ୨୧.୫ କୋଟି ଟଙ୍କା ଉଠାଇଥିଲେ। ପ୍ରବାସୀ ଶ୍ରମିକଙ୍କ ନାମରେ ଥିବା ଅଧିକାଂଶ ଖାତାକୁ ଏଥିଲାଗି ସେ ବ୍ୟବହାର କରିଥିବା କୁହାଯାଉଛି।

ଅନ୍ୟପକ୍ଷରେ ଇପିଏଫ୍‌ଓର ଜଣେ ଅଧିକାରୀ କହିଛନ୍ତି ଯେ ସରକାରୀ ସିକ୍ୟୁରିଟିରେ ନିବେଶ ଲାଗି ରଖାଯାଇଥିବା ପାଣ୍ଠିରୁ ଅଭିଯୁକ୍ତମାନେ ଟଙ୍କା ଉଠାଇଛନ୍ତି। କୌଣସି ସଦସ୍ୟଙ୍କ ଖାତାରୁ ଟଙ୍କା ଉଠାଯାଇନାହିଁ। ଇପିଏଫ୍‌ଓର ଆଭ୍ୟନ୍ତରୀଣ ତଦନ୍ତରୁ ଜଣାପଡ଼ିଛି ଯେ କିଛି କର୍ମଚାରୀ ମିଳିତ ହୋଇ ଏହି କାରସାଦି କରିଛନ୍ତି। ବିଭିନ୍ନ ଖାତା ନାମରେ ମିଛ ଦାବି ଉପସ୍ଥାପନ କରି ସେମାନେ ଦାବିର ୯୦% ଟଙ୍କା ଉଠାଇ ନେଇଛନ୍ତି। ଖୁବ୍‌ଶୀଘ୍ର ଏହି ମାମଲା ସିବିଆଇକୁ ହସ୍ତାନ୍ତର କରାଯିବ ବୋଲି କୁହାଯାଉଛି। ଠକେଇର ମୁଖ୍ୟ ଅଭିଯୁକ୍ତ ଚନ୍ଦନ ସିହ୍ନା ଫେରାର ହୋଇ ଯାଇଥିବା ବେଳେ ଏହି ମାମଲାରେ ସଂପୃକ୍ତ ଥିବାରୁ କାଣ୍ଡିଭାଲି କାର୍ଯ୍ୟାଳୟର ଅନ୍ୟ ୫ ଜଣ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି।

ତେବେ ଇପିଏଫ୍‌ଓ ସୂତରୁ ମିଳିଥିବା ସୂଚନା ଅନୁସାରେ ଯେହେତୁ କୌଣସି ନିର୍ଦିଷ୍ଟ ସଦସ୍ୟଙ୍କ ଖାତାରୁ ଟଙ୍କା ଉଠାଯାଇନାହିଁ, ତେଣୁ କେହି ଏଥିପାଇଁ କ୍ଷତିଗ୍ରସ୍ତ ହେବେନି।  ୨୦୨୧ ମାର୍ଚ୍ଚରୁ ଜୁନ୍ ମଧ୍ୟରେ ଏହି ଠକେଇ ହୋଇଥିବା ଅନୁମାନ କରାଯାଉଛି। କରୋନା ମହାମାରୀର ପ୍ରଭାବ ଯୋଗୁଁ ଚାକିରି ହରାଇଥିବା ଲୋକମାନଙ୍କ ଦାବିର ଶୀଘ୍ର ସମାଧାନ କରିବା ଲାଗି ବିଭିନ୍ନ ନିୟମକୁ କୋହଳ କରାଯାଇଥିଲା। ସେହି ସମୟରେ କିଛି କର୍ମଚାରୀ ଏକାଧିକ ଭୂମିକା ନିର୍ବାହ କରିଥିଲେ। ତାହାର ଫାଇଦା ଉଠାଇ କିଛି କର୍ମଚାରୀ ମିଳିତ ହୋଇ ଏହି ଠକେଇ କରିଛନ୍ତି। ବ୍ୟବସ୍ଥାରେ ଥିବା ଛିଦ୍ରକୁ ସେମାନେ ଏଥିପାଇଁ ବ୍ୟବହାର କରିଛନ୍ତି। ବରିଷ୍ଠ ଅଧିକାରୀମାନେ ସେମାନଙ୍କୁ ଯେଉଁ ପାସ୍‌ୱାର୍ଡ ଦେଇଥିଲେ ତାହାକୁ ବ୍ୟବହାର କରି ଅର୍ଥ ହଡ଼ପ କରିଛନ୍ତି। ଇପିଏଫ୍‌ଓର ଆଭ୍ୟନ୍ତରୀଣ ତଦନ୍ତରୁ ଜଣାପଡ଼ିଛି ଯେ ସେକ୍ସନ୍ ଅଫିସର ଭାବେ କାର୍ଯ୍ୟ କରୁଥିବା କିଛି ଲୋକ ମୁଖ୍ୟ ଅଭିଯୁକ୍ତଙ୍କୁ ଏହି ଠକେଇରେ ପ୍ରତ୍ୟକ୍ଷ ଭାବେ ସାହାଯ୍ୟ କରିଥିଲେ।

ସମ୍ବନ୍ଧିତ ଖବର