ନୂଆଦିଲ୍ଲୀ: ଜାଲ୍ ପରିଚୟପତ୍ର ଓ ଠିକଣା ପ୍ରମାଣପତ୍ର ମାଧ୍ୟମରେ ୨୧ ଲକ୍ଷରୁ ଅଧିକ ସିମ୍ କାର୍ଡ ନିଆଯାଇଛି। ଟେଲିକମ୍ ବିଭାଗର ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ଓ ଡିଜିଟାଲ୍ ଗୁଇନ୍ଦା ସଂସ୍ଥା ଏହା ଜାଣିବା ପରେ ଟେଲିକମ୍ କମ୍ପାନିଙ୍କୁ ଅବଗତ କରିଛି। ଟେଲିକମ୍ ବିଭାଗ ପକ୍ଷରୁ ଏନେଇ ଭାରତୀ ଏୟାରଟେଲ୍‌, ରିଲାଏନ୍ସ ଜିଓ, ଭୋଡାଫୋନ୍ ଆଇଡିଆ, ବିଏସ୍‌ଏନ୍‌ଏଲ୍‌ ଓ ଏମ୍‌ଟିଏନ୍‌ଏଲ୍‌କୁ ଆଲର୍ଟ ଜାରି କରାଯାଇଛି। ଜାଲ୍ କାଗଜପତ୍ର ଦେଇ ନିଆଯାଇଥିବା ନମ୍ବରଗୁଡ଼ିକ ବିଷୟରେ ଟେଲିକମ୍‌ କମ୍ପାନିଗୁଡ଼ିକୁ ସୂଚନା ଦିଆଯାଇଥିବା ବେଳେ ତୁରନ୍ତ ସେଗୁଡ଼ିକର ଯାଞ୍ଚ କରିବାକୁ କୁହାଯାଇଛି। ଯେଉଁ ସିମ୍‌ଗୁଡ଼ିକ ଯାଞ୍ଚ ହୋଇପାରିବ ନାହିଁ ସେଗୁଡ଼ିକୁ ନିଷ୍କ୍ରିୟ ବା ଅଚଳ କରିଦିଆଯିବ। ଟେଲିକମ୍ ବିଭାଗର ଏଆଇ ଓ ଡିଜିଟାଲ୍ ଗୁଇନ୍ଦା ୟୁନିଟ୍ ଜଣାଇଛି ଯେ ୨୧ ଲକ୍ଷ ସିମ୍‌ କାର୍ଡ ନେବା ଲାଗି ଏଭଳି କାଗଜପତ୍ର ଦିଆଯାଇଛି, ଯାହା ବୈଧ ନୁହେଁ, ସେଗୁଡ଼ିକର କୌଣସି ଅସ୍ତିତ୍ବ ନାହିଁ କିମ୍ବା ସେଥିରେ ହେରଫେର କରାଯାଇଛି। ୧.୯୨ କୋଟି କ୍ଷେତ୍ରରେ ଜଣେ ବ୍ୟକ୍ତିଙ୍କ ନାମରେ ୯ଟି ଅଧିକ ସିମ୍ କାର୍ଡ ରହିଛି ଯାହା ବେଆଇନ। କେତେକ ମାମଲାରେ କମ୍ପାନିର ଭୁଲ୍ କାରଣରୁ କିଛି ନମ୍ବର ବ୍ୟକ୍ତିଗତ ନମ୍ବର ବର୍ଗରେ ରହିଛି।