ଭୁବନେଶ୍ବର: ଗଞ୍ଜାମର ବାହୁଦାରେ ଖୁବ୍ଶୀଘ୍ର ଏକ ବନ୍ଦର ନିର୍ମାଣ କରାଯିବ। ସେଥିରେ ୨୧,୫୦୦ କୋଟି ଟଙ୍କାର ନିବେଶ ହେବ। ଖୁବ୍ଶୀଘ୍ର ଏନେଇ ଏକ ବୁଝାମଣାପତ୍ର ସ୍ବାକ୍ଷର ହେବାକୁ ଯାଉଛି। ମିଳିଥିବା ସୂଚନା ଅନୁସାରେ ପାରାଦୀପ ବନ୍ଦର, ବିଶାଖାପାଟଣା ବନ୍ଦର, ସାଗରମାଳା ଫାଇନାନ୍ସ କର୍ପୋରେସନ ଲିମିଟେଡ୍ ଓ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ଏହି ବନ୍ଦର ବିକାଶ କରାଯିବ। ଓଡ଼ିଶାରେ ବର୍ତ୍ତମାନ ପାରାଦୀପ, ଧାମରା ଓ ଗୋପାଳପୁରଠାରେ ତିନିଟି ବନ୍ଦର କାର୍ଯ୍ୟକ୍ଷମ ରହିଛି। ସେଥିରୁ ପାରାଦୀପ ବନ୍ଦର କେନ୍ଦ୍ର ସରକାରଙ୍କ ଅଧୀନରେ ପରିଚାଳିତ ହେଉଥିବା ବେଳେ ଅନ୍ୟ ଦୁଇଟି ବନ୍ଦର ଆଦାନୀ ପୋର୍ଟସ୍ ଆଣ୍ଡ୍ ଏସ୍ଇଜେଡ୍ ଅଧୀନରେ ରହିଛି।
ଟାଟା ଷ୍ଟିଲ୍ ପକ୍ଷରୁ ସୁବର୍ଣ୍ଣରେଖା ବନ୍ଦର ଏବଂ ନଭଯୁଗ ଇଞ୍ଜିନିୟରିଂ କମ୍ପାନି ପକ୍ଷରୁ ଅସ୍ତରଙ୍ଗରେ ଦୁଇଟି ବନ୍ଦର ବିକାଶ କରାଯାଉଛି। ବାହୁଦାଠାରେ ଏକ ବନ୍ଦର ନିର୍ମାଣ କରିବା ଯୋଜନା ବିଷୟରେ କିଛି ମାସ ପୂର୍ବେ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା ସୂଚନା ଦେଇଥିଲେ। ଏହି ନୂଆ ବନ୍ଦରର ପଣ୍ୟ ପରିବହନ କ୍ଷମତା ୧୫୦ ନିୟୁତ ଟନ୍ ରହିବ। ଏହି ପ୍ରକଳ୍ପ ଲାଗି ରାଜ୍ୟ ସରକାର ପ୍ରି-ଟେକ୍ନୋ ଇକୋନମିକ୍ ଫିଜିବିଲିଟି ଷ୍ଟଡି କରିଛନ୍ତି। ଗୁଜରାଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ଏହି ପ୍ରକଳ୍ପ ପାଇଁ ବୁଝାମଣାପତ୍ର ସ୍ବାକ୍ଷର ହେବାର କାର୍ଯ୍ୟକ୍ରମ ରହିଛି। ସାଗରମାଳା ଫାଇନାନ୍ସ କର୍ପୋରେସନ ଏହି ପ୍ରକଳ୍ପ ପାଇଁ ପାଣ୍ଠି ଯୋଗାଇବ। ନିକଟରେ ଏକ ଏନ୍ବିଏଫ୍ସି ଭାବେ ପରିଚାଳିତ ହେବା ଲାଗି ଏହା ଭାରତୀୟ ରିଜର୍ଭ ବ୍ୟାଙ୍କଠାରୁ ଅନୁମତି ପାଇଛି।