ଭୁବନେଶ୍ବର: ସୁନା ଓ ରୁପା ଦର ଗତ କିଛିଦିନ ହେଲା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଆମେରିକା ରାଷ୍ଟ୍ରପତିଙ୍କ ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ବାରା ପାଲଟା ଶୁଳ୍କ ଲଗାଇବା ନେଇ ଘୋଷଣା ସହିତ ଅନ୍ୟାନ୍ୟ କାରଣ ପ୍ରଭାବରୁ ଅନ୍ତର୍ଜାତୀୟ ବଜାରରେ ସୁନାଦର ବଢ଼ୁଛି। ଏହାର ପ୍ରତିଫଳନ ମଧ୍ୟ ସ୍ଥାନୀୟ ବଜାରରେ ଦେଖିବାକୁ ମିଳୁଛି। ଭୁବନେଶ୍ବର ବଜାରରେ ମଙ୍ଗଳବାର ୨୪ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ ପିଛା ୯୩୦ ଟଙ୍କା ବଢ଼ିଛି।

Advertisment

ସେହିଭଳି ୨୨ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ୍‌ ପିଛା ଆଜି ୮୫୦ ଟଙ୍କା ବୃଦ୍ଧି ପାଇଛି। ଏହାଦ୍ବାରା ଭୁବନେଶ୍ବରରେ ୨୪ କ୍ୟାରେଟ୍‌ ସୁନା ଦର ୯୨ ହଜାର ଟଙ୍କା ଟପି ୯୨,୮୪୦ ଟଙ୍କାରେ ପହଞ୍ଚିଛି। ସେହିଭଳି ୨୨ କ୍ୟାରେଟ୍‌ ସୁନା ଦର ୮୫ ହଜାର ଟଙ୍କା ଟପି ୮୫,୧୦୦ ଟଙ୍କା ଛୁଇଁଛି। ରୁପା ଦର ମଧ୍ୟ ଭୁବନେଶ୍ବର ବଜାରରେ କିଲୋଗ୍ରାମ ପିଛା ହଜାରେ ଟଙ୍କା ବଢ଼ିଯାଇଛି। କେତେକ ସୋରୁମ୍‌ରେ ରୁପା ଦର କିଲୋଗ୍ରାମ ପିଛା ୧ ଲକ୍ଷ ୧୪ ହଜାର ଟଙ୍କା ଛୁଇଁଥିବାବେଳେ ଆଉ କେତେକ ସୋରୁମ୍‌ରେ ଏହା ୧ ଲକ୍ଷ ୫ ହଜାର ଟଙ୍କା ଉପରେ ରହିଛି। 

ଗ୍ରାହକମାନେ ନିବେଶ ଉଦ୍ଦେଶ୍ୟରେ ସାଧାରଣତଃ ୨୪ କ୍ୟାରେଟ୍‌ ସୁନା  କିଣିଥାନ୍ତି। ଦର ବଢ଼ୁଥିବାରୁ ନିବେଶ କରୁଥିବା ଗ୍ରାହକମାନେ ରିଟର୍ଣ୍ଣ ପାଇଯାଉଛନ୍ତି। ସେମାନଙ୍କ ପାଇଁ ବିଶେଷ କିଛି ଅସୁବିଧା ହେଉନାହିଁ। କିନ୍ତୁ ବାହାଘର ଓ ବ୍ରତଘର ଆଦି ଜରୁରୀ କାର୍ଯ୍ୟ ପାଇଁ ସୁନା ଗହଣା କିଣୁଥିବା ଗ୍ରାହକମାନଙ୍କ ଚିନ୍ତା ବଢ଼ିଯାଇଛି। କାରଣ ୨୨ କ୍ୟାରେଟ୍‌ ସୁନାରେ ମୁଖ୍ୟତଃ ଗହଣା ପ୍ରସ୍ତୁତ ହୋଇଥାଏ। ବିଶେଷକରି ନିମ୍ନ ଓ ମଧ୍ୟମ ଆୟବର୍ଗର ଗ୍ରାହକମାନେ ବଜାରକୁ ଗହଣା କିଣିବା ବେଳକୁ ଯିବା ସମୟରେ ଦରକୁ ଦେଖି ଚକିତ ହେଉଛନ୍ତି।