ମୋବାଇଲ୍‌ କାରଖାନା ପାଇଁ ବିଦେଶୀ କମ୍ପାନିଙ୍କ ଭିଡ଼, ପିଏଲ୍‌ଆଇ ସ୍କିମ୍‌ରେ ୨୨ କମ୍ପାନି କଲେ ଆବେଦନ

୧୨ ଲକ୍ଷ ଲୋକଙ୍କୁ ମିଳିବ ନିଯୁକ୍ତି ସୁଯୋଗ

ନୂଆଦିଲ୍ଲୀ: ଦେଶରେ ମୋବାଇଲ୍‌ ‌ଫୋନ୍ ଓ ଏହାର ଉପକରଣ ନିର୍ମାଣ ପାଇଁ ୨୨ଟି କମ୍ପାନି ଆଗ୍ରହ ପ୍ରକାଶ କରିଛନ୍ତି। ଉତ୍ପାଦନ ସମ୍ପର୍କିତ ପ୍ରୋତ୍ସାହନ (ପିଏଲଆଇ) ଯୋଜନାରେ ଏତେସଂଖ୍ୟକ କମ୍ପାନି ‌ଇଲେକ‌୍‌ଟ୍ରୋନିକ୍ସ ସାମଗ୍ରୀ ନିର୍ମାଣ ପାଇଁ ପ୍ରସ୍ତାବ ଦେଇଛନ୍ତି। ସେଗୁଡ଼ିକ ମଧ୍ୟରେ ସାମସଙ୍ଗ, ଫକ୍ସକନ୍ ହନ୍ ହାଇ, ୱିସଟ୍ରନ ଏବଂ ପେଗାଟ୍ରନ୍ ଭଳି ବିଦେଶୀ କମ୍ପାନି ମଧ୍ୟ ରହିଛନ୍ତି। ଆତ୍ମ ନିର୍ଭର ଭାରତ ଏବଂ ମେକ୍ ଇନ୍ ଇଣ୍ଡିଆ ଯୋଜନାକୁ ଏହା ଆଗକୁ ନେବ ବୋଲି ସରକାର ଆଶା ରଖିଛନ୍ତି।

ପିଏଲ୍‌ଆଇ ଯୋଜନାରେ କାରଖାନା ସ୍ଥାପନ ପାଇଁ ୨୨ଟି କମ୍ପାନି ଆବେଦନ କରିଛନ୍ତି ବୋଲି ଆଜି କେନ୍ଦ୍ର ଆଇଟି ମନ୍ତ୍ରୀ ରବି ଶଙ୍କର ପ୍ରସାଦ ସୂଚନା ଦେଇଛନ୍ତି। ଫଳରେ ଏସବୁ କମ୍ପାନି ଆସନ୍ତା ୫ ବର୍ଷ ମଧ୍ୟରେ ୧୧.୫ ଲକ୍ଷ କୋଟି ଟଙ୍କା ମୂଲ୍ୟର ସାମଗ୍ରୀ ଉତ୍ପାଦନ କରିବେ। ଏଥିରୁ ୭ ଲକ୍ଷ କୋଟି ଟଙ୍କା ମୂଲ୍ୟର ମୋବାଇଲ ଫୋନ୍ ଓ ଉପକରଣ ବିଦେଶକୁ ରପ୍ତାନି କରାଯିବ। ଏଥିଯୋଗୁ ଦେଶରେ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉତ୍ପାଦନ ତ୍ବରାନ୍ବିତ ହେବ। ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ବିଦେଶୀ କମ୍ପାନି ଗୁଡ଼ିକ ୧୫ ହଜାର ଟଙ୍କା ଓ ତଦୁର୍ଦ୍ଧ୍ବ ମୂଲ୍ୟ ବର୍ଗରେ ଆସୁଥିବା ମୋବାଇଲ ଫୋନ୍ ନିର୍ମାଣ ପାଇଁ ଆବେଦନ କରିଛନ୍ତି।

ଏଥିରେ ଆମେରିକାର ଆଇଫୋନ ନିର୍ମାତା ଆପଲ୍ ପାଇଁ କଣ୍ଟ୍ରାକ୍ଟ ନିର୍ମାତା ଭାବେ କାର୍ଯ୍ୟ କରୁଥିବା ୩ଟି କମ୍ପାନି ଫକ୍ସକନ, ୱିସଟ୍ରନ୍ ଓ ପେଗାଟ୍ରନ ରହିଛନ୍ତି। ଏହି କମ୍ପାନିଗୁଡ଼ିକ କାରଖାନା ସ୍ଥାପନ ପାଇଁ ଦେଇଥିବା ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ଦେଶରେ ୧୨ ଲକ୍ଷ ନୂଆ ରୋଜଗାରର ସୁଯୋଗ ସୃଷ୍ଟ ହେବ। ସେଥିରୁ ୩ ଲକ୍ଷ ପ୍ରତ୍ୟକ୍ଷ ଏବଂ ୯ ଲକ୍ଷ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ‌ତେବେ ଏହି ଯୋଜନାରେ ଚୀନ୍ କମ୍ପାନି ଗୁଡ଼ିକୁ କାରଖାନା ନିର୍ମାଣର ସୁଯୋଗ ମିଳିବ ‌କି ବୋଲି ପ୍ରଶ୍ନ ହେବାରୁ ମନ୍ତ୍ରୀ କହିଥିଲେ ସେ କୌଣସି ଦେଶର ନାମ ନେବାକୁ ଚାହାନ୍ତି ନାହିଁ। କିନ୍ତୁ ନିବେଶ ସଂକ୍ରାନ୍ତରେ ଭାରତ ସରକାରଙ୍କ ଯେଉଁ ନିୟମ ରହିଛି ତାହା ଆଧାରରେ ନିଷ୍ପତ୍ତି ନିଆଯିବ।

ପିଏଲ୍‌ଆଇ ସ୍କିମ୍ କ’ଣ?
ପିଏଲ୍‌ଆଇ ସ୍କିମ୍‌ କହିଲେ ପ୍ରଡକ୍ସନ ଲିଙ୍କଡ୍ ଇନସେଟିଭ୍ ବା ଉତ୍ପାଦନ ସମ୍ପର୍କିତ ପ୍ରୋତ୍ସାହନ ଯୋଜନାକୁ ବୁଝାଇଥାଏ। କମ୍ପାନିର ବର୍ଦ୍ଧିତ ବିକ୍ରି ଉପରେ ଏହି ଯୋଜନାରେ ୪ରୁ ୬ ପ୍ରତିଶତ ପ୍ରୋତ୍ସାହନ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି। ଯୋଗ୍ୟ କମ୍ପାନିଗୁଡ଼ିକୁ ୫ ବର୍ଷ ପର୍ଯ୍ୟନ୍ତ ଏହି ପ୍ରୋତ୍ସାହନ ମିଳିବ। ଏଥିପାଇଁ ମୂଳବର୍ଷ ଭାବେ ୨୦୧୯-୨୦କୁ ଗ୍ରହଣ କରାଯାଇଛି। ଏହି ଯୋଜନାରେ ଆବେଦନ ପାଇଁ ଶେଷ ତାରିଖ ୨୦୨୦ ଜୁଲାଇ ୩୧ ରହିଥିଲା। ତେଣୁ ୨୦୨୦ ଅଗଷ୍ଟ ପହିଲାରୁ ପ୍ରୋତ୍ସାହନ ଲାଗୁହେବ।

ସମ୍ବନ୍ଧିତ ଖବର