ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ନେତୃତ୍ବାଧୀନ ମୁଦ୍ରାନୀତି କମିଟି ସୁଧ ହାର ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ରେପୋ ହାର ୫.୫୦ ପ୍ରତିଶତରେ ଅପରିବର୍ତ୍ତିତ ରହିଛି। ମୁଦ୍ରାସ୍ଫୀତି ହାର ସର୍ବନିମ୍ନ ସ୍ତରକୁ ହ୍ରାସ ପାଇଥିବାରୁ ସୁଧ କମ୍ ହେବ ବୋଲି ଆଶା କରାଯାଉଥିଲା। ମାତ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲଗାଇଥିବା ୫୦ ପ୍ରତିଶତ ଶୁଳ୍କର ପ୍ରଭାବ ବିଚାରକୁ ନେଇ ସୁଧ ଅପରିବର୍ତ୍ତିତ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଥାଇପାରେ ବୋଲି କୁହାଯାଉଛି। ସୁଧ କମି ନଥିବାରୁ ଲୋକମାନଙ୍କ ଋଣ କିସ୍ତିରେ କୌଣସି ପରିବର୍ତ୍ତନ ହେବନାହିଁ।
ତେବେ ଦରଦାମ୍କୁ ନେଇ ରିଜର୍ଭ ବ୍ୟାଙ୍କ ଆଶ୍ବାସନା ଦେଇଛନ୍ତି। ୨୦୨୫-୨୬ ଆର୍ଥିକ ବର୍ଷରେ ଖୁଚୁରା ମୁଦ୍ରାସ୍ଫୀତି ୩.୧ ପ୍ରତିଶତ ନୁହେଁ, ତା’ଠାରୁ କମ୍ ୨.୬ ପ୍ରତିଶତ ରହିବ ବୋଲି ରିଜର୍ଭ ବ୍ୟାଙ୍କ ଜଣାଇଛି। ଅଭିବୃଦ୍ଧିର ଆକଳନକୁ ମଧ୍ୟ ଏହା ବଢ଼ାଇଛି। ପୂର୍ବରୁ ଏହା କହିଥିଲା ଯେ ଚଳିତ ଆର୍ଥିକ ବର୍ଷର ଅଭିବୃଦ୍ଧି ହାର ୬.୫ ପ୍ରତିଶତ ରହିଛି। କିନ୍ତୁ ଏବେ ତାହାକୁ ୬.୮ ପ୍ରତିଶତକୁ ବଢ଼ାଇଛି। ଭଲ ମୌସୁମୀ ବର୍ଷା, ଜିଏସ୍ଟି ସଂସ୍କାର, ବ୍ୟାଙ୍କ ଋଣରେ ବୃଦ୍ଧି ଓ କାରଖାନାଗୁଡ଼ିକର କ୍ଷମତା ସମ୍ପ୍ରସାରଣ ହୋଇଥିବାରୁ ଅର୍ଥନୀତିକୁ ଆବଶ୍ୟକୀୟ ସମର୍ଥନ ମିଳିଛି। ଦୃଢ଼ ଉପଯୋଗିତା, ନିବେଶ ଓ ସରକାରୀ ବ୍ୟୟ ପାଇଁ ଘରୋଇ ଅଭିବୃଦ୍ଧିରେ ଉନ୍ନତି ଘଟିଛି। ସେଥିପାଇଁ ରିଜର୍ଭ ବ୍ୟାଙ୍କ ଅଭିବୃଦ୍ଧି ଆକଳନକୁ ବଢ଼ାଇଛି।
ବ୍ୟାଙ୍କିଙ୍ଗ କ୍ଷେତ୍ରରେ ସଂସ୍କାର ଆଣିବା ଲାଗି ୨୨ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଘୋଷଣା କରାଯାଇଛି। ୨୦୨୭ ଏପ୍ରିଲ୍ରୁ ଋଣ କ୍ଷତି ଆଶଙ୍କା (ଇସିଏଲ୍) ଫ୍ରେମ୍ୱର୍କ ଲାଗୁ କରାଯିବ। ଫଳରେ ସମ୍ପ୍ରତି ପ୍ରଚଳନରେ ଥିବା ନିୟମ ଅନୁସାରେ ଋଣରେ ହେଉଥିବା କ୍ଷତି ଭରଣା କରିବା ଲାଗି ବ୍ୟାଙ୍କଗୁଡ଼ିକୁ ଏକକାଳୀନ ବିପୁଳ ପାଣ୍ଠି ପ୍ରୋଭିଜନିଂ ଭାବେ ଅଲଗା ରଖିବାକୁ ପଡ଼ିବନି। ୨୦୨୭ ଏପ୍ରିଲ୍ରୁ ସଂଶୋଧିତ ବାସେଲ୍ ୩ ପୁଞ୍ଜି ସ୍ବଚ୍ଛତା ନିୟମ ଲାଗୁ ହେବ। ଫଳରେ ବ୍ୟାଙ୍କଗୁଡ଼ିକ ଏମଏସ୍ଏମ୍ଇ ଓ ଗୃହ ଋଣ ଅଧିକ ସୁବିଧାରେ ଦେଇପାରିବେ। ଜମାରାଶି ଉପରେ ବୀମାରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ବର୍ତ୍ତମାନ ସବୁ ବ୍ୟାଙ୍କ ପ୍ରତି ୧୦୦ ଟଙ୍କାର ଜମା ପାଇଁ ଫ୍ଲାଟ୍ ୧୨ ପଇସାର ପ୍ରିମିୟମ୍ ଦେଉଛନ୍ତି। ଏକ ବିପଦ ଆଧାରିତ ପ୍ରିମିୟମ୍ ବ୍ୟବସ୍ଥା ଲାଗୁ କରିବାକୁ ରିଜର୍ଭ ବ୍ୟାଙ୍କ ପ୍ରସ୍ତାବ ଦେଇଛି।