କରୋନାରେ ୨୨୯ ଟିକସ ଅଧିକାରୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦାୟିତ୍ବ ନିର୍ବାହ କରୁଥିବା ସମୟରେ କରୋନା ଭୂତାଣୁ ଦ୍ବାରା ସଂକ୍ରମିତ ହୋଇ ୨୨୯ ଜଣ ଟିକସ ବିଭାଗର କର୍ମଚାରୀ ଓ ଅଧିକାରୀ ପ୍ରାଣ ହରାଇଛନ୍ତି। ଆଜି ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଏହି ସୂଚନା ଦେଇଛନ୍ତି। ସେ ଗଭୀର ସମବେଦନା ଜଣାଇବା ସହ ଦେଶ ସେମାନଙ୍କ କାର୍ଯ୍ୟକୁ ସର୍ବଦା ମନେ ରଖିବ ବୋଲି କହିଛନ୍ତି। କରୋନା ଭୂତାଣୁ ଦ୍ବାରା ସଂକ୍ରମିତ ହେବା ପରେ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି)ର ୧୧୯ ଅଧିକାରୀ ଏବଂ କେନ୍ଦ୍ରୀୟ ପରୋକ୍ଷ କର ଓ ସୀମା ଶୁଳ୍କ ବୋର୍ଡ (ସିବିଆଇସି)ର ୧୧୦ ଜଣ ଅଧିକାରୀ ପ୍ରାଣ ହରାଇଛନ୍ତି।

ଶ୍ରୀ ଠାକୁର କହିଛନ୍ତି ଯେ ଏହି ସଙ୍କଟ ସମୟରେ ଦେଶ ସେବା ପାଇଁ ଆପଣମାନେ ନିଜ ଜୀବନକୁ ବିପଦରେ ପକାଇଥିଲେ ଓ ‌ଆପଣଙ୍କ ସେବା ପ୍ରତି ଦେଶ କୃତଜ୍ଞ ରହିବ। ଆପଣମାନଙ୍କ ସେବା ଯୋଗୁଁ ବିଭିନ୍ନ ବନ୍ଦର ଓ ପ୍ରବେଶ ପଥରେ ସୁବିଧାରେ ଅକ୍ସିଜେନ୍ ସିଲିଣ୍ଡର ଓ ମେଡିକାଲ୍ ଉପକରଣଗୁଡ଼ିକର ନିରବଚ୍ଛିନ୍ନ ଯେଗାଣ ସମ୍ଭବ ହୋଇଥିଲା। ଆପଣମାନଙ୍କ ପାଇଁ ସରକାରୀ କଳ ଚାଲୁଥିଲା ବୋଲି ସେ କହିଛନ୍ତି। କରୋନା ମହାମାରୀ ଦ୍ବାରା ସର୍ବାଧିକ ପ୍ରଭାବିତ ହୋଇଥିବା କେନ୍ଦ୍ର ସରକାରଙ୍କ ମନ୍ତ୍ରଣାଳୟ ମଧ୍ୟରୁ ଅର୍ଥ ଅର୍ଥ ମନ୍ତ୍ରଣାଳୟ ହେଉଛି ଅନ୍ୟତମ। ଏହି ଅବସରରେ ସେ ଅନ୍ୟ ସମସ୍ତଙ୍କୁ କୋଭିଡ୍ ପ୍ରୋଟୋକଲ୍ ମାନିବା ଏବଂ ଟିକା ନେବା ଲାଗି ଆହ୍ବାନ ଦେଇଛନ୍ତି।

ସମ୍ବନ୍ଧିତ ଖବର