୨୩ ବ୍ୟାଙ୍କ ଗଣିବେ ଜରିମାନା: ଆଧାର ଲକ୍ଷ୍ୟ ହାସଲରେ ବିଫଳ

ନୂଆଦିଲ୍ଲୀ: ଦିନକୁ ୮ ଆଧାର ପଞ୍ଜୀକରଣ କିମ୍ବା ଅପ୍‌ଡେଟ୍‌ କରିବା ପାଇଁ ବ୍ୟାଙ୍କଗୁଡ଼ିକୁ ଟାର୍ଗେଟ୍‌ ଦିଆଯାଇଥିଲା। ଏହି ଲକ୍ଷ୍ୟ ହାସଲରେ ବିଫଳ ହୋଇଥିବା ୨୩ଟି ବ୍ୟାଙ୍କ ଜରିମାନା ଗଣିବେ। ଲକ୍ଷ୍ୟ ହାସଲ କରିବା ପାଇଁ ବ୍ୟାଙ୍କଗୁଡ଼ିକୁ ନଭେମ୍ବର ମାସ ପର୍ଯ୍ୟନ୍ତ ମହଲତ ପ୍ରଦାନ କରାଯାଇଛି। ଯେଉଁମାନେ ସେହି ସମୟ ଭିତରେ ଲକ୍ଷ୍ୟ ହାସଲ କରିପାରିବେ ନାହିଁ ସେମାନଙ୍କ ଉପରେ ପିଛିଲା ଭାବେ ଜୁଲାଇ ଠାରୁ ଜରିମାନା ଲାଗୁ କରାଯିବ। ଆଧାର ନମ୍ବର ଜାରି କରୁଥିବା ସ୍ୱତନ୍ତ୍ର ପରିଚୟପତ୍ର କର୍ତୃପକ୍ଷ (ୟୁଆଇଡିଏଆଇ)ର ଏହି ନିଷ୍ପତ୍ତିକୁ ବ୍ୟାଙ୍କର ଅଧିକାରୀମାନେ ବିରୋଧ କରୁଛନ୍ତି। ରିଜର୍ଭ ବ୍ୟାଙ୍କ ଥାଉ ଥାଉ ବ୍ୟାଙ୍କ ଉପରେ କିଭଳି ଏହି ସଂସ୍ଥା ଜରିମାନା ଲଗାଇବ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ଚଳିତ ବର୍ଷ ଜୁନ୍‌ ୧ରେ ୟୁଆଇଡିଏଆଇ ପକ୍ଷରୁ ବ୍ୟାଙ୍କଗୁଡ଼ିକୁ ଆଧାର ଏନ୍‌ରଲ୍‌ମେଣ୍ଟ୍‌ ଓ ଅପ୍‌ଡେଟ୍‌ କରିବା ପାଇଁ ଟାର୍ଗେଟ୍‌ ଦେଇଥିଲେ। ଜୁଲାଇ ୧ ଠାରୁ ପ୍ରତି ଶାଖା ପିଛା ୮ଟି ଆଧାର ଏନ୍‌ରଲ୍‌ମେଣ୍ଟ୍‌ କିମ୍ବା ଅପ୍‌ଡେଟ୍‌ କରିବାକୁ କୁହାଯାଇଥିଲା। ନଭେମ୍ବର ୧ ଠାରୁ ପ୍ରତି ଶାଖା ପିଛା ୧୨ଟି ଓ ୨୦୧୯ ଜାନୁଆରି ଠାରୁ ଦିନକୁ ୧୬ଟି ପର୍ଯ୍ୟନ୍ତ ଆଧାରକୁ ଅପ୍‌ଡେଟ୍‌ କିମ୍ବା ଏନ୍‌ରଲ୍‌ମେଣ୍ଟ୍‌ କରିବାକୁ ପଡ଼ିବ ବୋଲି ବ୍ୟାଙ୍କଗୁଡ଼ିକୁ କୁହାଯାଇଛି।

ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଓ ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କ ଏହି ଟାର୍ଗେଟ୍‌କୁ ହାସଲ କରିଛନ୍ତି। ଲକ୍ଷ୍ୟ ହାସଲରେ ବିଫଳ ହୋଇଥିବା ସରକାରୀ ବ୍ୟାଙ୍କଗୁଡ଼ିକ ମଧ୍ୟରେ କାନାରା ବ୍ୟାଙ୍କ, କର୍ପୋରେସନ୍‌ ବ୍ୟାଙ୍କ, ଆଇଡିବିଆଇ ବ୍ୟାଙ୍କ, ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କ, ପଞ୍ଜାବ ଆଣ୍ଡ୍‌ ସିନ୍ଧ ବ୍ୟାଙ୍କ, ୟୁନାଇଟେଡ୍‌ ବ୍ୟାଙ୍କ, ବିଜୟା ବ୍ୟାଙ୍କ ଓ ୟୁକୋ ବ୍ୟାଙ୍କର ନାମ ରହିଛି। ସେହିପରି, ଘରୋଇ ବ୍ୟାଙ୍କ ତାଲିକାରେ ଆଇସିଆଇସିଆଇ ବ୍ୟାଙ୍କ, ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ବନ୍ଧନ ବ୍ୟାଙ୍କ, ଡିସିବି ବ୍ୟାଙ୍କ, ଧନଲକ୍ଷ୍ମୀ ବ୍ୟାଙ୍କ, ଫେଡେରାଲ୍‌ ବ୍ୟାଙ୍କ, ଇଣ୍ଡସ୍‌ଇଣ୍ଡ୍‌ ବ୍ୟାଙ୍କ ଓ ଆର୍‌ବିଏଲ୍‌ ବ୍ୟାଙ୍କର ନାମ ରହିଛି।

ସମ୍ବନ୍ଧିତ ଖବର