ମୈଥାନ ଇସ୍ପାତର ୨୩ କୋଟିର ଜିଏସ୍‌ଟି ଫାଙ୍କି ଘଟଣାରେ ଜିଏମ୍‌,ଏଜିଏମ୍‌ ଗିରଫ

ମାଲିକ ଖସିଗଲେ, ଅଧିକାରୀ ଫସିଲେ!

ଯାଜପୁର: ମେସ୍କୋ ଗ୍ରୁପ୍‌ ଅଧୀନସ୍ଥ ମୈଥାନ ଇସ୍ପାତ କାରଖାନାରେ ୨୩ କୋଟି ଟଙ୍କାର ଜିଏସ୍‌ଟି ଫାଙ୍କି ଘଟଣାରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଜିଏସ୍‌ଟି ଫାଙ୍କି ଘଟଣାରେ ୨ଜଣ ଅଧିକାରୀଙ୍କୁ ଗିରଫ କରାଯାଇଛି। ଗତ ୨ତାରିଖରେ କମ୍ପାନିର ସହକାରୀ ମହାପ୍ରବନ୍ଧକ ସୁରେନ୍ଦ୍ର କୁମାର ପାତ୍ରଙ୍କୁ ଭୁବନେଶ୍ବରରୁ ଗିରଫ କରାଯାଇଥିବା ‌ବେଳେ ମହାପ୍ରବନ୍ଧକ (ଅର୍ଥ) ମାନସ ରଞ୍ଜନ ପହିଙ୍କୁ କୋଲକାତାରୁ ଗିରଫ କରାଯାଇଛି। ସେମାନଙ୍କର ଜାମିନ ଆବେଦନ ଖାରଜ ହେବା ପରେ ୧୪ଦିନ ପାଇଁ ବିଚାର ବିଭାଗ ହାଜତକୁ ପଠାଇ ଦିଆଯାଇଛି। ପ୍ରାୟ ୧ ବର୍ଷ ହେଲା ଏହି କାରଖାନାକୁ ମାଲିକ ବିଭିନ୍ନ ଆଳ ଦେଖାଇ ବନ୍ଦ କରି ଦେଇଥିବା ବେଳେ କର୍ମଚାରୀ ଓ ଶ୍ରମିକମାନେ ଭୋକ ଉପବାସରେ ଦିନ କାଟୁଛନ୍ତି। କମ୍ପାନି ମାଲିକ କୋଟି କୋଟି ଟଙ୍କା ଠକେଇ କରିଥିବା ବେଳେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ବଦଳରେ ବର୍ଷେ ହେଲା ଦରମା ନପାଇ ଭୋକ ଉପବାସରେ ଦିନ କାଟୁଥିବା କର୍ମଚାରୀଙ୍କୁ ଗିରଫ କରାଯିବା ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ମାଲିକଙ୍କୁ ଖସାଇ ଦେଇ କର୍ମଚ‌ାରୀଙ୍କୁ ଫସାଇ ଦିଆଯାଇଛି ‌ବୋଲି ଚର୍ଚ୍ଚା ହେଉଛି।

ମେସ୍କୋ ଗ୍ରୁପ୍‌ ଅଧୀନରେ ଥିବା ମୈଥାନ ଇସ୍ପାତ କାରଖାନା ୨୦୧୯ ଜାନୁ୍ଆରି ମାସରୁ କର୍ମଚାରୀ ଓ ଶ୍ରମିକଙ୍କୁ ଦରମା ଦେଇ ନଥିବା ସହିତ କାରଖାନାରେ ତାଲା ପକାଇଛି। ବାରମ୍ବାର ଜିଲ୍ଲା ପ୍ରଶାସନର ଆଲୋଚନା ‌ସତ୍ତ୍ବେ କୌଣସି ସୁଫଳ ମିଳିନାହିଁ। ମୈଥାନ କାରଖାନାକୁ ସେବା ଓ ସାମଗ୍ରୀ ଯୋଗାଇଥିବା ସଂସ୍ଥାମାନେ ୬୫କୋଟି ଟଙ୍କା ବାକି ଥିବା ଦାବି କରିଛନ୍ତି। ମୈଥାନ କର୍ମଚାରୀଙ୍କୁ ଦରମା ଦିଆଯାଉନଥିବାରୁ ମେସ୍କୋ ଗ୍ରୁପ୍‌ ଅଧ୍ୟକ୍ଷା ରୀତା ସିଂଙ୍କ କଳିଙ୍ଗନଗର ଗସ୍ତ ଅବସରରେ କର୍ମଚାରୀମାନେ ତାଙ୍କୁ ୩୬ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଘେରାଉ କରି ରଖିଥିଲେ। ଭୁବେନେଶ୍ବରସ୍ଥିତ ଦ୍ରବ୍ୟ ଓ ସେବାକର ଗୁଇନ୍ଦା ନିର୍ଦ୍ଦେଶାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ ମୈଥାନ କାରଖାନା ପକ୍ଷରୁ ୨୦୧୮ ଏପ୍ରିଲରୁ ନଭେମ୍ବର ମଧ୍ୟରେ ୨୩କୋଟି ଟଙ୍କାର ଜିଏସ୍‌ଟି ଫାଙ୍କି ହୋଇଛି। ଏହି ଚଞ୍ଚକତାପୂର୍ଣ୍ଣ କାର୍ଯ୍ୟରେ କଂପାନିର ଦୁଇଜଣ ଅଧିକାରୀ ତଥା ଅର୍ଥ ବିଭାଗ ମହାପ୍ରବନ୍ଧକ ମାନସ ରଂଜନ ପହି ଏବଂ ସହକାରୀ ମହା ପ୍ରବନ୍ଧକ(ଟିକସ) ସୁରେନ୍ଦ୍ର କୁମାର ପାତ୍ର ଗରୁତ୍ବପୂର୍ଣ୍ଣ ଭୂମିକା ନେଇଥିଲେ। ତେଣୁ ଉଭୟଙ୍କୁ ଗିରଫ କରାଯାଇଥିବା କୁହାଯାଇଛି।

ସେହିପରି ମେସ୍କୋ କରଖାନା ମଧ୍ୟ ଜିଏସଟି ବାବଦରେ ୮୨କୋଟି ଟଙ୍କା ଫାଙ୍କିଥିବା କାରଣରୁ ଏହାର ନମ୍ବରକୁ ବ୍ଲକ୍ କରାଯାଇଥିବା ସୂଚନା ମିଳିଛି। କାରଖାନା ମାଲିକଙ୍କ ଶହ ଶହ କୋଟି ଟଙ୍କା ଠକେଇ ଧରାପଡ଼ିଥିବା ବେଳେ କର୍ମଚାରୀଙ୍କୁ ମୋହରା ବନାଯାଉଛି ବୋଲି ଅଭିଯୋଗ ହେଉଛି। ଏପରିକି ମେସ୍କୋ କମ୍ପାନି ଅଧୀନସ୍ଥ କେନ୍ଦୁଝର ଜିଲ୍ଲାର ଖଣିରୁ ମାତ୍ରାଧିକ ଖନନ ପାଇଁ ‌୧୧୫‌କୋଟି ଟଙ୍କା ଜରିମାନା ଧାର୍ଯ୍ୟ କରାଯାଇଛି।

ସମ୍ବନ୍ଧିତ ଖବର