ଭାରତ ଇତିହାସରେ ପ୍ରଥମ: ମାସକରେ ୨୩ ଲକ୍ଷ ୮୦ ହଜାର ଗାଡ଼ି ବିକ୍ରି

ନୂଆଦିଲ୍ଲୀ : ସ୍ବାଧୀନ ଭାରତ ଇତିହାସରେ ସର୍ବାଧିକ ସଂଖ୍ୟକ ଗାଡ଼ି ଚଳିତ ବର୍ଷ ନଭେମ୍ବର ମାସରେ ବିକ୍ରି ହୋଇଛି। ୨୦୨୨ ନଭେମ୍ବରରେ ପ୍ରାୟ ୨୩ ଲକ୍ଷ ୮୦ ହଜାର ଗାଡ଼ି ବିକ୍ରି ହୋଇଛି ଯାହା ପୂର୍ବବର୍ଷର ବିକ୍ରି ତୁଳନାରେ ୨୬% ଅଧିକ। ପୂର୍ବରୁ କୌଣସି ଗୋଟିଏ ମାସରେ ଦେଶରେ ଏତେ ଗାଡ଼ି ବିକ୍ରି ହୋଇନଥିଲା। ଉତ୍ସବ ଋତୁ ଓ ବିବାହ ଋତୁ ଉଭୟ ଏହି ମାସରେ ପଡ଼ିବା ଯୋଗୁ ଗାଡ଼ି ବିକ୍ରି ତ୍ବରାନ୍ବିତ ହୋଇଛି। ସ୍କୁଟର ଓ ବାଇକ୍ ଭଳି ଦୁଇଚକିଆ ଗାଡ଼ି ସର୍ବାଧିକ ସଂଖ୍ୟାରେ ବିକ୍ରି ହୋଇଛି। ଏହି କ୍ଷେତ୍ରରେ ୨୪% ଅଭିବୃଦ୍ଧି ହାସଲ ହୋଇଛି। ବାଇକ୍, ସ୍କୁଟରଠାରୁ ଆରମ୍ଭ କରି, ତିନି ଚକିଆ କାର୍, କମର୍ସିଆଲ୍ ଯାନ ଏବଂ ଟ୍ରାକ୍ଟର ଆଦି ସବୁ ପ୍ରକାର ଗାଡ଼ି ବିକ୍ରି ବଢ଼ିଛି।

ଅଟୋମୋବାଇଲ୍‌ ଡିଲରମାନଙ୍କ ମହାସଂଘ ‘ଏଫ୍‌ଏଡିଏ’ ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ନଭେମ୍ବରରେ ଦୁଇ ଚକିଆ ଯାନ ବିକ୍ରି ୨୪% ବଢ଼ିଥିବା ବେଳେ ତିନିଚକିଆରେ ୮୦%, କାର୍‌ରେ ୨୧%, ଟ୍ରାକ୍ଟରରେ ୫୭% ଏବଂ କମର୍ସିଆଲ୍ ଯାନ ବିକ୍ରିରେ ୩୩% ବୃଦ୍ଧି ହୋଇଛି। କାର୍‌ ବର୍ଗରେ କମ୍ପାକ୍ଟ ଏସ୍‌ୟୁଭି, ଏସ୍‌ୟୁଭି ଏବଂ ତା’ଠାରୁ ବଡ଼ ଗାଡ଼ି ଅଧିକ ବିକ୍ରି ହୋଇଛି। ଏଫ୍‌ଏଡିଏର ସଭାପତି ମନିଷ ରାଜ ସିଂଘାଣିଆ କହିଛନ୍ତି ଯେ ଉତ୍ସବ ଋତୁ ପରେ ନଭେମ୍ବର ୧୪ରୁ ଆରମ୍ଭ ହୋଇଥିବା ବିବାହ ଋତୁରେ ମଧ୍ୟ ଗାଡ଼ି ବିକ୍ରିର ଅଭିବୃଦ୍ଧି ଧାରା ବଜାୟ ରହିଥିଲା। ନଭେମ୍ବର ୧୪ରୁ ଡିସେମ୍ବର ୧୪ ମଧ୍ୟରେ ଦେଶରେ ୩୨ ଲକ୍ଷ ବିବାହ ହେବ ଗାଡ଼ି ବିକ୍ରି ବଢ଼ାଇବାରେ ଏହା ପ୍ରମୁଖ ଭୂମିକା ନିର୍ବାହ କରିଛି ବୋଲି ସେ କହିଛନ୍ତି।

୨୦୨୦‌ରେ ବିଏସ୍‌-୬ ଭଳି କଠୋର ପ୍ରଦୂଷଣ ନିୟମ ଲାଗୁ ହେବା, କରୋନା ମହାମାରୀ ଏବଂ ଏହାର ପରବର୍ତ୍ତୀ ସମୟରେ ଅସ୍ଥିର ଅର୍ଥନୈତିକ ସ୍ଥିତି ଯୋଗୁ ଗାଡ଼ି ବଜାର ଆଗକୁ ବଢ଼ିବା ଲାଗି ସଂଘର୍ଷ କରୁଥିଲା। ମାତ୍ର ଚଳିତ ବର୍ଷ ନଭେମ୍ବରରେ ଯେଉଁ ସଂଖ୍ୟାରେ ଗାଡ଼ି ବିକ୍ରି ହୋଇଛି, ତାହା ନିଶ୍ଚିତ ରୂପେ ଗାଡ଼ି ନିର୍ମାତା ଓ ଡିଲରମାନଙ୍କ ମନୋବଳକୁ ସୁଦୃଢ଼ କରିବ। ନୂଆ ପ୍ରଯୁକ୍ତି ଓ ସୁରକ୍ଷା ବ୍ୟବସ୍ଥାରେ ନିବେଶ ବଢ଼ାଇବା ଲାଗି ସେମାନଙ୍କ ପାଖରେ ସୁଯୋଗ ସୃଷ୍ଟି ହେବ। ଆଗାମୀ ଦିନରେ ମଧ୍ୟ ବିକ୍ରିରେ ଏହି ବୃଦ୍ଧିର ଧାରା ଜାରି ରହିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର