ନୂଆଦିଲ୍ଲୀ: ଦେଶରେ ଗରମ ଦିନେ ଲୋକଙ୍କୁ ନିରନ୍ତର ଗୁଣାତ୍ମକ ବିଦ୍ୟୁତ ସେବା ମିଳୁନାହିଁ। ବାରମ୍ବାର ଅଘୋଷିତ ବିଜୁଳି କାଟ୍‌ ହେଉଛି। କେଉଁଠି ଭୋଲଟେଜ୍ ସମସ୍ୟା ଦେଖାଦେଉଛି ତ ଆଉ କେଉଁଠି ସାମାନ୍ୟ ବର୍ଷା ପବନରେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍‌ କଟି ଯାଉଛି। ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳର ଲୋକମାନେ ବିଦ୍ୟୁତ୍‌ଜନିତ ସମସ୍ୟା ଅଧିକ ଭୋଗୁଛନ୍ତି। ବିଜ୍‌ନେସ୍‌ ଷ୍ଟାଣ୍ଡାର୍ଡ ପକ୍ଷରୁ କରାଯାଇଥିବା ତଥ୍ୟର ସମୀକ୍ଷା ଅନୁଯାୟୀ ଦେଶର ଗ୍ରାମାଞ୍ଚଳକୁ ବିଦ୍ୟୁତ ଯୋଗାଣ ହ୍ରାସ ପାଉଛି। ୨୦୧୮-୧୯ରେ ଦିନକୁ ପ୍ରାୟ ୧୯.୧ ଘଣ୍ଟା ବିଦ୍ୟୁତ୍‌ ଯୋଗାଣ ହେଉଥିବା‌ବେଳ ୨୦୨୨-୨୩ରେ ଏହା ୧୬.୦୩ ଘଣ୍ଟାକୁ ହ୍ରାସ ପାଇଛି। ଅର୍ଥାତ୍ ଏଥିରେ ୧୬ ପ୍ରତିଶତ ହ୍ରାସ ଘଟିଛି। ଅନ୍ୟପକ୍ଷରେ ସହରାଞ୍ଚଳରେ ବିଦ୍ୟୁତ ଯୋଗାଣ ମାତ୍ର ୧.୭ ପ୍ରତିଶତ ବୃଦ୍ଧି ଘଟିଛି।

Advertisment

ତେବେ ଚଳିତବର୍ଷ ଏପ୍ରିଲରେ ଶକ୍ତି ମନ୍ତ୍ରାଳୟ ସମ୍ମୁଖରେ କେନ୍ଦ୍ରୀୟ ବିଦ୍ୟୁତ କର୍ତ୍ତୃପକ୍ଷ (ସିଇଏ) ପକ୍ଷରୁ ଉପସ୍ଥାପନ ହୋଇଥିବା ତଥ୍ୟରୁ ଜଣାଯାଇଛି ଉତ୍ତର ପ୍ରଦେଶ ଠାରୁ ଆରମ୍ଭ କରି ବିହାର, ମଧ୍ୟପ୍ରଦେଶ, ତେଲେଙ୍ଗାନା, ହିମାଚଳ ପ୍ରଦେଶରେ ଗ୍ରାମାଞ୍ଚଳକୁ ବିଦ୍ୟୁତ୍‌ ଯୋଗାଣ ଉଲ୍ଲେଖନୀୟଭାବେ କମିଛି। ସିଇଏ ତଥ୍ୟ ଅନୁଯାୟୀ, ଗ୍ରାମୀଣ ଭାରତରେ ଗତ ଆର୍ଥିକ ବର୍ଷରେ ବିଦ୍ୟୁତ ଯୋଗାଣ ଦିନକୁ ୨୦.୫୫ ଘଣ୍ଟାକୁ ହ୍ରାସ ପାଇଛି। ୨୦୧୮-୧୯ରେ ଏହା ୨୦.୭ ଘଣ୍ଟା ରହିଥିଲା।

publive-image

ଶକ୍ତି ମନ୍ତ୍ରାଳୟ ନିକଟରେ ସିଇଏ ପକ୍ଷରୁ ଉପସ୍ଥାପନ ହୋଇଥିବା ତଥ୍ୟରୁ ଏହା ମଧ୍ୟ ଜଣାଯାଇଛି ଯେ କେତେକ ରାଜ୍ୟର ସହରାଞ୍ଚଳରେ ବି ହାରାହାରି ବିଦ୍ୟୁତ୍‌ ଯୋଗାଣ ସେତେଟା ଭଲ ନାହିଁ। ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ପଞ୍ଜାବ ଏବଂ ପଶ୍ଚିମବଙ୍ଗର ସହରାଞ୍ଚଳରେ ବିଦ୍ୟୁତ୍‌ ଯୋଗାଣ କରୋନା ମହାମାରୀ ପୂର୍ବ ସ୍ତରକୁ ଛୁଇଁନାହିଁ। କେନ୍ଦ୍ର ଶକ୍ତି ମନ୍ତ୍ରୀ ଆର୍‌କେ ସିଂହ ରାଜ୍ୟୱାରୀ ଗ୍ରାମାଞ୍ଚଳର ବିଦ୍ୟୁତ ଯୋଗାଣ ସମୀକ୍ଷା କରିବା ସମୟରେ ଜାଣିବାକୁ ପାଇଥିଲେ ଯେ ହରିୟାଣା, ହିମାଚଳ ପ୍ରଦେଶ, କର୍ଣ୍ଣାଟକ, ତ୍ରିପୁରା ଏବଂ ଉତ୍ତର ପ୍ରଦେଶ ଆଦିର ଗ୍ରାମାଞ୍ଚଳରେ ଦିନକୁ ବିଦ୍ୟୁତ ଯୋଗାଣ ୨୦ ଘଣ୍ଟାରୁ ବି କମ୍‌ ରହିଛି। ସମୀକ୍ଷା ସମୟରେ ଗ୍ରାମାଞ୍ଚଳର ବିଦ୍ୟୁତ ଯୋଗାଣ ସ୍ଥିତିରେ ତୁରନ୍ତ ଉନ୍ନତି ଆଣିବାକୁ କୁହାଯାଇଥିଲା। ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ଲୋକଙ୍କୁ ୨୪ ଘଣ୍ଟା ବିଦ୍ୟୁତ ସେବା ଯୋଗାଇ ଦେବା ଦାୟିତ୍ବ ବଣ୍ଟନ କମ୍ପାନିଗୁଡ଼ିକର ବୋଲି ମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ।

ତେବେ ଶକ୍ତି ମନ୍ତ୍ରାଳୟ ପକ୍ଷରୁ ବିଜ୍‌ନେସ ଷ୍ଟାଣ୍ଡାର୍ଡକୁ ଦିଆଯାଇଥିବା ତଥ୍ୟରେ କୁହାଯାଇଛି ଯେ ୨୦୨୨-୨୩ରେ ବିଦ୍ୟୁତ ଯୋଗାଣ ୨୦୧୮-୧୯ ଭଳି ସମାନ ସ୍ତରରେ ଅର୍ଥାତ ସହରାଞ୍ଚଳରେ ଦିନକୁ ୨୩.୮ ଘଣ୍ଟା ଏବଂ ଗ୍ରାମାଞ୍ଚଳରେ ଦିନକୁ ୨୦.୬ ଘଣ୍ଟା ରହିଛି। ଶକ୍ତି ମନ୍ତ୍ରାଳୟର କହିବାନୁଯାୟୀ, ୨୦୧୩-୧୪ରେ ଗ୍ରାମାଞ୍ଚଳରେ ଦିନକୁ ହାରାହାରି ୧୨.୫ ଘଣ୍ଟା ବିଦ୍ୟୁତ ଯୋଗାଣ ହେଉଥିବାବେଳେ ୨୦୨୨-୨୩ରେ ଏହା ୨୦.୬ ଘଣ୍ଟାକୁ ବୃଦ୍ଧି ପାଇଛି। ଲୋକଙ୍କୁ ୨୪ ଘଣ୍ଟିଆ ବିଦ୍ୟୁତ ସେବା ଯୋଗାଇ ଦେବା ପାଇଁ ଭାରତ ସରକାର ରାଜ୍ୟ ସରକାରଙ୍କ ସହ ମିଶି ୨୦୧୪ରୁ ୨୦୧୭ ମଧ୍ୟରେ ଅନେକ ଯୋଜନା ହାତକୁ ନେଇଥିଲେ। କୃଷି କ୍ଷେତ୍ର ଠାରୁ ଆରମ୍ଭ କରି ଶିଳ୍ପ ପ୍ରତିଷ୍ଠାନ, ବାଣିଜ୍ୟିକ ସଂସ୍ଥା ଏବଂ ଘରଗୁଡ଼ିକୁ ନିରବଚ୍ଛିନ୍ନ ବିଜୁଳି ଯୋଗାଇ ଦେବାକୁ କୁହାଯାଇଛି ବୋଲି କେନ୍ଦ୍ର ଶକ୍ତି ସଚିବ କହିଛନ୍ତି। ତେବେ ବିହାର, ମଧ୍ୟପ୍ରଦେଶ, ତେଲେଙ୍ଗାନା ଏବଂ ହିମାଚଳ ପ୍ରଦେଶରେ ଗ୍ରାମାଞ୍ଚଳରେ ବିଦ୍ୟୁତ ଯୋଗାଣ କମିବା ସଂପର୍କରେ ସେ କହିଛନ୍ତି ବିଦ୍ୟୁତ ଯୋଗାଣ ଏବଂ ବଣ୍ଟନ କାର୍ଯ୍ୟ ସଂପୃକ୍ତ ରାଜ୍ୟ ସରକାରମାନେ କରିଛନ୍ତି। ଦୀନ ଦୟାଲ ଉପାଧ୍ୟାୟ ଗ୍ରାମ ଜ୍ୟୋତି ଯୋଜନା, ସମନ୍ବିତ ଶକ୍ତି ବିକାଶ ଯୋଜନା ଏବଂ ପରିବର୍ତ୍ତିତ ବଣ୍ଟନ କ୍ଷେତ୍ର ଯୋଜନା (ଆରଡିଏସ୍‌ଏସ୍‌) ଆଦି ଜରିଆରେ କେନ୍ଦ୍ର ପକ୍ଷରୁ ରାଜ୍ୟଗୁଡ଼ିକୁ ସହାୟତା ଯୋଗାଇ ଦିଆଯାଉଛି। ଚାହିଦା ପୂରଣ ପାଇଁ ଦେଶରେ ପର୍ଯ୍ୟାପ୍ତ ମାତ୍ରାର ବିଜୁଳି ଉତ୍ପାଦନ ଏବଂ ସଞ୍ଚରଣ ହେଉଛି ବୋଲି ସଚିବ କହିଛନ୍ତି।