ତେଲରୁ ୭ ବର୍ଷରେ ୨୫ ଲକ୍ଷ କୋଟି ଆୟ

ଭୁବନେଶ୍ବର : ‌ଦେଶରେ ପେଟ୍ରୋଲ୍ ୧୦୦ ଟଙ୍କାରୁ ଅଧିକ ଦାମ୍‌ରେ ବିକ୍ରି ହେଉଥିଲେ ମଧ୍ୟ ଟିକସ କମ୍ କରିବା ପ୍ରତି ସରକାର ଧ୍ୟାନ ଦେଉନଥିବାରୁ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି। ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଶାସନ ଭାର ଗ୍ରହଣ କରିବାର ପରବର୍ତ୍ତୀ ସାତ ବର୍ଷରେ ଉଭୟ ପେଟ୍ରୋଲ୍ ଓ ଡିଜେଲ୍‌ରେ ଟିକସ ଅନେକ ଥର ବୃଦ୍ଧି ପାଇଛି। ୨୦୧୪ ଏପ୍ରିଲ୍‌ରୁ ୨୦୨୧ ଜୁଲାଇ ମଧ୍ୟରେ ପେଟ୍ରୋଲ୍‌ରେ କେନ୍ଦ୍ର ସରକାର ଉତ୍ପାଦନ ଶୁଳ୍କରେ ୨୪୭% ଓ ଡିଜେଲ୍‌ରେ ୭୯୫% ବୃଦ୍ଧି କରିଛନ୍ତି। ୨୦୧୪ ଏପ୍ରିଲ୍‌ରେ ପେଟ୍ରୋଲ୍‌ରେ ୯ ଟଙ୍କା ୪୮ ପଇସାର ଉତ୍ପାଦନ ଶୁଳ୍କ ଲଗାଯାଇଥିଲା। ସାତ ବର୍ଷ ଭିତରେ ତାହା ୨୩ ଟଙ୍କା ୪୨ ପଇସା ବୃଦ୍ଧି ପାଇ ୩୨ ଟଙ୍କା ୯୦ ପଇସାରେ ପହଞ୍ଚିଛି। ସେହିପରି, ଡିଜେଲ୍‌ରେ ଉତ୍ପାଦନ ଶୁଳ୍କ ୩ ଟଙ୍କା ୫୬ ପଇସାରୁ ବୃଦ୍ଧି ପାଇ ୩୧ ଟଙ୍କା ୮୦ ପଇସା ହୋଇଛି। ସାତ ବର୍ଷ ଭିତରେ ଡିଜେଲ୍‌ରେ କେନ୍ଦ୍ରୀୟ ଉତ୍ପାଦନ ଶୁଳ୍କରେ ୨୮ ଟଙ୍କା ୨୪ ପଇସାର ବୃଦ୍ଧି ହୋଇଛି। ଗତ ସାତ ବର୍ଷ ଭିତରେ ତେଲ ଟିକସରୁ କେନ୍ଦ୍ର ସରକାର ୨୫ ଲକ୍ଷ କୋଟି ଟଙ୍କା ଆୟ କରିଛନ୍ତି। ଉପା ସରକାରଙ୍କ କାର୍ଯ୍ୟକାଳ ଶେଷ ହେବା ଓ ଏନ୍‌ଡିଏ ଶାସନ ଭାର ଗ୍ରହଣ କରିଥିବା ଆର୍ଥିକ ବର୍ଷ ୨୦୧୪-୧୫ରେ ତେଲରୁ ୧ ଲକ୍ଷ ୭୨ ହଜାର କୋଟି ଟଙ୍କାର ଟିକସ ସଂଗ୍ରହ କରାଯାଇଥିଲା। ୨୦୨୦-୨୧ ଆର୍ଥିକ ବର୍ଷରେ ସେହି ଆୟ ୪ ଲକ୍ଷ ୫୩ ହଜାର କୋଟି ଟଙ୍କା ହୋଇଛି। ରାଜସ୍ବ ଆୟ ଲାଗି ତେଲକୁ ଏନ୍‌ଡିଏ ସରକାର ବଡ଼ ଅସ୍ତ୍ର ଭାବେ ବ୍ୟବହାର କରୁଥିବା ଏଥିରୁ ଜଣାପଡ଼ୁଛି।

ତେଲରୁ ହେଉଥିବା ଆୟର ସିଂହ ଭାଗକୁ ନିଜ ପାଖରେ ରଖିବା ଲାଗି କେନ୍ଦ୍ର ସରକାର ଚତୁରତାର ସହ ସେସ୍‌ ଖେଳ ଖେଳିଛନ୍ତି। ସେସ୍‌ ଜରିଆରେ ଯେଉଁ ଆୟ ହୁଏ ତାହାକୁ ରାଜ୍ୟଗୁଡ଼ିକ ସହ ଭାଗବଣ୍ଟା କରିବାକୁ ପଡ଼େ ନାହିଁ। ତାହା ଉପରେ କେନ୍ଦ୍ର ସରକାରଙ୍କ ସମ୍ପୂର୍ଣ୍ଣ ଅଧିକାର ରହିଛି। ଏକ ଲିଟର ପେଟ୍ରୋଲ୍‌ରୁ କେନ୍ଦ୍ର ସରକାର ଯେଉଁ ୩୨ ଟଙ୍କା ୯୦ ପଇସାର ଟିକସ ସଂଗ୍ରହ କରୁଛନ୍ତି ସେଥି ମଧ୍ୟରୁ ୨୦ ଟଙ୍କା ୫୦ ପଇସା ହେଉଛି ସେସ୍‌। ଅର୍ଥାତ ଟିକସ ଅକାରରେ ଯେଉଁ ସଂଗ୍ରହ ହେଉଛି ତାହାର ୬୨% ରାଶି କେନ୍ଦ୍ର ସରକାରଙ୍କ ପାଖରେ ରହୁଛି। ଡିଜେଲ୍‌ରୁ ହେଉଥିବା ୩୧ ଟଙ୍କା ୮୦ ପଇସା ଟିକସ ଆୟରୁ ୨୨ ଟଙ୍କା ହେଉଛି ସେସ୍‌ (୬୯%)। ତେଲ ଦାମ୍ ହ୍ରାସ କରିବା ଲାଗି ରାଜ୍ୟଗୁଡ଼ିକ ଭାଟ୍ ହ୍ରାସ କରନ୍ତୁ ବୋଲି ଅନେକ ସମୟରେ ଦାବି ହେଉଛି। ରୋଚକ ତଥ୍ୟ ହେଉଛି ୨୦୨୦-୨୧ରେ ସବୁ ରାଜ୍ୟଗୁଡ଼ିକ ମିଶି ଭାଟ୍ ଆକାରରେ ୨ ଲକ୍ଷ ୧୭ ହଜାର କୋଟି ସଂଗ୍ରହ କରିଥିଲେ ଯାହା କେନ୍ଦ୍ର ସରକାର କରିଥିବା ୪ ଲକ୍ଷ ୫୩ ହଜାର କୋଟି ଟଙ୍କା ଆୟର ଅଧା (୪୮%) ବି ନୁହେଁ। ଚଳିତ ବର୍ଷର ଜାନୁଆରିରୁ ଜୁଲାଇ ୧୨ ଭିତରେ ପେଟ୍ରୋଲ୍ ଓ ଡିଜେଲ୍‌ ଦାମ୍‌ରେ ୬୬ ଥର ବୃଦ୍ଧି ହୋଇଛି।

ସମ୍ବନ୍ଧିତ ଖବର