ନୂଆଦିଲ୍ଲୀ : କେନ୍ଦ୍ର ସରକାରରେ ବହୁସଂଖ୍ୟାରେ ସରକାରୀ ପଦବି ଖାଲି ପଡ଼ିଛି। କେନ୍ଦ୍ର ସରକାରଙ୍କ ବେସାମରିକ କର୍ମଚାରୀଙ୍କ ଦରମା ଓ ଭତ୍ତା ସଂକ୍ରାନ୍ତ ବାର୍ଷିକ ରିପୋର୍ଟର ତଥ୍ୟ ବିଶ୍ଳେଷଣରୁ ଜଣାଯାଇଛି ଯେ କେନ୍ଦ୍ରରେ ୨୦୨୨ ମାର୍ଚ୍ଚ ସୁଦ୍ଧା ପ୍ରାୟ ୨୫ ପ୍ରତିଶତ ପଦବି ଖାଲି ପଡ଼ିଛି। ୨୦୦୨ ମାର୍ଚ୍ଚରେ ଏହା ୯.୪ ପ୍ରତିଶତ ସ୍ତରରେ ରହିଥିଲା। ସେହିଭଳି ୨୦୧୪ ବେଳକୁ ଖାଲି ପଦବି ସଂଖ୍ୟା ମୋଟ ଚାକିରିର ୧୨ ପ୍ରତିଶତ ଥିଲା।

Advertisment

publive-image

କେନ୍ଦ୍ର ସରକାରଙ୍କ ପ୍ରମୁଖ ମନ୍ତ୍ରାଳୟ ଏବଂ ବିଭାଗରେ ପଦବି ଖାଲି ରହିଛି। ଗୃହ ମନ୍ତ୍ରାଳୟରେ ୧୧.୧ ପ୍ରତିଶତ, ରେଳବାଇରେ ୨୦.୫ ପ୍ରତିଶତ, ଡାକ ବିଭାଗରେ ୩୮.୭ ପ୍ରତିଶତ, ପ୍ରତିରକ୍ଷା (ବେସାମରିକ ପଦବି)ରେ ୪୦.୨ ପ୍ରତିଶତ, ରାଜସ୍ବ ବିଭାଗରେ ୪୧.୬ ପ୍ରତିଶତ ପଦବି ପୂରଣ ହୋଇନାହିଁ। କେନ୍ଦ୍ର ବ୍ୟୟ ବିଭାଗର ପେ ଆଣ୍ଡ ଆଲାଉନସେନ୍ସ ରିପୋର୍ଟରୁ ଏହା ଜଣାଯାଇଛି। ମୋଟ ପଦବିର ୨୫ ପ୍ରତିଶତ ଖାଲି ପଡ଼ିଥିଲେ ମଧ୍ୟ ସରକାରଙ୍କ ବେତନ ପ୍ରଦାନ ବୋଝ ହ୍ରାସ ପାଇନାହିଁ। ୨୦୨୨ ମାର୍ଚ୍ଚ ସୁଦ୍ଧା କେନ୍ଦ୍ର ସରକାର ୨.୬ ଲକ୍ଷ କୋଟି ଟଙ୍କା ବେତନ ବାବଦରେ ବ୍ୟୟ କରିଛନ୍ତି। ୨୦୦୦ ମସିହା ପରଠାରୁ କେନ୍ଦ୍ର ସରକାରଙ୍କ ମୋଟ ରାଜସ୍ବ ବ୍ୟୟର ପାଖାପାଖି ୭ରୁ ୮ ପ୍ରତିଶତ ବେତନ ବାବଦରେ ଖର୍ଚ୍ଚ ହେଉଛି। ବିଶ୍ବର ଅନ୍ୟ ଦେଶ ତୁଳନାରେ ଭାରତରେ ଲୋକସଂଖ୍ୟା ତୁଳନାରେ ସରକାରୀ କର୍ମଚାରୀଙ୍କ ଅନୁପାତ କମ ରହିଛି। ତେବେ ଚଳିତବର୍ଷ ଜୁନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୭୦ ହଜାର ନିଯୁକ୍ତିପତ୍ର ବଣ୍ଟନ କରିଛନ୍ତି। ବିଭିନ୍ନ ବିଭାଗରେ ଏହି ବ୍ୟକ୍ତିମାନେ ଚାକିରି କରିବେ। ସୂଚନା ଅନୁଯାୟୀ, କେନ୍ଦ୍ର ସରକାରରେ ୨୦୨୨ ମାର୍ଚ୍ଚ ସୁଦ୍ଧା ମୋଟ ମଞ୍ଜୁରିପ୍ରାପ୍ତ ପଦବି ସଂଖ୍ୟା ୯୬୪୩୫୯ ରହିଥିଲା।