ଇଣ୍ଟରନେଟ୍‌ ସେବାକୁ ୨୫ ବର୍ଷ

୧୯୯୫ ଅଗଷ୍ଟ ୧୫, ଦେଶରେ ଇଣ୍ଟରନେଟ୍ ସେବା ଆରମ୍ଭ ହୋଇଥିଲା

ନୂଆଦିଲ୍ଲୀ : ୧୯୯୫ ମସିହା। ଭାରତ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ବର୍ଷ। ଏହି ବର୍ଷ ଦୁଇଟି ବଡ଼ ଘଟଣା ଘଟିଥିଲା ଯାହା ପରର୍ବତୀ ସମୟରେ ଦେଶର ରୂପରେଖ ବଦଳାଇ ଦେଇଥିଲା। ପ୍ରଥମଟି ଘଟଣା ହେଉଛି ମୋବାଇଲ୍‌ ସେବା ଆରମ୍ଭ ହେବା ଓ ଦ୍ବିତୀୟ ଘଟଣାଟି ହେଉଛି ଇଣ୍ଟରନେଟ୍‌ ସେବାର ଆରମ୍ଭ। ୧୯୯୫ ଜୁଲାଇ ୩୧ରେ ଦେଶରେ ମୋବାଇଲ୍ ସେବା ଆରମ୍ଭ ହୋଇଥିଲା। ଏହାର ପନ୍ଦର ଦିନ ପରେ ଅର୍ଥାତ ୧୯୯ ଅଗଷ୍ଟ ୧୫ରେ ଦେଶରେ ପ୍ରଥମ ଥର ପାଇଁ ଇଣ୍ଟରନେଟ୍‌ ସେବା ଆରମ୍ଭ ହୋଇଥିଲା। ଆସନ୍ତାକାଲି ଭାରତରେ ଇଣ୍ଟରନେଟ୍‌କୁ ୨୫ ବର୍ଷ ପୂରିବ।

ଇଣ୍ଟରନେଟ୍‌ର ପାଇଁ ଉଦ୍ୟମ କିନ୍ତୁ ୧୯୯୫ ଜୁଲାଇ ୨୮ ତାରିଖରେ ଆରମ୍ଭ ହୋଇଥିଲା। କମ୍ପ୍ୟୁଟରକୁ ନିଜ ଜୀବନ ଠାରୁ ଅଧିକ ଭଲ ପାଉଥିବା ବମ୍ବେର ବିଜୟ ମୁଖୀଙ୍କ ନିପିଆନ୍ ସି ରୋଡ୍‌ ସ୍ଥିତ ଆପାର୍ଟମେଣ୍ଟ୍‌ରେ ସେଦିନ ଏକ ପାର୍ଟିର ଆୟୋଜନ କରାଯାଇଥିଲା। ପାର୍ଟି ଆରମ୍ଭ ହେବାକୁ ସମସ୍ତେ ଅପେକ୍ଷା କରିଥିବା ବେଳେ ଜଣେ ବ୍ୟକ୍ତି ଏକ ଟେବୁଲ ତଳେ ଦୁଇଟି ତାରକୁ ଯୋଡ଼ିବା କାର୍ଯ୍ୟରେ ମାତିଥିଲେ। ସେ ହେଉଛନ୍ତି ଅନ୍ୟ ଜଣେ କମ୍ପ୍ୟୁଟରପ୍ରେମୀ କନକସାବାପତି ପାଣ୍ଡ୍ୟାନ। ତାଙ୍କ ହାତରେ ଏକ ସ୍କ୍ରୁଡ୍ରାଇଭର ଥିଲା ଏବଂ ସେ ଗୋଟିଏ ବକ୍ସରେ ଏକ ତାରକୁ ଯୋଡ଼ିବା ଲାଗି ସେ ଉଦ୍ୟମ କରୁଥିଲେ ଯାହା ସହିତ ଏକ ଟେଲିଫୋନ୍ ସଂଯୋଗ ମଧ୍ୟ ଥିଲା। ତାହା ଥିଲା ଏକ ମୋଡେମ୍। ପାର୍ଟିରେ ୪୦ରୁ ଅଧିକ ଲୋକ ଧୈର୍ଯ୍ୟହରା ହୋଇ ଚାହିଁରହିଥିଲା। ଟେବୁଲ୍ ତଳେ କାମ କରୁଥିବା ପାଣ୍ଡ୍ୟାନଙ୍କୁ ସେମାନେ ଥଟ୍ଟା କରିବା ଆରମ୍ଭ କରିଦେଇଥିଲେ। ପାର୍ଟିରେ ବିଦେଶ ସଂଚାର ନିଗମ ଲିମିଟେଡ୍‌ (ଭିଏସ୍‌ଏନ୍‌ଏଲ୍‌)ର ପୂର୍ବତନ ସିଏମ୍‌ଡି ବି କେ ସ୍ୟାଙ୍ଗଲ, ନିର୍ଦେଶକ-ପ୍ରଯୁକ୍ତି ଅମିତାଭ କୁମାର ଓ କର୍ପୋରେଟ ଜଗତର ଅନେକ ଜଣାଶୁଣା ବ୍ୟକ୍ତି ଥିଲେ। ସମସ୍ତେ ପାଣ୍ଡ୍ୟାନଙ୍କୁ ପ୍ରଶ୍ନ କରୁଥିଲେ, ଆରେ ପାଣ୍ଡ୍ୟାନ କ’ଣ କରୁଛ? ତୁମେ କ’ଣ ଇଲେକ୍ଟ୍ରିସିଆନ୍ ହୋଇଗଲ ନା କ’ଣ? ସେହି ସମୟରେ ପାଣ୍ଡ୍ୟାନ ମନେ ମନେ କହୁଥିଲେ, କିଛି ସମୟ ଅପେକ୍ଷା କର। ମୁଁ ତୁମମାନଙ୍କୁ ଇଣ୍ଟରନେଟ୍ କ’ଣ ତାହା ଦେଖାଇବାକୁ ଚାହୁଛି। ବହୁ ସମୟ ଉଦ୍ୟମ କରିବା ପରେ ତାରଟି ମୋଡେମ୍‌ ସହ ଯୋଡ଼ି ହୋଇଥିଲା। ଏହା ପରେ ଚମତ୍କାର ଘଟିଥିଲା। ଏକ କମ୍ପ୍ୟୁଟର ସ୍କ୍ରିନ୍‌ରେ ଆପଲ୍‌ ଇୱାର୍ଲଡ୍‌ର ହୋମ୍ ପେଜ୍ ଖୋଲିଥିଲା। ସେହି ପାର୍ଟିରୁ ଭାରତକୁ ଇଣ୍ଟରନେଟ୍‌ ଆସିଥିବା କୁହାଯାଉଛି। ସେତେବେଳେ ପାର୍ଟିରେ ଥିବା ଲୋକମାନେ ଆପଲ୍‌ ଇୱାର୍ଲଡ୍ ବିଷୟରେ ‌ଅଧିକ କିଛି ଜାଣିନଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କୁ ସେ ଇଣ୍ଟରନେଟ୍‌ର କ’ଣ ସବୁ କାମ କରିହୁଏ, ତାହା ପ୍ରଦର୍ଶିତ କରିଥିଲେ।

ସେଦିନର ପାର୍ଟି ଶେଷ ହୋଇଥିଲା, କିନ୍ତୁ ଭିଏସ୍‌ଏନ୍‌ଏଲ୍‌ ସିଏମ୍‌ଡି ସ୍ୟାଙ୍ଗଲ୍ ଇଣ୍ଟରନେଟ୍‌କୁ ଭୁଲି ପାରିନଥିଲେ। ପାଣ୍ଡ୍ୟାନ ଥିଲେ ଇଣ୍ଟରନେଟ୍ ୟୁଜର କ୍ଲବ୍ ଅଫ୍ ଇଣ୍ଡିଆର ଜଣେ ସଦସ୍ୟ। ୧୯୯୫ ଜୁଲାଇ ୨୯ରେ କ୍ଲବ୍‌ର ସଦସ୍ୟମାନଙ୍କୁ ଡାକି ସାଙ୍ଗ୍ୟାଲ ସେମାନଙ୍କ ସହ ଇଣ୍ଟରନେଟ୍‌ ସେବା ଆରମ୍ଭ କରିବା ବିଷୟରେ ଆଲୋଚନା କରିଥିଲେ। ବଲିଉଡ୍‌ ଅଭିନେତା ସମି କପୁର ମଧ୍ୟ ସେହି କ୍ଲବ୍‌ର ସଦସ୍ୟ ଥିଲେ। ୧୯୯୫ ଅଗଷ୍ଟ ୧୫ରେ ଭିଏସ୍‌ଏନ୍‌ଏଲ୍‌ ପକ୍ଷରୁ ଦେଶରେ ଆନୁଷ୍ଠାନିକ ଭାବେ ଇଣ୍ଟରନେଟ୍‌ ସେବା ଆରମ୍ଭ ହୋଇଥିଲା। ପଚିଶ ବର୍ଷ ତଳେ ଇଣ୍ଟରନେଟ୍‌ର ଯେଉଁ ବିପ୍ଳବ ଆରମ୍ଭ ହୋଇଥିଲା ତାହା ଆଜି ଦେଶର କୋଣ ଅନୁକୋଣରେ ପହଞ୍ଚିପାରିଛି। ପ୍ରତିଟି ଲୋକଙ୍କ ଜୀବନକୁ ଇଣ୍ଟରନେଟ୍‌ ସ୍ପର୍ଶ କରିପାରିଛି। ସିନେମା ଟିକଟ ବୁକିଙ୍ଗ୍‌ କରିବା ଠାରୁ ଆରମ୍ଭ କରି ଘରକୁ ଖାଇବା ମଗାଇବା ପର୍ଯ୍ୟନ୍ତ ଅନେକ କାର୍ଯ୍ୟ ଇଣ୍ଟରନେଟ୍ ଜରିଆରେ ହେଉଛି। ୪ଜି ଟେଲିଫୋନ୍ ସେବା ଏବଂ ସ୍ମାର୍ଟଫୋନ୍ ବିପ୍ଳବ ଇଣ୍ଟରନେଟ୍‌କୁ ଲୋକଙ୍କ ପକେଟ୍‌ ପର୍ଯ୍ୟନ୍ତ ପହଞ୍ଚାଇପାରିଛି।

ସମ୍ବନ୍ଧିତ ଖବର