କୃଷି ଭିତ୍ତିଭୂମି ପାଣ୍ଠି ଯୋଜନା, ଓଡ଼ିଶାକୁ ମିଳିବ ୨୫୦୦ କୋଟିର ଋଣ

ଭୁବନେଶ୍ବର: ଚଳିତ ବର୍ଷ କୃଷି ଭିତ୍ତିଭୂମି ପାଣ୍ଠି ଯୋଜନାରେ କୃଷକମାନଙ୍କୁ ବ୍ୟାଙ୍କ ଓ ଆର୍ଥିକ ଅନୁଷ୍ଠାନଗୁଡ଼ିକ ଏକ ଲକ୍ଷ କୋଟି ଟଙ୍କାର ଋଣ ପ୍ରଦାନ କରିବା ନେଇା ବ୍ୟବସ୍ଥା କରାଯାଇଛି। ସେଥିରୁ ଓଡ଼ିଶାକୁ ୨୫୦୦ କୋଟି ଟଙ୍କାର ଋଣ ମିଳିବ ବୋଲି କୃଷି ବିଭାଗର ପ୍ରମୁଖ ସଚିବ ଡକ୍ଟର ସୌରଭ ଗର୍ଗ କହିଛନ୍ତି। ଓଡ଼ିଶା କର୍ପୋରେଟ୍‌ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ‘କୃଷି ବ୍ୟବସାୟ: ଓଡ଼ିଶାରେ ସୁଯୋଗ ଓ ପରିସର’ ସମ୍ପର୍କିତ ୱେବିନାର୍‌ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସେ କହିଛନ୍ତି ଯେ କୃଷି ଭିତ୍ତିଭୂମି ପାଣ୍ଠି ଯୋଜନାରେ ଯେଉଁ ଋଣ ମିଳିବ ତାହା ଦ୍ବାରା କୃଷକ ଓ କୃଷି କ୍ଷେତ୍ରରେ ନିବେଶ କରିବାକୁ ଆଗ୍ରହୀ ଥିବା ଉଦ୍ୟୋଗୀମାନେ ଉପକୃତ ହେବେ।

ରାଜ୍ୟରେ କୃଷିଜାତ ଦ୍ରବ୍ୟ ଓ ଖାଦ୍ୟଶସ୍ୟ ଉପଲବ୍ଧତା ଯଥେଷ୍ଟ ପରିମାଣରେ ରହିଥିଲେ ମଧ୍ୟ ଏହି କ୍ଷେତ୍ରରେ ନିବେଶ କରିବା ଲାଗି ଯୁବଗୋଷ୍ଠୀଙ୍କୁ ଆକୃଷ୍ଟ କରିବାକୁ ହେଲେ ଆହୁରି ବହୁତ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ ବୋଲି କୃଷି ଓ ଖାଦ୍ୟ ଉତ୍ପାଦନ ବିଭାଗର ନିର୍ଦେଶକ ଡକ୍ଟର ଏମ୍ ମୁଥୁକୁମାର କହିଛନ୍ତି। କୃଷି ଭିତ୍ତିଭୂମି ପାଣ୍ଠି ଅଧୀନରେ ଓଡ଼ିଶାର ଉଦ୍ୟାନ କୃଷିର ସମନ୍ବିତ ବିକାଶ ପାଇଁ ମିଶନ, ମୁଖ୍ୟମନ୍ତ୍ରୀଙ୍କ କୃଷି ଉଦ୍ୟୋଗ ଯୋଜନା, ନାବାର୍ଡ, ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଗଠିତ ଅଣୁ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ଯୋଜନା, ଓଡ଼ିଶା ମିଲେଟ୍ ମିସନ, କୃଷି ଉତ୍ପାଦ କ୍ଲଷ୍ଟର୍‌, ପରମ୍ପରାଗତ କୃଷି ବିକାଶ ଯୋଜନା ଭଳି ୮ଟି ପ୍ରମୁଖ ଯୋଜନାର ସମ୍ମିଶ୍ରଣ କରାଯାଇଛି ବୋଲି ସେ କହିଛନ୍ତି। ଡବ୍ଲୁଡବ୍ଲୁଡବ୍ଲୁ ଡଟ୍‌ ଏଗ୍ରିଇନଫ୍ରା ଡଟ୍‌ ଡିଏସି ଡଟ୍‌ ଗଭ୍ ଡଟ୍‌ ଇନ୍‌ରେ ଏହି ପାଣ୍ଠିର ଋଣ ସମ୍ପର୍କରେ ସବିଶେଷ ବିବରଣୀ ରହିଛି। ଏହି ଅବସରରେ ଉଦ୍ୟାନ ଓ କୃଷି ନିର୍ଦେଶାଳୟର ନିର୍ଦେଶକ ରୋହିତ କୁମାର ଲେଙ୍କା, ଆପିକଲ୍‌ର ଏମ୍‌ଡି ଡକ୍ଟର ପି କେ ରାଉଳ, ମାର୍ଟ ଗ୍ଲୋବାଲ୍ ମ୍ୟାନେଜମେଣ୍ଟ୍‌ ସଲ୍ୟୁସନ୍ସର ସହଭାଗି ପଙ୍କଜ ମିଶ୍ର, ପୂର୍ବତନ ମୁଖ୍ୟ ସଚିବ ବିଜୟ କୁମାର ପଟ୍ଟନାୟକ ଓ ଇକୋସିଏଟ୍‌ର ପ୍ରତିଷ୍ଠାତା କେ ପି ମିଶ୍ର ଆଲୋଚନା ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର