ଭୁବନେଶ୍ବର: ପାରମ୍ପରିକ ଭାବେ ଖଣିଜ ଓ ଧାତବ ଶିଳ୍ପ ଲାଗି ପରିଚିତ ଓଡ଼ିଶା ଏବେ ଶିଳ୍ପାୟନରେ ବିବିଧତା ଆଣିବା ଉପରେ ଧ୍ୟାନ ଦେଉଛି। ତାହାର ଏକ ଅଂଶ ସ୍ବରୂପ ରାଜ୍ୟକୁ ୨୦୩୦ ସୁଦ୍ଧା ପୂର୍ବ ଭାରତର ବୟନ ରାଜଧାନୀରେ ପରିଣତ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ବୟନ କ୍ଷେତ୍ରରେ ନିବେଶ କରିବା ଲାଗି ନିବେଶକମାନଙ୍କୁ ଆହ୍ବାନ ଦିଆଯାଇଛି। ଏହି କ୍ଷେତ୍ରରେ ଆସନ୍ତା ୫ ବର୍ଷରେ ୨ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟର ବୟନ କ୍ଷେତ୍ରକୁ ୨୫୦୦ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି। ଏମ୍‌ଏଏସ୍‌ ହୋଲ୍ଡିଂସ୍‌, ଶାହି, ପେଜ୍ ଇଣ୍ଡଷ୍ଟ୍ରିଜ୍, ଏବିଏଫ୍ଆର୍‌ଏଲ୍‌, ଏପିକ୍ ଓ ତ୍ରିମେଟ୍ରୋ ଭଳି ସଂସ୍ଥା ନିଜର କାରଖାନା ସ୍ଥାପନ କରିବାକୁ ଆଗେଇ ଆସିଛନ୍ତି।  ପ୍ରତିଷ୍ଠିତ କମ୍ପାନି ସ୍ପୋର୍ଟକିଙ୍ଗ ମଧ୍ୟ ନିଜର ୟୁନିଟ୍ ବସାଇବାକୁ ଘୋଷଣା କରିଛି।

Advertisment

ପୂର୍ବ ଭାରତର ବୟନ ରାଜଧାନୀ ହେବ ଓଡ଼ିଶା: ହେମନ୍ତ ଶର୍ମା

ଏ ସମ୍ପର୍କରେ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା କହିଛନ୍ତି ଯେ ଭାରତର ବୟନ କାହାଣୀକୁ ଓଡ଼ିଶା ପୁନଃ ଉପସ୍ଥାପିତ କରୁଛି। ଫାଇବର୍‌ଠାରୁ ଫ୍ୟାସନ୍ ପର୍ଯ୍ୟନ୍ତ ଏକ ବିଶ୍ବସ୍ତରୀୟ ପ୍ରତିଦ୍ବନ୍ଦ୍ବିତାମୂଳକ ବ୍ୟବସ୍ଥା ଗଠନ କରାଯାଉଛି। ସେଥିରେ ପ୍ରଯୁକ୍ତି, ପରମ୍ପରା ଓ ବିଶ୍ବାସର ମିଶ୍ରଣ ରହିଛି। ୨୦୩୦ ସୁଦ୍ଧା ଓଡ଼ିଶାକୁ ପୂର୍ବ ଭାରତର ବୟନ ରାଜଧାନୀରେ ପରିଣତ କରିବାକୁ ଆମର ସ୍ପଷ୍ଟ ଲକ୍ଷ୍ୟ ରହିଛି ବୋଲି ସେ କହିଛନ୍ତି। ବୟନ ଶିଳ୍ପର ବିକାଶ ଲାଗି ରାଜ୍ୟ ସରକାର କାଳିବେଟିରେ ୨୭୮ ଏକର ଓ ଆରଙ୍ଗରେ ୧୭୯ ଏକରର ଉତ୍ସର୍ଗୀକୃତ ଜୋନ୍ ବିକାଶ କରିଛନ୍ତି। ସେଠାରେ ଏକ ୪୦୦୦ ଶଯ୍ୟା ବିଶିଷ୍ଟ ଶ୍ରମିକ ହଷ୍ଟେଲ୍ ନିର୍ମାଣ କରାଯାଉଛି। ଗଞ୍ଜାମରେ ପିଏମ୍‌ ମିତ୍ର ଟେକ୍ସଟାଇଲ୍‌ ପାର୍କକୁ କେନ୍ଦ୍ର ସରକାର ଅନୁମୋଦନ‌ ଦେଇଛନ୍ତି। ରାଜ୍ୟରେ କାର୍ଯ୍ୟକ୍ଷମ ହୋଇଥିବା ବୟନ କାରଖାନାରେ ୪୫ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ସେଥିରୁ ୭୦ ପ୍ରତିଶତ ନିଯୁକ୍ତି ମହିଳାମାନଙ୍କୁ ମିଳିଛି। 

ଅଧିକରୁ ଅଧିକ ଲୋକଙ୍କୁ ବୟନ ଶିଳ୍ପରେ ଚାକିରି ଦେବା ପାଇଁ ରାଜ୍ୟ ସରକାର ‘ଓଡ଼ିଶା ଟେକ୍ସଟାଇଲ୍‌ ସ୍କିଲ୍‌ ମିସନ’ ଆରମ୍ଭ କରିଛନ୍ତି। ସେଥିରେ ଦେଢ଼ ଲକ୍ଷ ନିଯୁକ୍ତି ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି। ଚୌଦ୍ବାରରେ ଥିବା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଟେ‌କ୍ସଟାଇଲ୍‌ ଟେକ୍ନୋଲୋଜିର ଉନ୍ନତୀକରଣ କରାଯାଉଛି। ବଡ଼ ବଡ଼ ଶିଳ୍ପ ସଂସ୍ଥା ସହିତ ଏହି କ୍ଷେତ୍ରରେ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍‌ଏମ୍‌ଇ), ହସ୍ତତନ୍ତ ସମବାୟ ସମିତି ଓ ମହିଳାଙ୍କ ନେତୃତ୍ବାଧୀନ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)ଗୁଡ଼ିକ ଯେଭଳି ସଫଳ ହେବେ, ତାହା ଉପରେ ମଧ୍ୟ ସରକାର ଧ୍ୟାନ ଦେଉଛନ୍ତି। ବୟନ ଶିଳ୍ପର କଞ୍ଚାମାଲ ଆବଶ୍ୟକତା ପୂରଣ କରିବା ଲାଗି ଆଇଓସିଏଲ୍‌ ପକ୍ଷରୁ ପାରାଦୀପରେ ଡୁଆଲ୍‌ ଫିଡ୍‌ ନାପ୍‌ଥା କ୍ରାକର୍‌ ୟୁନିଟ୍ ସ୍ଥାପନ କରାଯାଉଛି। ରାଜ୍ୟ ସରକାର ପାଞ୍ଚଟି ଫାଇବର୍‌ ଟୁ ‌ଫ୍ୟାସନ୍ କରିଡର୍‌ ମଧ୍ୟ ବିକାଶ କରୁଛନ୍ତି। ଓଡ଼ିଶା ‌ବୟନ ଓ ଟେକ୍ନିକାଲ୍ ଟେକ୍ସଟାଇଲ୍‌ ନୀତି ୨.୦ରେ ନିବେଶକମାନଙ୍କ ଲାଗି ଆକର୍ଷଣୀୟ ସବ୍‌ସିଡି ଓ ପ୍ରୋତ୍ସାହନ ବ୍ୟବସ୍ଥା ରହିଛି।