ନୂଆଦିଲ୍ଲୀ: ଦେଶର ଏକ ନମ୍ବର ବ୍ୟାଙ୍କ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କରେ ଗତ ପାଞ୍ଚ ବର୍ଷ ଭିତରେ କର୍ମଚାରୀ ସଂଖ୍ୟାରେ ୨୫ ହଜାର ହ୍ରାସ ଘଟିଛି। ୨୦୧୮-୧୯ ଶେଷ ସୁଦ୍ଧା ବ୍ୟାଙ୍କରେ ୨.୫୭ ଲକ୍ଷ କର୍ମଚାରୀ କାର୍ଯ୍ୟ କରୁଥିଲେ। ୨୦୨୩-୨୪ ସୁଦ୍ଧା ସେହି ସଂଖ୍ୟା ୨.୩୨ ଲକ୍ଷକୁ ହ୍ରାସ ପାଇଛି। ଏହି ପାଞ୍ଚ ବର୍ଷ ଭିତରେ ଷ୍ଟେଟ୍‌ ବ୍ୟାଙ୍କ କର୍ମଚାରୀ ସଂଖ୍ୟାରେ ବର୍ଷକୁ ହାରାହାରି ୫୦୦୦ ହ୍ରାସ ଘଟିଛି। ୨୦୨୨-୨୩ରେ ସର୍ବାଧିକ ୮,୩୯୨ କର୍ମଚାରୀ କମ୍ ହୋଇଥିଲେ। ଷ୍ଟେଟ୍‌ ବ୍ୟାଙ୍କ ଏହାର କର୍ମଚାରୀଙ୍କ ବାବଦରେ ୭୧,୨୩୭ କୋଟି ଟଙ୍କା ଖର୍ଚ୍ଚ କରିଛି। ଏହି ଖର୍ଚ୍ଚ ୨୦୨୩-୨୪ରେ ୨୪ ପ୍ରତିଶତ ବୃଦ୍ଧି ପାଇଛି। ବେତନ ସଂଶୋଧନ ଫଇସଲା ପାଇଁ ବ୍ୟାଙ୍କ ୧୩,୩୮୭ କୋଟି ଟଙ୍କାର ବ୍ୟବସ୍ଥା କରିଛି। ୨୦୨୪-୨୫ ପରଠାରୁ ପ୍ରତି ମାସରେ ବ୍ୟାଙ୍କର କର୍ମଚାରୀ ଖର୍ଚ୍ଚ ୫୦୦ କୋଟି ଟଙ୍କା ବଢ଼ିବ ବୋଲି ଆକଳନ କରାଯାଇଛି।