ନୂଆଦିଲ୍ଲୀ: ଚଳିତ ବର୍ଷ ଏପ୍ରିଲ୍‌ରେ ବିପୁଳ ପରିମାଣର ସୁନା ଆମଦାନି ହୋଇଛି। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ତଥ୍ୟ ଅନୁସାରେ ଏହି ମାସରେ ୨୫,୯୭୩ କୋଟି ଟଙ୍କାର ସୁନା ଆମଦାନି ହୋଇଛି ଯାହା ଗତବର୍ଷ ଏପ୍ରିଲ୍‌ରେ ହୋଇଥିବା ୮୨୬୭ କୋଟି ଟଙ୍କାର ଆମଦାନି ତୁଳନାରେ ୨୧୪ ପ୍ରତିଶତ ଅଧିକ। କେବଳ ସୁନା ନୁହେଁ, ଏହି ମାସରେ ସରକାର ବିପୁଳ ଡାଲି ମଧ୍ୟ ଆମଦାନି କରିଛନ୍ତି। ଚଳିତ ବର୍ଷ ଏପ୍ରିଲ୍‌ରେ ୩୪୨୮ କୋଟି ଟଙ୍କାର ଡାଲି ବିଦେଶରୁ ଅଣାଯାଇଛି ଯାହା ପୂର୍ବବର୍ଷ ଏପ୍ରିଲ୍‌ରେ ହୋଇଥିବା ୧୨୩୮.୧୫ କୋଟି ଟଙ୍କା ଆମଦାନି ତୁଳନାରେ ୧୭୬.୯୨ ପ୍ରତିଶତ ଅଧିକ।

Advertisment

ଡାଲି ଏକ ଅତ୍ୟାବଶ୍ୟକ ସାମଗ୍ରୀ ହୋଇଥିବାରୁ ତାହାର ଆମଦାନି ସେତେଟା ଚିନ୍ତାଜନକ ନଥିଲେ ମଧ୍ୟ ଦେଶ ଭିତରେ ତାହା ଯଥେଷ୍ଟ ପରିମାଣରେ ଉତ୍ପାଦନ ହେଉନଥିବାର ଚିତ୍ର ସାମ୍ନାକୁ ଆଣିଛି। ସବୁଠୁ ଚିନ୍ତାର ବିଷୟ ହେଉଛି ସୁନା ଆମଦାନିରେ ହୋଇଥିବା ବୃଦ୍ଧି। ଏଥିପାଇଁ ଯେଉଁ ବୈଦେଶିକ ମୁଦ୍ରା ଖର୍ଚ୍ଚ ହୋଇଛି ତାହା ଉପରେ ଅଙ୍କୁଶ ଲଗାଇବା ଲାଗି ସରକାର ସର୍ବଦା ଉଦ୍ୟମ କରୁଥିଲେ ମଧ୍ୟ ସଫଳ ହେଉନାହାନ୍ତି। ଆଲୋଚ୍ୟ ମାସରେ ଖାଇବା ତେଲ (୨୬.୧୩%), ଫଳ ଓ ପନିପରିବା (୨୯.୮୨%), ଅଶୋଧିତ ତୈଳ (୨୨.୨୫%), ନିଉଜ୍‌ପ୍ରିଣ୍ଟ (୧୪.୪୩%), ମେସିନ୍ ଟୁଲ୍‌ (୨୩.୫୨%), ପ୍ରକଳ୍ପରେ ବ୍ୟବହୃ୍ତ ଜିନିଷ (୧୯.୨୦%), ଇଲେକ୍ଟ୍ରୋନିକ୍ସ ସାମଗ୍ରୀ (୧୧.୮୯%) ଏବଂ ରୁପା ଆମଦାନି (୨୦.୮୩%) ବଢ଼ିଛି।

ଦେଶରୁ ହୋଇଥିବା ରପ୍ତାନି ଉପରେ ନଜର ପକାଇବା ପରେ ଜଣାପଡ଼ିଛି ଯେ ଲୁହାପଥର ରପ୍ତାନିରେ ୫୮.୨୦ ପ୍ରତିଶତ ହ୍ରାସ ଘଟିଛି। ୨୦୨୩ ଏପ୍ରିଲ୍‌ରେ ୨୯୧୦ କୋଟି ଟଙ୍କାର ଲୁହାପଥର ରପ୍ତାନି ହୋଇଥିବା ବେଳେ ଚଳିତ ବର୍ଷ ଏପ୍ରିଲ୍‌ରେ ୧୨୧୬.୬୯ କୋଟି ଟଙ୍କାର ଲୁହାପଥର ରପ୍ତାନି ହୋଇଛି। କଟକଣା ଲାଗୁ କରାଯାଇଥିବାରୁ ଚାଉଳ ରପ୍ତାନିରେ ୩ ପ୍ରତିଶତ ହ୍ରାସ ଘଟିଛି। ଚା’ ଓ କଫି ରପ୍ତାନି ଯଥାକ୍ରମେ ୨୭.୮୭ ପ୍ରତିଶତ ଓ ୧୭.୮୨ ପ୍ରତିଶତ ବଢ଼ିଛି। ତେବେ ତମାଖୁ (୧୫.୧୩%), ମସଲା (୧୪.୧୬%), ଔଷଧ (୯.୧୮%), ଇଲେକ୍ଟ୍ରୋନିକ୍ସ ସାମଗ୍ରୀ (୨୭.୯୨%), କପା ଓ ହସ୍ତତନ୍ତ ଉତ୍ପାଦ (୮.୪୫%) ଆଦିର ରପ୍ତାନିରେ ବୃଦ୍ଧି ଘଟିଛି। ତୈଳବୀଜ ରପ୍ତାନି ୧୫.୮୦ ପ୍ରତିଶତ କମିଥିବା ବେଳେ ସାମୁଦ୍ରିକ ଉତ୍ପାଦ ରପ୍ତାନି ୧୧.୪୭ ପ୍ରତିଶତ ହ୍ରାସ ପାଇଛି। ମାଂସ, ଦୁଗ୍ଧ, କୋଇଲା ଆଦିର ରପ୍ତାନିରେ ମଧ୍ୟ ହ୍ରାସ ଘଟିଛି।