ନୂଆଦିଲ୍ଲୀ: ନିକଟରେ ଶେଷ ହୋଇଥିବା ବର୍ଷ ୨୦୨୪ରେ ଦେଶରେ ୨ କୋଟି ୬୧ ଲକ୍ଷରୁ ଅଧିକ ଗାଡ଼ି ବିକ୍ରି ହୋଇଛି। ୨୦୨୩ରେ ୨.୩୯ କୋଟି ଗାଡ଼ି ବିକ୍ରି ହୋଇଥିଲା। ତାହା ତୁଳନାରେ ୨୦୨୪ରେ ୯ ପ୍ରତିଶତ ଅଧିକ ଗାଡ଼ି ବିକ୍ରି ହୋଇଥିବା ଗାଡ଼ି ଡିଲରଙ୍କ ମହାସଂଘ ଏଫ୍ଏଡିଏ ତଥ୍ୟରୁ ଜଣାପଡ଼ିଛି। ୨୦୨୪ରେ ଅତ୍ୟଧିକ ଗରମ, ଲୋକସଭା ନିର୍ବାଚନ, ବିଭିନ୍ନ ରାଜ୍ୟର ନିର୍ବାଚନ ଓ ଅସ୍ଥିର ମୌସୁମୀ ଭଳି ଆହ୍ବାନ ସତ୍ତ୍ବେ ଗାଡ଼ି ଶିଳ୍ପ ଆଗକୁ ବଢ଼ିବାରେ ସଫଳ ହୋଇଥିବା ଏଫ୍ଏଡିଏର ସଭାପତି ସିଏସ୍ ବିଗ୍ନେଶ୍ବର କହିଛନ୍ତି। ଇଲେକ୍ଟ୍ରିକ୍ ଯାନ (ଇଭି)ଠାରୁ କଡ଼ା ପ୍ରତିଦ୍ବନ୍ଦ୍ବିତା ସତ୍ତ୍ବେ ପେଟ୍ରୋଲ୍ ଚାଳିତ ଦୁଇଚକିଆ ବିକ୍ରି ଉତ୍ସାହଜନକ ରହିଛି। ଉତ୍ପାଦନ ମୂଲ୍ୟ ବୃଦ୍ଧି ଲାଗି ଏକାଧିକ ଥର ଦରବୃଦ୍ଧି ସତ୍ତ୍ବେ କାର୍ ବିକ୍ରି ବଢ଼ିଛି।
ନିର୍ବାଚନକୁ ନେଇ ଦେଖାଦେଇଥିବା ଅନିଶ୍ଚିତତା ଓ ଭିତ୍ତିଭୂମି ଖର୍ଚ୍ଚ କମ୍ ରହିବା କାରଣରୁ ବାଣିଜ୍ୟିକ ଯାନ ବିକ୍ରି ପ୍ରଭାବିତ ହୋଇଛି।୨୦୨୪ରେ ୪୦,୭୩,୮୪୩ କାର୍, ୧,୮୯,୧୨,୯୫୯ ଦୁଇଚକିଆ ଯାନ, ୧୨,୨୧,୯୦୯ ତିନିଚକିଆ ଯାନ ଓ ୮,୯୪,୧୧୨ ଟ୍ରାକ୍ଟର ବିକ୍ରି ହୋଇଛି। ଆଗାମୀ ଦିନରେ ଗ୍ରାମାଞ୍ଚଳରେ ଆୟ ବୃଦ୍ଧି, ବଜାରରେ ନୂଆ ମଡେଲ୍ ଓ ଇଭି ବଜାରରେ ସ୍ଥିରତା ଫେରିବା ଦ୍ବାରା ଦୁଇଚକିଆ ଯାନ ବଜାର ଆହୁରି ବ୍ୟାପକ ହେବ ବୋଲି ଏଫ୍ଏଡିଏ ପକ୍ଷରୁ କୁହାଯାଇଛି। ଗତବର୍ଷର ଶେଷ ମାସ ଡିସେମ୍ବରରେ କିନ୍ତୁ ଗାଡ଼ି ବିକ୍ରିରେ ୧୨ ପ୍ରତିଶତ ହ୍ରାସ ଘଟିଥିଲା। ଏହି ମାସରେ ସାରା ଦେଶରେ ୧୭,୫୬,୪୧୯ ଗାଡ଼ି ବିକ୍ରି ହୋଇଛି। ଦୁଇଚକିଆ ଯାନ ବିକ୍ରି ୧୮ ପ୍ରତିଶତ ହ୍ରାସ ପାଇ ୧୪,୫୪,୩୫୩କୁ ହ୍ରାସ ପାଇଛି। କାର୍ ବିକ୍ରି ୨ ପ୍ରତିଶତ ହ୍ରାସ ପାଇ ୨,୯୩,୪୬୫ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/03/car.jpg)