ନୂଆଦିଲ୍ଲୀ: ରୁପେ ଡେବିଟ୍‌ କାର୍ଡ ଓ ଛୋଟ ମୋଟ ଭିମ୍‌-ୟୁପିଆଇ କାରବାର ବଢ଼ାଇବା ଲାଗି ୨୬୦୦ କୋଟି ଟଙ୍କାର ସ୍କିମ୍‌କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ର ଅନୁମୋଦନ ମିଳିଛି। ବ୍ୟାଙ୍କଗୁଡ଼ିକୁ ଏହି ରାଶି ପ୍ରୋତ୍ସାହନ ଭାବେ ପ୍ରଦାନ କରାଯିବ। ପଏଣ୍ଟ୍‌ ଅଫ୍‌ ସେଲ୍‌ (ପିଓଏସ୍‌) ଓ ଇ-କମର୍ସ କାରବାରରେ ରୁପେ କାର୍ଡ ଓ ୟୁପିଆଇ କାରବାର ବଢ଼ାଇବା ଲାଗି ବ୍ୟାଙ୍କଗୁଡ଼ିକୁ ପ୍ରୋତ୍ସାହିତ କରାଯିବ।

Advertisment

ଏହି ସ୍କିମ୍‌ରେ ୟୁପିଆଇ ଲାଇଟ୍ ଓ ୟୁପିଆଇ୧୨୩ପେ’ର ମଧ୍ୟ ପ୍ରସାର କରାଯିବ। ଆଜିର କ୍ୟାବିନେଟ୍‌ ବୈଠକରେ ଦେଶରେ ତିନି ନୂଆ କୋ-ଅପରେଟିଭ୍ ସୋସାଇଟି ଗଠନ କରିବା ଲାଗି ଆସିଥିବା ପ୍ରସ୍ତାବକୁ ମଧ୍ୟ ମଞ୍ଜୁରି ମିଳିଛି। କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦର ଯାଦବ କହିଛନ୍ତି ଯେ ଜାତୀୟ ରପ୍ତାନି ସୋସାଇଟି, ଜାତୀୟ ଅର୍ଗାନିକ୍ ଉତ୍ପାଦ କୋ-ଅପରେଟିଭ୍ ସୋସାଇଟି ଏବଂ ଜାତୀୟ ସ୍ତରୀୟ ବିବିଧ-ରାଜ୍ୟ ବିହନ କୋ-ଅପରେଟିଭ୍ ସୋସାଇଟି ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଛି।