ଭୁବନେଶ୍ବର: ରାଜ୍ୟରେ କଳ କାରଖାନା ପ୍ରତିଷ୍ଠା ପାଇଁ ଆବଶ୍ୟକ ପଡ଼ୁଥିବା ଜମି ଇଡକୋ ଜରିଆରେ ଅଧିଗ୍ରହଣ କରାଯାଇ ଲ୍ୟାଣ୍ଡ୍‌ ବ୍ୟାଙ୍କ୍‌ ଗଠନ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଲ୍ୟାଣ୍ଡ୍‌ ବ୍ୟାଙ୍କ ଅଧୀନରେ ଶିଳ୍ପ ନିମନ୍ତେ ନିହାତି ଆବଶ୍ୟକ ଥିବା ୯୭,୧୩୪.୮୭୭ ଏକର ଜମି ଚିହ୍ନଟ କରାଯାଇ ଅଧିଗ୍ରହଣ ନିମନ୍ତେ ଆବେଦନ କରାଯାଇଛି। ଏଥିରୁ ୨୬,୩୮୦.୩୪୬ ଏକର ଜମି ଅଧିଗ୍ରହଣ କରାଯାଇଛି। ଏଥିରୁ ଜଗତସିଂହପୁର ଜିଲ୍ଲାରେ ସର୍ବାଧିକ ୬୨୭୩.୦୭୧ ଏକର ଜମି ଲ୍ୟାଣ୍ଡ୍‌ ବ୍ୟାଙ୍କରେ ରହିଛି। ଏହାପଛକୁ ଖୋର୍ଦ୍ଧାରେ ୨୬୪୯.୧୬୨ ଏକର, କଟକରେ ୨୪୯୨.୫୫୧ ଏକର, କଳାହାଣ୍ଡିରେ ୧୮୩୫.୪୦୭ ଏକର, ସମ୍ବଲପୁର ଜିଲ୍ଲାରେ ୧୨୮୧.୮୮୦ ଏକର ଜମି ଲ୍ୟାଣ୍ଡ୍‌ ବ୍ୟାଙ୍କରେ ରହିଛି। ବିଧାୟକ ଚକ୍ରମଣି କହଁରଙ୍କ ପ୍ରଶ୍ନର ଉତ୍ତରରେ ରାଜ୍ୟ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ଏହି ଉତ୍ତର ରହିଛନ୍ତି। ରାଜ୍ୟର ସବୁ ଜିଲ୍ଲାରେ ଲ୍ୟାଣ୍ଡ୍‌ ବ୍ୟାଙ୍କରେ ଜମି ଅଧିଗ୍ରହଣ ହୋଇଥିଲେ ମଧ୍ୟ ସବୁଠୁ କମ୍‌ ବା ୧୬.୧୬୦ ଏକର ଜମି କନ୍ଧମାଳ ଜିଲ୍ଲାରେ ଅଧିଗୃହୀତ ହୋଇଛି। 

Advertisment

ସେହିଭଳି ରାଜ୍ୟରେ ବନ୍ଦ ହୋଇଥିବା ଶିଳ୍ପଗୁଡ଼ିକର ପୁନରୁଦ୍ଧାର ପାଇଁ ମଧ୍ୟ ଇଡକୋ ଜରିଆରେ ଜମି ଅଧିଗ୍ରହଣ କରାଯାଇ ଲ୍ୟାଣ୍ଡ୍‌ ବ୍ୟାଙ୍କକୁ ଆଣି ସେଗୁଡ଼ିକୁ ହସ୍ତାନ୍ତର କାର୍ଯ୍ୟ ସଂପାଦନ ହୋଇଛି। ବର୍ତ୍ତମାନ ସୁଦ୍ଧା ଚୌଦ୍ବାରରେ ବନ୍ଦ ଥିବା ଓଟିଏମ୍‌ର ୪୭୮.୧୬୦ ଏକର ଜମି ଇଡ୍‌କୋକୁ ଫେରାଇ ଅଣାଯାଇଛି। ସେଥିରୁ ୫୫.୯୯ ଏକର ଜମି ୱେଲସ୍ପନ କମ୍ପାନିକୁ ହସ୍ତାନ୍ତର କରାଯାଇଛି ଏବଂ ବାକି ଜମିର ହସ୍ତାନ୍ତର ପ୍ରକ୍ରିୟା ଚାଲୁରହିଛି ବୋଲି ଶିଳ୍ପମନ୍ତ୍ରୀ ବିଧାନସଭାରେ ସୂଚନା ଦେଇଛନ୍ତି। ସେହିଭଳି ବନ୍ଦ ହୋଇଥିବା ବରଗଡ଼ ଚିନି କଳର ୧୦୩.୨୧୦ ଏକର ଜମି ଇଡକୋ ଲ୍ୟାଣ୍ଡ୍‌ ବ୍ୟାଙ୍କକୁ ଫେରାଇ ଆଣିବା ଲାଗି ପ୍ରକ୍ରିୟା ଚାଲୁରହିଛି। ସେଗୁଡ଼ିକ ମଧ୍ୟରେ କଟକ ଜିଲ୍ଲାରେ ବଲାରପୁର କାଗଜ କଳର ୫୮୦.୭୮୦ ଏକର, ଶ୍ରୀ ଜଗନ୍ନାଥ ସୂତାକଳର ୫୨ ଏକର, ଚିନି କଳର ପ୍ରାୟ ୨୦ ହଜାର ଏକର, ଝାରସୁଗୁଡ଼ା ଜିଲ୍ଲାରେ ଓରିଏଣ୍ଟ୍‌ କାଗଜ କଳର ୮୫୬.୬୩୯ ଏକର, ଭାସ୍କର ବୟନ କଳର ୧୪୬.୨୫୮ ଏକର ଏବଂ ଜଗତ୍‌ସିଂହପୁର ଜିଲ୍ଲାରେ ଶାରଳା ସୂତାକଳର ୨୫.୧୯ ଏକର ଜମିର ହସ୍ତାନ୍ତର ପ୍ରକ୍ରିୟା ଜାର ରହିଛି।